15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶଦେଶରେ ବୃଦ୍ଧିପାଇବ ବିରଳ ମୃତ୍ତିକା ଉତ୍ପାଦନ!

ଦେଶରେ ବୃଦ୍ଧିପାଇବ ବିରଳ ମୃତ୍ତିକା ଉତ୍ପାଦନ!

ନୂଆଦିଲ୍ଲୀ: ଭାରତ ଏବେ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରାଥମିକତା ଦେଇଆସୁଛି। ପର୍ଯ୍ୟାୟ ପର୍ଯ୍ୟାୟ କରି ସବୁ କ୍ଷେତ୍ରରେ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଭାରତ ସରକାର ବଡ଼ବଡ଼ ଯୋଜନା କରୁଛନ୍ତି ଏବଂ ଏଦିଗରେ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଉଛି। ତେବେ ଭାରତ ସରକାର ସଦ୍ୟତମ କାର୍ଯ୍ୟକ୍ରମ ଭାବେ ଦେଶରେ ଚୁମ୍ବକୀୟ ବିରଳ ମୃତ୍ତିକା (ରେୟାର ଆର୍ଥ) ଉତ୍ପାଦନ ହାରକୁ ବୃଦ୍ଧି କରିବା ଉପରେ ଫୋକସ୍ କରିଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଭାରତ ସରକାର ବିଗତ ବର୍ଷଗୁଡ଼ିକରେ ଏହି କାର୍ଯ୍ୟକ୍ରମ ପାଇଁ ଯେତିକି ପରିମାଣର ଅର୍ଥ ନିବେଶ ବା ଖର୍ଚ୍ଚ କରୁଥିଲେ ଏବେ ଏହାକୁ ଅହେତୁକ ଭାବେ ୩ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି। ସରକାର ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମ ପାଇଁ ଏବେ ୭୦୦୦ କୋଟି ଟଙ୍କା (୭୮୮ ମିଲିୟନ୍ ଡଲାର)ରୁ ଅଧିକ ବ୍ୟୟବରାଦ କରିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି, ଯେତେବେଳେ କି ପୂର୍ବରୁ ଏହି କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହନ ରାଶି ୨୯୦ ମିଲିୟନ ଡଲାର ଥିଲା। ପ୍ରକାଶ, ଏହି ଚୁମ୍ବକୀୟ ବିରଳ ମୃତ୍ତିକା, ଇଲେକ୍ଟ୍ରିକ୍ ଯାନ(ଇଭି), ନବୀକରଣ ଯୋଗ୍ୟ ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପବନ ଟର୍ବାଇନ୍ ଭଳି ପ୍ରଯୁକ୍ତିବିଦ୍ୟା ପାଇଁ ଏହି ଧାତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ରେୟାର ଆର୍ଥ ବା ଚୁମ୍ବକୀୟ ବିରଳ ମୃତ୍ତିକା ପାଇଁ ଭାରତ ମୁଖ୍ୟତଃ ପଡୋଶୀ ଚୀନ୍ ଉପରେ ନିର୍ଭର କରିଆସୁଥିଲା। କାରଣ ଏହି ଉତ୍ପାଦ ପାଇଁ ସମଗ୍ର ବିଶ୍ୱ ବଜାରରେ ଆଜି ପର୍ଯ୍ୟନ୍ତ ଚୀନ୍‌ର ଏକଚାଟିଆ ପ୍ରଭାବ (ପ୍ରାୟ ୯୦% ପ୍ରକ୍ରିୟାକରଣ) ରହିଆସିଛି। ତେବେ ଆମେରିକା ସହ ଚୀନ୍‌ର ସୃଷ୍ଟି ହୋଇଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ଚୀନ୍ ଏବେ ଏହାର ରପ୍ତାନୀ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛି। ଏହାର ପ୍ରଭାବ ସ୍ୱରୂପ ବିଶ୍ୱସ୍ତରରେ ବିରଳ ମୃତ୍ତିକା ଯୋଗାଣ ବାଧାପ୍ରାପ୍ତ ହୋଇଛି। ଯାହାଫଳରେ ବିଶ୍ୱ ଅଟୋମୋବାଇଲ ନିର୍ମାତା ଏବଂ ଇଲେକ୍ଟ୍ରୋନିକ୍ସ ନିର୍ମାତାଙ୍କ ପାଇଁ ବାଧା ସୃଷ୍ଟି କରିଛି। ସୁତରାଂ ଏପରି ଏକ ସମୟରେ ନିଜସ୍ୱ ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି ଭାରତ ସରକାର। ଚୁମ୍ବକୀୟ ବିରଳ ମୃତ୍ତିକା ବିଶ୍ୱ ଚାହିଦା ବଢୁଥିବାରୁ ଏହି ୭୦୦୦ କୋଟି ଟଙ୍କାରୁ ଅଧିକ ପ୍ରୋତ୍ସାହନ ଯୋଜନା ଭାରତ ପାଇଁ ଏକ ବଡ଼ ରଣନୀତିକ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି। ତେବେ ଏସମ୍ପର୍କୀତ ପ୍ରସ୍ତାବ ଏବେ କ୍ୟାବିନେଟ୍ ଅନୁମୋଦନ ଅପେକ୍ଷାରେ ଅଛି, ଏବଂ ଚୂଡ଼ାନ୍ତ ପାଣ୍ଠି ଆବଣ୍ଟନକୁ କିଛି ମାତ୍ରାରେ ସଂଶୋଧନ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ବ୍ଲୁମବର୍ଗ ଅନୁଯାୟୀ, ଭାରତ ସରକାର ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ଏବଂ ପୁଞ୍ଜି ସବ୍‌ସିଡିର ମିଶ୍ରଣ ମାଧ୍ୟମରେ ପ୍ରାୟ ୫ଟି କମ୍ପାନୀକୁ ସମର୍ଥନ କରିବାକୁ ଯୋଜନା କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପ ବିରଳ ମୃତ୍ତିକା ଉତ୍ପାଦନ କ୍ଷେତ୍ରକୁ ଘରୋଇ ଏବଂ ବିଦେଶୀ ନିବେଶକୁ ଆକର୍ଷିତ କରିବା ଲକ୍ଷ୍ୟ ରଖିଛି। ବର୍ତ୍ତମାନ, ସରକାରୀ ସମର୍ଥନ ବିନା ଘରୋଇ ବିରଳ ପୃଥିବୀ ଉତ୍ପାଦନ ଅସମ୍ଭବ ରହିଛି। କଞ୍ଚାମାଲର ପ୍ରବେଶ ସୁରକ୍ଷିତ କରିବା ପାଇଁ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ବିଦେଶୀ ଖଣି ସହଭାଗୀତା ଗଠନ କରିବାରେ ନେତୃତ୍ୱ ନେଇଛନ୍ତି। ତଥାପି, ଭାରତ ପ୍ରଯୁକ୍ତିବିଦ୍ୟା ଏବଂ ବିଶୋଧନ ଆଦି କ୍ଷମତା ଚୀନ୍ ତୁଳନାରେ ଅନେକାଂଶରେ ପଛରେ ରହିଛି। ବ୍ଲୁମବର୍ଗ ଅନୁଯାୟୀ ଚୀନ୍ ନିଓଡାଇମିୟମ୍‌, ପ୍ରସେଓଡାଇମିୟମ୍‌, ଡିସପ୍ରୋସିୟମ୍ ଏବଂ ଟେରବିୟମ୍ ଭଳି ପ୍ରମୁଖ ଚୁମ୍ବକ ବିରଳ ପୃଥିବୀର ଯୋଗାଣ ଏବଂ ପ୍ରକ୍ରିୟାକରଣରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଏହି ଖଣିଜ ପଦାର୍ଥଗୁଡ଼ିକୁ ଖଣି କରିବା ଦ୍ୱାରା ଆର୍ôଥକ ଦୃଷ୍ଟିରୁ ଅତିରିକ୍ତ ପରିବେଶଗତ ବିପଦ ସୃଷ୍ଟି ହୋଇଥାଏ କାରଣ ଏଗୁଡ଼ିକ ପ୍ରାୟତଃ ରେଡିଓଆକ୍ଟିଭ୍ ଉପାଦାନ ସହିତ ମିଳିଥାଏ। ଏଥିପାଇଁ ମଧ୍ୟ ଭାରତ ସରକାରଙ୍କୁ ବିଶେଷ ଧ୍ୟାନ ଦେବାକୁ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking