15.1 C
Bhubaneswar
Monday, February 9, 2026
Homeଓଡିଶାକେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବ "ରଙ୍ଗବତୀ" ଉତ୍ସବ

କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବ “ରଙ୍ଗବତୀ” ଉତ୍ସବ

ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, କେନ୍ଦୁଝର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆଦିମ୍- ସଂସ୍କୃତି, କେନ୍ଦୁଝରର ମିଳିତ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ପଶ୍ଚିମ ଓଡ଼ିଶା ନୃତ୍ୟ, ସଂଗୀତ ଉତ୍ସବ “ରଙ୍ଗବତୀ”ର ଆୟୋଜନ କରାଯିବ। “ରଙ୍ଗବତୀ” ଉତ୍ସବ ଆସନ୍ତା ମେ’ ୫ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କାଳିପଡ଼ିଆ, କେନ୍ଦୁଝର ଠାରେ ଅନୁଷ୍ଠିତ ହେବ।

ରଙ୍ଗବତୀ ଉତ୍ସବରେ ରାଜ୍ୟର ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀଗଣ, କେନ୍ଦୁଝର ଜିଲ୍ଲାର ସାଂସଦ, ବିଧାୟକ, ବହୁ ବିଶିଷ୍ଟ କଳାକାର ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର ଯୋଜନା ରହିଛି। ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ ଆଦିର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଚଳିତ ବର୍ଷର “ରଙ୍ଗବତୀ” ଉତ୍ସବରେ ପଶ୍ଚିମ ଓଡ଼ିଶାର ବହୁ ବିଶିଷ୍ଟ ଲୋକକଳାକାର, ନୃତ୍ୟଶିଳ୍ପୀ ଏବଂ କଣ୍ଠଶିଳ୍ପୀମାନେ ଯୋଗଦେଇ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ଡ଼ାଲଖାଇ, ରସରକେଲି ଠାରୁ ନେଇ ହୋମୁଣ୍ଡା, ଛଉ, ଚାଙ୍ଗୁ, ଝୁମର ନୃତ୍ୟ ପର୍ଯ୍ୟନ୍ତ ଏବଂ ଢ଼ୋଲ, ତବଲା, ମୃଦଙ୍ଗ ଏବଂ ବିଭିନ୍ନ ପାରମ୍ପରିକ ବାଦ୍ୟରେ ପଶ୍ଚିମ ଓଡ଼ିଶାର ଲୋକସଂଗୀତ ପରିବେଷଣ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ।

ଆମ ଓଡ଼ିଶାର ଲୋକକଳା ଓ ଲୋକସଂସ୍କୃତିକୁ ଚିର ଉଜ୍ଜୀବିତ କରି ରଖିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା “ରଙ୍ଗବତୀ” ଉତ୍ସବରେ ଯୋଗଦେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସହିତ ପଶ୍ଚିମ ଓଡ଼ିଶାର ଲୋକକଳା ଓ ପରମ୍ପରାକୁ ଆଧାରିତ କରି “ରଙ୍ଗବତୀ” ଉତ୍ସବର ଆୟୋଜନ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଓ କଳାକାରମାନେ ମତପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking