ଭୁବନେଶ୍ୱର :ସାରାରାଜ୍ୟରେ ଗୋଟିଏ ଚର୍ଚ୍ଚା ଭୂତ ଖାଉଛି ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ । ତେବେ ଚାଉଳ କେଲେଙ୍କାରୀର ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । କେବଳ ଭୁତ ହିତାଧିକାରୀ ନୁହେଁ, ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳର ଓଜନରେ ମଧ୍ୟ ଠକେଇ ହେଉଛି । ଏନେଇ ଡିଲରଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଡିଲରଙ୍କୁ ଚରମବାଣୀ ଶୁଣାଇବା ପରେ ଡିଲର ମହାସଂଘ ପାଲଟା ଦୋଷ ଯୋଗାଣ ବିଭାଗ ଉପରେ ଲଦିଦେଇଛି । ସର୍ବଭାରତୀୟ ଖୁଚୁରା ବିକ୍ରେତା ମହାସଂଘର ଓଡ଼ିଶା ଶାଖା ସଂପାଦକ ସଏଦ ଏକାମ୍ର ହୁସେନ ପ୍ରତିକ୍ରିୟା ଦେଇ କହିଛନ୍ତି, କଣ୍ଟ୍ରୋଲ ଡିଲର ଓଜନରେ ଠକୁ ନାହାନ୍ତି ଏହାକୁ ଯୋଗାଣ ଠିକାଦାର ଓଜନରେ ଠକୁଛନ୍ତି । ତେଣୁ ଯୋଗାଣ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଡିଲର ମହାସଂଘର ସଂପାଦକ କହିଛନ୍ତି । ସେହିପରି ଭୂତ ରାସନକାର୍ଡକୁ ନେଇ ଡିଲର ମହାସଂଘ ମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ମହାସଂଘର ସଂପାଦକ କହିଛନ୍ତି, ପ୍ରତି କାର୍ଡଧାରୀଙ୍କୁ ବାୟୋମେଟ୍ରିକରେ ଟିପ ଚିହ୍ନ ଓ ଆଇସ୍କାନର ମ୍ୟାଚ ହେବା ପରେ ରାସନ ମିଳିଥାଏ । ବିନା ମ୍ୟାଚରେ କାହାକୁ ରାସନ ସାମଗ୍ରୀ ଦିଆଯାଏ ନାହିଁ । ତେଣୁ ମନ୍ତ୍ରୀ କେମିତି ଭୂତ ରାସନକାର୍ଡ ବାବଦରେ ଜାଣିଲେ ବୋଲି ପଚାରିଛନ୍ତି ସଏଦ ଏକାମ୍ର ହୁସେନ । ଏଥିସହ ଖୁଚୁରା ବିକ୍ରେତା କୌଣସି ଦଳର ନୁହଁନ୍ତି ବୋଲି ମହାସଂଘ ପ୍ରତିକ୍ରିୟା ରଖିଛି ।