ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡକୁ ଆସିଯାଇଛି। ଗୋଟିଏ ପଟେ ଯେଉଁଠି ନୂଆଦିଲ୍ଲୀ ଏବେ ଘନଘନ ବୈଠକରେ ବ୍ୟସ୍ତ ରହିଛି ସେତେବେଳେ ଅନ୍ୟପକ୍ଷେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ଆକାଶମାର୍ଗରେ ଗର୍ଜନ କରିବା ଆରମ୍ଭ କରିଦେଇଛନ୍ତି। ଭାରତୀୟ ବାୟୁସେନା ମିଶନ୍ ‘ଆକ୍ରମଣ’ ଅନ୍ତର୍ଗତ ନିଜ ରାଫେଲ, ସୁଖୋଇ-୩୦ ଏବଂ ମିଗ-୨୯ ଭଳି ବିଧ୍ୱଂସୀ ଲଢ଼ୁଆ ବିମାନଗୁଡ଼ିକୁ ଯୁଦ୍ଧାଭ୍ୟାସ କରିବାକୁ ଅନୁମତି ଦେଇଛି। କ୍ରମାଗତ ୨ୟ ଦିନରେ ମଧ୍ୟ ଭାରତର ଏହି ଲଢ଼ୁଆ ବିମାନଗୁଡ଼ିକ ଶତ୍ରୁ ପକ୍ଷର ନିଦ ହଜାଇବା ଭଳି ଆକାଶମାର୍ଗରୁ ହୁଂକାର ଦେଇଛନ୍ତି। ଏସବୁ ମଧ୍ୟରେ ଅମ୍ବାଲା ଓ ହସିମରା ଏୟାରବେସ୍ରୁ ଯୁଦ୍ଧାଭ୍ୟାସ ହେବା ସହ ପୂର୍ବ ଭାଗରେ ଥିବା ଏୟାରବେସ୍ରୁ ବାୟୁସେନାକୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି। ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ କରାଯାଉଛି।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଏବଂ ବାୟୁସେନାର ଏପ୍ରକାର ସମରାଭ୍ୟାସ ପରେ ଆଗକୁ କିଛି ବଡ ଆଶଙ୍କାକୁ ଘନୀଭୂତ କରୁଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ କେବଳ ପ୍ରତିଶୋଧ ମନୋଭାବ ଦେଖିବାକୁ ମିଳୁଛି। କୌଣସି ପରିସ୍ଥିତିରେ ମଧ୍ୟ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କୁ ମାଟିରେ ମିଶାଇଦେବାକୁ ସମସ୍ତେ ସରକାରଙ୍କୁ ନାରାବାଜି ମାଧ୍ୟମରେ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ପାକିସ୍ତାନ ସରକାର ମଧ୍ୟ ଭାରତକୁ ଗୋଟିଏ ପଟେ ଗୋଟିଏ ଚେତାବନୀ ଦେବାରେ ଲାଗିଛନ୍ତି।
ଏସବୁ ମଧ୍ୟରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ବା ଡିପ୍ଲୋମାଟିକ୍ ୱାର୍ ଆରମ୍ଭ ମଧ୍ୟ ହୋଇସାରିଛି। ଗୋଟିଏପଟେ ଯେଉଁଠି ଦୁଇ ଦେଶ ଏବେ ଯୁଦ୍ଧର ଦ୍ୱାର ଦେଶରେ ଉପନୀତ ହୋଇଛନ୍ତି ସେଠାରେ ଭାରତର ଆକ୍ରମଣ ଆଶଙ୍କାରେ ପାକିସ୍ତାନ, ପାକିସ୍ତାନ ସେନା ଥରହର ହେବାରେ ଲାଗିଛନ୍ତି। ସେମାନଙ୍କ ଭୟ ଯେପରି ସାମ୍ନାକୁ ନଆସେ ସେନେଇ ପାକିସ୍ତାନ ସରକାର ଏବଂ ପାକିସ୍ତାନ ସେନା ପୁରା ଦମ୍ରେ ଚେଷ୍ଟା କରୁଛନ୍ତି, ମୁହଁ ବଢ଼ାଣିଆ ଭାବେ ଭାରତକୁ ପାଲଟା ଧମକ ମଧ୍ୟ ଦେଉଛନ୍ତି। କିନ୍ତୁ ସବୁଚେଷ୍ଟା ସତ୍ତ୍ୱେ ବାସ୍ତବତାକୁ ସେମାନେ ଲୁଚାଇପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନିୟମିତ ଭାବେ ବୟାନ ଦେଇଆସୁଛନ୍ତି ଯେ, ପହଲଗାମ୍ ଦୋଷୀ ଏବଂ ସେମାନଙ୍କ ପଛରେ ଥିବା ବ୍ୟକ୍ତିବିଶେଷଙ୍କୁ କଦାପି ଛଡାଯିବ ନାହିଁ। ବିହାରର ମଧୁବନ୍ ଅଞ୍ଚଳରୁ ମଧ୍ୟ ଦିନକ ପୂର୍ବେ ମୋଦୀ ରଣହୁଂକାର ଦେଇ କହିଥିଲେ ଯେ, ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ, ସେମାନଙ୍କ ସଂଗଠନ ଏବଂ ସେମାନଙ୍କ ପୃଷ୍ଠପୋଷକତାକାରୀଙ୍କୁ ମାଟିରେ ମିଶାଇ ଦିଆଯିବ। ମୋଦୀ କହିଥିଲେ ଯେ କେବଳ ପହଲଗାମ୍ ଆକ୍ରମଣର ଦୋଷୀ ମାନଙ୍କୁ ନୁହେଁ ସେମାନଙ୍କ ପ୍ରାୟୋଜକମାନଙ୍କୁ କଠୋର ଦଣ୍ଡ ଦିଆଯିବ। ତେବେ ସମସ୍ତେ ଜାଣିଛନ୍ତି ଯେ, ଆତଙ୍କବାଦର ପ୍ରାୟୋଜକ ଓ ପ୍ରେତ୍ସାହକ ହେଉଛି ପାକ୍ ସେନା ଓ ଆଇଏସ୍ଆଇ୍।