ଭୁବନେଶ୍ୱର: ଆଜି ଆସିବେ ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବାକୁ ରାହୁଲ ଓଡ଼ିଶା ଆସୁଛନ୍ତି । ଏଥିପାଇଁ ବରମୁଣ୍ଡା ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି । ରାହୁଲଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଆସୁଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ବି ଗସ୍ତରେ ସାମିଲ ରହିବେ । ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର । ରାହୁଲ ବିମାନ ବନ୍ଦର ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ଏକ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ । ରାହୁଲଗାନ୍ଧୀଙ୍କ ଗସ୍ତକୁ ନେଇ ପୁଲିସ କଡା ସୁରକ୍ଷାର ବ୍ୟବସ୍ଥା କରିଛି । ଭୁବନେଶ୍ୱରରେ ୫୩ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ବିମାନ ବନ୍ଦରରୁ ମେଡିକାଲ ଛକ ଯାଏଁ ରୋଡ ସୋ ହେବ । ଡଗ ସ୍କ୍ୱାଡ , ବମ ସ୍କ୍ୱାଡ ନିୟୋଜିତ କରାଯାଇଛି । ଏନେଇ ପୁଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।










