27.1 C
Bhubaneswar
Wednesday, March 25, 2026
Homeଓଡିଶାଝାଡ଼ଖଣ୍ଡ ଫେରିଗଲେ ରଘୁବର; ବିମାନ ବନ୍ଦରରେ ବିଦାୟ ଦେଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି

ଝାଡ଼ଖଣ୍ଡ ଫେରିଗଲେ ରଘୁବର; ବିମାନ ବନ୍ଦରରେ ବିଦାୟ ଦେଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶାରୁ ବିଧିବଦ୍ଧ ଭାବେ ବିଦାୟ ନେଇଛନ୍ତି ବିଦାୟୀ ରାଜ୍ୟପାଳ ରଘୁବର ଦାସ। ମାତ୍ର ୧୪ ମାସ ଓଡ଼ିଶାରେ କାର୍ଯ୍ୟ କରିବା ପରେ ଫେରି ଯାଇଛନ୍ତି ରଘୁବର ଦାସ। ଗୁରୁବାର ସେ ଆଜି ରାଜଭବନରୁ ତାଙ୍କ ଗୃହରାଜ୍ୟ ଝାଡ଼ଖଣ୍ଡ ଫେରି ଯାଇଛନ୍ତି। ରାଜଭବନ ଛାଡ଼ିବା ସମୟରେ ରଘୁବରଙ୍କୁ ଗାର୍ଡ-ଅଫ-ଅନର ପ୍ରଦାନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ପକ୍ଷରୁ ମଧ୍ୟ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି।

ରଘୁବରଙ୍କୁ ବିମାନ ବନ୍ଦରରେ ବିଦାୟକାଳୀନ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ । ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଏ.ଜି ପିତାମ୍ବର ଆଚାର୍ଯ୍ୟ, ଶାସକ ଦଳ ମୁଖ୍ୟ ସଚେତକ ଗୋବିନ୍ଦ ଦାସ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ.ବି.ଏସ ରାଜପୁତ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ଭୁବନେଶ୍ୱର ଡ଼ିସିପି ପିନାକ ମିଶ୍ର ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ବିମାନବନ୍ଦରକୁ ଯିବା ପୂର୍ବରୁ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁଲିସ ଡିଜି ୱାଇ ବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ରାଜଭବନରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ। ବିଦାୟୀ ରାଜ୍ୟପାଳଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ।

ଅନ୍ୟପକ୍ଷରେ ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ରାଜଭବନ ପରିବାର ପକ୍ଷରୁ ରାଜ୍ୟପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସେ ରାଜ୍ୟପାଳ ଦାୟିତ୍ୱ ଗ୍ରହଣର ପ୍ରଥମ ଚାରିମାସ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲା ଗସ୍ତ କରି ତୃଣମୂଳସ୍ତରରେ ଜନସାଧାରଣଙ୍କ ସହ ଯୋଡ଼ି ହେବା ପାଇଁ ଓ ସେମାନଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ ସେ ପ୍ରାଥମିକତା ଦେଇଥିଲେ ଓ ଏହା ତାଙ୍କୁ ଅଶେଷ ଆତ୍ମସନ୍ତୋଷ ପ୍ରଦାନ କରିଥିଲା ବୋଲି ସେ କହିଥିଲେ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ପ୍ରକୃତିର ଆଶୀର୍ବାଦ ଏଠାରେ ବିବିଧ ରୂପରେ ପରିଲକ୍ଷିତ ହୁଏ, ଜନସାଧାରଣ ବେଶ୍ ମେଳାପୀ ଏବଂ ଏଠାରେ ବିକାଶର ଅପାର ସମ୍ଭାର ରହିଛି ବୋଲି ରଘୁବର କହିଥିଲେ। ରାଜ୍ୟର ଜନସାଧାରଣଙ୍କ ରାଜଭବନ ଉପରେ ଯଥେଷ୍ଟ ଆସ୍ଥା ଓ ବିଶ୍ୱାସ ରହିଛି। ସେମାନଙ୍କର ଅସୁବିଧା ଦୂର କରିବା ପାଇଁ ରାଜଭବନରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ସର୍ବଦା ଚେଷ୍ଟା କରିବା ସହିତ ନିଜର କାର୍ଯ୍ୟ ଦ୍ୱାରା ରାଜଭବନର ଗାରିମା ବଢ଼ାଇବା ପାଇଁ ଯତ୍ନଶୀଳ ରହିବାକୁ ସେ ସମସ୍ତଙ୍କୁ କହିଥିଲେ। ନିଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ଜନସାଧାରଣଙ୍କ ପାଇଁ କିଛି ଉତ୍ତମ କାର୍ଯ୍ୟ କରିବାର ଅଛି ବୋଲି ହୃଦୟଙ୍ଗମ କରିବା ସହ ପ୍ରତ୍ୟେକ ନିୟମକାନୁନ୍ ମଧ୍ୟରେ ରହି କାର୍ଯ୍ୟ କରି ଅପାର ଶାନ୍ତି ଓ ସନ୍ତୋଷ ଲାଭ କରିବା ପାଇଁ ଚେଷ୍ଟିତ ହେବାକୁ ସେ ପରାମର୍ଶ ଦେଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶା ରାଜ୍ୟରେ ଚଉଦ ମାସ ସେବା କରିବାର ସୁଯୋଗ ପାଇ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ଏବଂ ନିଜ ଜନ୍ମଭୂମି ଓ କର୍ମଭୂମି ଝାଡ଼ଖଣ୍ଡ ରାଜ୍ୟକୁ ଏବେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ବୋଲି ରଘୁବର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତ୍‌ପଥୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ରାଜ୍ୟପାଳଙ୍କ ଏଡ଼ିସି ଚିନ୍ମୟ କୁମାର ନାୟକ ଓ ଲେଫ୍ଟନାଣ୍ଟ କମୋଡ଼ର ନିତିନ ତ୍ରିପାଠୀ ମଧ୍ୟ ଉଦ୍‌ବୋଧନ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରଘୁବରଙ୍କୁ ଓଡିଶା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ପ୍ରଦାନ କରିଥିଲେ। ଦୁଇଦିନ ତଳେ ସେ ଇସ୍ତଫା ଦେଇଥିବା ସହ ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ ମଧ୍ୟ କରିଥିଲେ। ଆଜି ସେ ନିଜ ଗୃହରାଜ୍ୟ ଝାଡ଼ଖଣ୍ଡ ଫେରି ଯାଇଛନ୍ତି । ଇସ୍ତଫା ପରେ ରଘୁବରଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking