26.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶନୂଆବର୍ଷ ପାଳନ କରିବା ପାଇଁ ଭିଏତ୍‌ନାମ ଗଲେ ରାହୁଲ

ନୂଆବର୍ଷ ପାଳନ କରିବା ପାଇଁ ଭିଏତ୍‌ନାମ ଗଲେ ରାହୁଲ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ ପରିପ୍ରେକ୍ଷୀରେ ଦେଶବ୍ୟାପୀ ୭ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟକୁ ସ୍ଥଗିତ କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଦଳଗତ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ତେବେ ଏସବୁ ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭିଏତ୍‌ନାମ ଗସ୍ତ କରିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେପି ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଇଛି। ଗୋଟିଏ ପଟେ ନିଗମବୋଧ ଘାଟରୁ ଦିବଂଗତ ମନମୋହନ ସିଂହଙ୍କ ଅସ୍ଥି ସଂଗ୍ରହ ପାଇଁ ଗାନ୍ଧୀ ପରିବାରରୁ କେହି ଆସିନଥିବା ବେଳେ ବିଜେପି ଏହାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ସୋମବାର ରାହୁଲ ଗାନ୍ଧୀ ଭିଏତନାମ୍ ଗସ୍ତରେ ବାହାରିଯିବା ବିଜେପିକୁ ସମାଲୋଚନାର ଖୋରାକ୍ ଯୋଗାଇଛି। ଅବଶ୍ୟ ପରିବାର ଲୋକଙ୍କ ଗୋପନୀୟତାକୁ ସମ୍ମାନ ଜଣାଇ ଗାନ୍ଧୀ ପରିବାରର କୌଣସି ସଦସ୍ୟ ସେଠାରେ ଉପସ୍ଥିତ ନଥିବା କଂଗ୍ରେସ କହିଥିଲା। ଏହାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

ନିଜ ସୋସିଆଲ ମିଡିଆ ପୋଷ୍ଟରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗକୁ ନେଇ ରାଜନୀତି କରୁଛନ୍ତି। ମାଲବ୍ୟ କହିଛନ୍ତି, “ଯେତେବେଳେ ପୂରା ଦେଶ ଡ ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି ସେତେବେଳେ ରାହୁଲ ଗାନ୍ଧୀ ନୂଆ ବର୍ଷ ପାଳନ କରିବା ପାଇଁ ଭିଏତନାମ ଚାଲିଯାଇଛନ୍ତି। ରାହୁଲ ଗାନ୍ଧୀ କେବଳ ଡ ସିଂହଙ୍କ ବିୟୋଗକୁ ରାଜନୀତିକ ରୂପ ଦେଉଛନ୍ତି।” ଏହାର ଜବାବରେ କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, “ଟେକ୍ ଡାଇଭର୍ସନ ରାଜନୀତି ସଙ୍ଘିମାନେ କେବେ ବନ୍ଦ କରିବେ? ମୋଦୀ ଯେଉଁ ଭଳି ଡ. ସାହେବଙ୍କ ଅନ୍ତିମ ସଂସ୍କାର ପାଇଁ ଯମୁନା କୂଳରେ ସ୍ଥାନଦେଲେ ନାହିଁ ଓ ତାଙ୍କ ମନ୍ତ୍ରୀମାନେ ଯେଉଁଭଳି ଭାବେ ଡ ସାହେବଙ୍କ ପରିବାରକୁ କୋଣଠେସା କଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ। ଯଦି ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ ଯାତ୍ରା କଲେ, ତା’ହେଲେ ବିଜେପି ନେତାଙ୍କ କ’ଣ ସମସ୍ୟା ହେଉଛି?”

ଏସବୁ ମଧ୍ୟରେ ଶ୍ରୀ ସିଂହଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମନମୋହନ ସିଂହଙ୍କ ଶେଷକୃତ ଗତକାଲି ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସଂପନ୍ନ ହେବାର ଦିନକ ପରେ ଅର୍ଥାତ୍ ରବିବାର ଦିଲ୍ଲୀର ଗୁରୁଦ୍ୱାର ଟିଲା ସାହିବ ନିକଟସ୍ଥ ଯମୁନା ଘାଟରେ ଅସ୍ଥି ବିସର୍ଜନ କରାଯାଇଛି। ଅସ୍ଥି ବିସର୍ଜନ ପରେ ପରିବାର ସଦସ୍ୟମାନେ ଗୁରୁଦ୍ୱାରରେ ପ୍ରାର୍ଥନା କରିଥିଲେ। ମନମୋହନ ସିଂହଙ୍କ ପତ୍ନୀ ଗୁରଶରଣ କୌର ଏବଂ ତାଙ୍କ ତିନି ଝିଅଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଂଗ୍ରେସ ନେତା ସାମିଲ ହୋଇଥିଲେ ମଧ୍ୟ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ। ଏହାକୁ ପ୍ରସଙ୍ଗ କରି ବିଜେପି ଗାନ୍ଧୀ ପରିବାରକୁ ଘେରିବାରେ ଲାଗିଛି। ଅସ୍ଥିବିସର୍ଜନ ସ୍ଥାନରେ କ୍ୟାମେରା ନଥିବାରୁ ଗାନ୍ଧୀ ପରିବାରରୁ କେହି ବି ଗଲେନାହିଁ ବୋଲି ବିଜେପି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking