ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ôଚଛି । ଏହା ସଂପୂର୍ଣ୍ଣ ମନୁଷ୍ୟକୃତ ଏବଂ ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ । ସରକାର ଓ ପ୍ରଶାସନର ଅବହେଳାରୁ ୧୦ଜଣ ନିରୀହ ଲୋକଙ୍କର ପ୍ରାଣହାନି ଘଟିଛି । ରଥଯାତ୍ରାରେ୧୫୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହେବା ସହ ୧୦୦ ଜଣଙ୍କ ଅବସ୍ଥା ଗୁରୁତର । କେତେକ ଆହତ ଆଇ.ସି.ୟୁ.ରେ ଅଛନ୍ତି । ଆହୁରି ବହୁ ଆହତ ସରକାରୀ ଡ଼ାକ୍ତରଖାନା ଯାଇପାରି ନାହାଁନ୍ତି । ଏହିସବୁ ଅଘଟଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ୨୮୦ କ୍ୟାମେରା ଲାଗିବାର ଯୋଜନା ଥିବାବେଳେ ୧୦୦ଟି ମଧ୍ୟ କ୍ୟାମେରା ସଂଯୋଗ ହୋଇପାରିନାହିଁ । ଏହି ମୃତ ଏବଂ ଆହତରୁ ସାମ୍ବାଦିକମାନେ ମଧ୍ୟ ବାଦ୍ ଯାଇନାହାଁନ୍ତି । ରଥଯାତ୍ରା ଦିନ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ୩ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ôଚବା ଦୂରେଥାଉ ଶ୍ରୀଜଗନ୍ନାଥଙ୍କ ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ୩ ମିଟର ମଧ୍ୟ ଆଗକୁ ଟଣା ଯାଇପାରିଲା ନାହିଁ । ରଥ ଚାରିପଟେ ଥିବା କର୍ଡ଼ନ୍ ମଧ୍ୟକୁ ବେଆଇନ୍ ଭାବେ ବିଜେପି ମନ୍ତ୍ରୀ ଓ ନେତାମାନେ ଉପସ୍ଥିତ ରହିବା ସହ ସେମାନଙ୍କର ଓ ଆର୍.ଏସ୍.ଏସ୍. ନେତାଙ୍କର ପରିଚିତ ବହୁ ଅଧିକ ବ୍ୟକ୍ତି ପ୍ରବେଶ ଫଳରେ ବହୁ ଅଧିକ ଲୋକ ରଥ ଚାରିପଟେ ଘେରି ରହିଲେ ଏବଂ ବିପର୍ଯ୍ୟୟ ଘଟିଲା । ସରକାର ୧୦,୦୦୦ ପାସ୍ କାହିଁକି ପ୍ରଦାନ କରିଥିଲେ ? ଏହା ରଥଯାତ୍ରା ନା ପାର୍ଟି ଯାତ୍ରା ବୋଲି ସି.ପି.ଆଇ.(ଏମ୍) ପ୍ରଶ୍ନ କରିଛି । ରଥଯାତ୍ରାରେ ବହୁ ଅଧିକ ଜନସମାଗମ ହେବ ବୋଲି ସରକାରଙ୍କ ନିକଟରେ ଗୋଇନ୍ଦା ରିପୋର୍ଟ ଥିଲେ ବି ସରକାର ପ୍ରତିକାରାତ୍ମକ ପଦକ୍ଷେପ ନେଲେ ନାହିଁ ।
ଏସମସ୍ତ ଅବ୍ୟବସ୍ଥା ଓ ବିପର୍ଯ୍ୟୟ ପରେ ସରକାର ସର୍ବସାଧାରଣରେ କ୍ଷମା ଭିକ୍ଷା ନକରି ଶ୍ରୀଜଗନ୍ନାଥଙ୍କ ରଥ ନଗଡ଼ିବା, ଭଳଭଦ୍ର ଓ ସୁଭଦ୍ରାଙ୍କ ରଥ ରାସ୍ତାରେ ମଝିରେ ଅଟକିବା, ଶ୍ରୀଜଗନ୍ନାଥଙ୍କ ଲୀଳା ବୋଲି ରାଜ୍ୟ ଆଇନ୍ମନ୍ତ୍ରୀ କହିବା ଅତ୍ୟନ୍ତ ଲଜ୍ଜାଜନକ ଓ ହାସ୍ୟାସ୍ପଦ । ଆଇନ୍ମନ୍ତ୍ରୀ ପୂର୍ବରୁ ଆସ୍ଫାଳନ କରୁଥିଲେ ଯେ ରଥଯାତ୍ରା ବିନା କୌଣସି ବାଧାବିଘ୍ନରେ ସୂଚାରୁରୂପେ ସମ୍ପନ୍ନ ହେବ । ତାହା ଆଜି ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଗତବର୍ଷ ମଧ୍ୟ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ଖସି ପଡ଼ିଥିଲା । ରଥଯାତ୍ରାକୁ ଶୃଙ୍ଖଳିତ ଓ ନିର୍ଭୁଲ୍ ଭାବେ ସଂଗଠିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିରେ ହିଁ ବହୁ ଦୁର୍ବଳତା ରହିଥିଲା । କିନ୍ତୁ ସେହି ଦୁର୍ବଳତାକୁ ସ୍ୱୀକାର ନକରି ଆଇନ୍ମନ୍ତ୍ରୀ ଘୋଡ଼ାଇ ପକାଇବାକୁ ଅପଚେଷ୍ଟା କରିଛନ୍ତି । ସରକାର କେବଳ ପ୍ରଚାର ଉପରେ ହିଁ ଧ୍ୟାନ ଦେଲେ । ରଥଯାତ୍ରା ବେଳେ ଘଟିଥିବା ବିପର୍ଯ୍ୟୟ ସମଗ୍ର ଦେଶବାସୀ ଏପରିକି ବିଶ୍ୱବାସୀଙ୍କ ସାମ୍ନାରେ ଓଡ଼ିଶାର ମର୍ଯ୍ୟାଦା, ସମ୍ମାନ ଓ ଅସ୍ମିତାରେ ଦାଗ ପକାଇଛି । ତେଣୁ ରାଜ୍ୟ ସରକାର ଓ ନିଜ ବିଭାଗର ଚରମ ବିଫଳତା ପାଇଁ ଆଇନ୍ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଇସ୍ତଫା ଦେବା ଆବଶ୍ୟକ । ଏଥିସହ ସମସ୍ତ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହ ସମସ୍ତ ମୃତକ ପରିବାରମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ, ଆହତ ଲୋକଙ୍କୁ ମାଗଣାରେ ଚିକିତ୍ସା ଓ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ପାର୍ଟି ଦାବି କରୁଛି ।










