ଭୁବନେଶ୍ୱର: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଛି । ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ଋତୁରେ ପ୍ରଥମ ଥର ପାଇଁ ରାଜ୍ୟର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି । ୪୦.୮ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି । ସେହିପରି ସମ୍ବଲପୁର ଓ ସୁନ୍ଦରଗଡରେ ପାରଦ ୩୯ ଡିଗ୍ରୀ ଛୁଇଁଥିବା ବେଲେ ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି ।









