ନୂଆଦିଲ୍ଲୀ: କ୍ଷମତାରେ ଥିବା ବେଳେ ୟୁପିଏ କରିଥିବା ଭୁଲ୍କୁ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି। ରାହୁଲ କହିଛନ୍ତି ୟୁପିଏ କ୍ଷମତାରେ ଥିବା ଜାତିଗତ ଜନଗଣନା କରାଇନେବା ଉଚିତ୍ ଥିଲା। କିନ୍ତୁ ତତ୍କାଳୀନ ୟୁପିଏ ସରକାର ଏହା କରିନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ କହିଛନ୍ତି, ୨୦୦୪ରୁ ୨୦୧୪ ଯାଏ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଏକ ଭୁଲ କରିଥିଲା। ଗତ ୧୦ ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏଦିଗରେ ଆଉ ଆଗକୁ ବଢ଼ିନଥିଲା। ଏହା ହିଁ ୟୁପିଏ ସରକାରଙ୍କ ଭୁଲ୍ ଥିଲା। ତେବେ ଅତୀତରେ ହୋଇଥିବା ଭୁଲ୍କୁ ସୁଧାରିବା ପାଇଁ ୟୁପିଏ ପ୍ରତିଶ୍ରୁତି ବଦ୍ଧ। ଏଦିଗରେ ନିଜ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି କଂଗ୍ରେସ। କଂଗ୍ରେସ ଏବେ କ୍ଷମତାରେ ଥିବା କର୍ଣ୍ଣାଟକ ଓ ତେଲଙ୍ଗାନାରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଛି। କଂଗ୍ରେସ-ଜେଏମ୍ଏମ୍ ଝାଡ଼ଖଣ୍ଡରେ କ୍ଷମତାକୁ ଆସିଲେ ଏଠାରେ ମଧ୍ୟ ସମାନ ପଦକ୍ଷେପ ନିଆଯିବ ବୋଲି ରାହୁଲ କହିଛନ୍ତି।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ରାହୁଲ ଗାନ୍ଧୀ ଏବେ ଏଠାରେ ଜୋରଦାର ପ୍ରଚାର କରୁଛନ୍ତି। ଏହିକ୍ରମେ ଆଜି ରାଞ୍ଚିରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏପରି କହିଛନ୍ତି। ରାହୁଲ କହିଛନ୍ତି, ବିଭିନ୍ନ ଅଂଶିଦାରଙ୍କ ସହ ଆଲୋଚନା କରି ଲୋକଙ୍କ ମତାମତ ଆଧାରରେ ଜାତି ଭିତ୍ତିକ ଜନଗଣନା ପାଇଁ ପ୍ରଶ୍ନ ତିଆରି ହୋଇଛି। ଜାତି ଭିତ୍ତିକ ଜନଗଣନା ପାଇଁ କଂଗ୍ରେସର ସ୍ପଷ୍ଟ ମତାମତ ରହିଛି। ପଛୁଆ ବର୍ଗର ଲୋକଙ୍କ ତଥ୍ୟ ନଥିବାରୁ ଉପଯୁକ୍ତ ନୀତି ଓ ସମାନତା ରହୁନାହିଁ। ଥରେ ତଥ୍ୟ ଚାଲି ଆସିଲେ ଆମେ ସବୁ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ପାଇଁ ନୀତି ପ୍ରଣୟନ କରିବୁ। ରାହୁଲ ଝାଡଖଣ୍ଡବାସୀଙ୍କୁ ଗ୍ୟାରେଣ୍ଟି ଦେଇ କହିଛନ୍ତି ଯେ, କଂଗ୍ରେସ ନିଶ୍ଚିତ ରୂପେ ଜାତି ଭିତ୍ତିକ ଜନଗଣନା କରିବ। ଜାତି ଭିତ୍ତିକ ଜନଗଣନା ପରେ କଂଗ୍ରେସ ୫୦% ସଂରକ୍ଷଣ ସୀମାକୁ ଉଠାଇ ଦେବ ବୋଲି ମଧ୍ୟ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି।