27.1 C
Bhubaneswar
Tuesday, March 24, 2026
Homeଓଡିଶାଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି "ରଙ୍ଗବତୀ" : ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି “ରଙ୍ଗବତୀ” : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର: ରଙ୍ଗବତୀ ପରି କାର୍ଯ୍ୟକ୍ରମ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଏକ ଘୋଷଣା ଯେ, ଓଡ଼ିଶା ଏବେ ତାଙ୍କର ଅନୁପମ କଳାକୁ ଗର୍ବର ସହ ଆଗକୁ ବଢ଼ାଉଛି। ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ନିଜ ଅତ୍ମୀୟତାର ଅନୁଭବ, ରମ୍ୟତା ଓ ଉଦ୍ଦୀପନାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କେନ୍ଦୁଝର ଜିଲ୍ଲାର କାଳି ପଡିଆ ଠାରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ ‘ରଙ୍ଗବତୀ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ଓଡ଼ିଆ, ସବୁଠୁ ବଢିଆ। ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଲୋକଗୀତ, ଲୋକନୃତ୍ୟର ମଧୁର ମୂର୍ଚ୍ଛନା। ଏହି ବିବିଧାତା ଭିତରେ ଏକତା ଆମର ଶକ୍ତି। ଆମ ରାଜ୍ୟରେ ଭାଷା ଅଂଚଳ ବଦଳିବ ସହିତ ବଦଳି ଯାଇଥାଏ। ଭାଷା ଅଲଗା ସିନା କିନ୍ତୁ ପରିଚୟ ଏକ । ପ୍ରତ୍ୟେକ ଜିଲ୍ଲାର ଭାଷାରେ କିଛି ନା କିଛି ସ୍ଵତନ୍ତ୍ରତା ଦେଖିବାକୁ ମିଳିବ। ଏହି ମଞ୍ଚ ଆଜି ସ୍ଥାନ ଦେଇଛି ଅନେକ କଳାକାରଙ୍କୁ । ଓଡ଼ିଶାର କୋଣ ଅନୁକୋଣରୁ ଆଜି କଳାକାର ମାନେ ନିଜର ପ୍ରତିଭା ଦେଖାଇବା ପାଇଁ ଗୋଟିଏ ଜାଗାରେ ଏକତ୍ରିତ ହୋଇଛନ୍ତି । ଏହାହିଁ ଆମ ଏକତାର ପ୍ରତୀକ ।

ଓଡିଶାର ପ୍ରସିଦ୍ଧ ଗୀତ ରଙ୍ଗବତୀ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରଙ୍ଗବତୀ ଗୀତ ଅନେକ ପୁରୁଣା । “ରଙ୍ଗବତୀ” ଗୀତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଓଡ଼ିଆ ମାଟିର ସ୍ପନ୍ଦନ। ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି “ରଙ୍ଗବତୀ”। ଗୀତଟି ଆଜି କେବଳ ଓଡିଶା ନୁହେଁ, ସାରା ଭାରତର ବିଭିନ୍ନ ରାଜ୍ୟର ଏକ ଲୋକପ୍ରିୟ ଗୀତର ମାନ୍ୟତା ଲାଭ କରିଛି। ଯେଉଁଭଳି ଆମେ ବିକାଶର ରାସ୍ତାରେ ଆଗେଇ ଯାଉଛୁ, ସେହିପରି ଆମ ସଂସ୍କୃତିକ ମୂଳ୍ୟବୋଧ, ଆମର ଲୋକକଳା, ଆମ ଉତ୍ସବ, ପର୍ବ ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଆମର ପ୍ରଥମ ଦାୟିତ୍ୱ। ଏହିପରି ମହୋତ୍ସବ, ଆମ ତରୁଣ ପିଢିକୁ ଆମ ଦେଶ ଓ ଅଞ୍ଚଳର ସଂସ୍କୃତି ସହ ପରିଚୟ କରାଇଥାଏ ବୋଲି ସେ କହି ଥିଲେ ।

ସେ ପୁଣି କହିଥିଲେଯେ, ଆଜି ଆମ ସରକାର କଳାକାରଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରତିଶ୍ରୁତିବଦ୍ଧ।ସେମାନଙ୍କ ଶ୍ରମ ଓ ଦକ୍ଷତାକୁ ଜନାଭିମୁଖୀ କରିବା ପାଇଁ ଚେଷ୍ଟିତ। ୧୧ ମାସରେ ଆମେ ସରକାରକୁ ଆସି ଲୋକଙ୍କ ପାଖକୁ ପହଞ୍ଚି ପାରିଲୁ। ଆମେ ଶୁନ୍ୟ ରୁ ଆରମ୍ଭ କରି, ଏକ ନୂତନ ଦିଗରେ ଯିବାପାଇଁ ଅଗ୍ରସର ହେଉଛୁ। ଆଜି ଗାଁ ଗାଁ ର କଳାକାରମାନେ ମଞ୍ଚ ପାଉଛନ୍ତି। ଦେଶ ବିଦେଶ ମଧ୍ୟରେ ତାଙ୍କର କଳା ପହଞ୍ଚୁଛି, ଏହା ଗର୍ବ ର ବିଷୟ। ମୁଁ ବିଶ୍ୱାସ କରେଯେ, ଯେଉଁ ରାଜ୍ୟ ତାଙ୍କର କଳାକୁ ସମ୍ମାନ ଦିଏ,ସେ ରାଜ୍ୟର ଆତ୍ମା ସଦା ଜୀବିତ ରହିଥାଏ। ଏହି ଅବସରରେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେଯେ, ରଙ୍ଗବତୀ ଭଳି କାର୍ଯ୍ୟକ୍ରମ ଦେଶର ସମସ୍ତ କଳା ଓ କଳାକାର ମାନଙ୍କ ପାଇଁ ଉଦ୍ଦିଷ୍ଟ କାରଣ କଳାକାର ମାନଙ୍କର ସୀମା ସରହଦ ନଥାଏ।

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ ଓ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ଦେବ ପ୍ରସାଦ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଡ଼କ୍ଟର ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking