27.1 C
Bhubaneswar
Friday, December 5, 2025
Homeଦେଶ ବିଦେଶମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇ: ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି । ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ଯ ଓ ଦିବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକାର ଗଗନ ପବନ ଜଗନ୍ନାଥମୟ ହୋଇ ଉଠିଥିବା ଦେଖାଯାଇଥିଲା। ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସାଙ୍ଗକୁ ମନ୍ତ୍ରର ମଧୁର ଉଚ୍ଚାରଣର ଗହଗହ ନାଦରେ ଗଗନ ପବନ ଗୁଞ୍ଜରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା। ବଢି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ମଙ୍ଗଳ ଆଳତି ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

ଦ୍ୱିପହରରେ ଚାରି ଠାକୁରଙ୍କୁ ଧାଡି ପହଣ୍ଡି କରାଯାଇ ସୁନ୍ଦର, ସୁସଜ୍ଜିତ ଓ ପିପିଲି ଚାନ୍ଦୁଆରେ ସୁଶୋଭିତ ରଥ ଉପରକୁ ଅଣାଯାଇଥିଲା। ସେଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସାରର ଆବାଳ ବୃଦ୍ଧ ବନିତାଙ୍କ ସହ ତାଙ୍କର ଦିବ୍ୟ ଲୀଳା ପରିପ୍ରକାଶ କରିବା ପାଇଁ ଶ୍ରୀମନ୍ଦିର ଛାଡ଼ି ରାଜ ରାସ୍ତାକୁ ବିଜେ କରିଥିଲେ । ରାଜକୀୟ ଠାଣିର କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ ,ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, କନିଷ୍ଠ ଭଗ୍ନୀ ମା’ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୁଢ଼ ହେବାର ବେଶ ହୃଦୟସ୍ପର୍ଶୀ ଥିଲା। ଏହା ଭକ୍ତ ଓ ଭଗବାନଙ୍କର ମିଳନର ଅନନ୍ୟ ଓ ଅପୂର୍ବ ଅବସର ଥିଲା।

ମହାରାଷ୍ଟ୍ର ଓଡ଼ିଆ କଲ୍ଯାଣ ସଙ୍ଘର
ସଭାପତି ଓ ଟ୍ରଷ୍ଟି ଡ଼ଃ. ଭଗବାନ ପଣ୍ଡା ରଥ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ। ଏହାପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ଯେଉଁ ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ରଥଟିକୁ ଟାଣି ନେଉଥିଲେ ତାହା ସୌହାର୍ଦ୍ଦ୍ୟ ଓ ସଦଭାବନାର ନିଆରା ଉଦାହରଣ ଥିଲା। ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ରଙ୍ଗାରଙ୍ଗ ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚି ଥିଲା। ଏଠାରେ ରୋଷଣୀ କରାଯାଇ ଚାରିଠାକୁରଙ୍କୁ ରଥ ଉପରୁ ମନ୍ଦିର ମଧ୍ୟକୁ ନିଆଯାଇ, ସେଠାକାର ଆଡ଼ପ ମଣ୍ଡପରେ ଆସୀନ କରାଯାଇଥିଲା ।

ରଥଯାତ୍ରା ଉତ୍ସବର ଅନ୍ୟତମ ଆକର୍ଷଣ ଭାବରେ ଗୁଣ୍ଡିଚା ମନ୍ଦିର ଠାରେ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୀର୍ତ୍ତନର ସୁମଧୁର ସ୍ୱର ସାଙ୍ଗକୁ ମହାପ୍ରସାଦର ମହମହ ସୁଗନ୍ଧ ଶ୍ରଦ୍ଧାଳୁମାନଙ୍କୁ ନିବିଡ଼ ସୂତ୍ରରେ ବାନ୍ଧି ରଖିବାର ଅନୁଭୂତି ଅଲୌକିକ ଓ ଅଦ୍ଭୂତପୂର୍ବ ଥିଲା। ମୋୱା ତରଫରୁ ମହାପ୍ରଭୁଙ୍କର ଭଜନ କାର୍ଯ୍ୟକ୍ରମ ପରେ ମହାପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଜୁଲାଇ ୮ ତାରିଖ ନୀଳାଦ୍ରି ବିଜେ ପାଳନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ସମଗ୍ର ରଥଯାତ୍ରା ଉତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଟ୍ରଷ୍ଟିବୃନ୍ଦ ଯଥା:- ଡଃ ଭଗବାନ ପଣ୍ଡା, ବଳରାମ ପାତ୍ର, ଡଃ ମନୋଜ କୁମାର ନାୟକ, ଡଃ କେତନ ଗୋଖଲେ,ବି.ସି. ଖଟୁଆ, କ୍ୟାପଟେନ ଏସ୍. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ ଏବଂ ଉପ-ସଭାପତି ପି.ଏମ୍. ମହାପାତ୍ର ତଥା ଡଃ ରବି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking