22.1 C
Bhubaneswar
Sunday, February 15, 2026
Homeଓଡିଶାପୁରନ୍ଦର ମିଶ୍ରଙ୍କର 'ସିନ୍ଦୂର ପାର୍କ' ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ପୁରନ୍ଦର ମିଶ୍ରଙ୍କର ‘ସିନ୍ଦୂର ପାର୍କ’ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ରାୟପୁର/ଭୁବନେଶ୍ବରତା: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାୟପୁର ନଗରୀ ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କ ଦ୍ୱାରା ସ୍ଥାପିତ ସିନ୍ଦୂର ପାର୍କ, ଗୋଲଡେନ୍ ବୁକ ଅଫ ୱାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଥିବା ଜଣାଯାଇଛି। ମହାସମୁନ୍ଦ ଅନ୍ତର୍ଗତ ବସନା ବ୍ଲକର ଦୁର୍ଗାପାଲି ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଅବସ୍ଥିତ ଏହି ସୁନ୍ଦର ଓ ସୁରମ୍ୟ ପାର୍କକୁ ନିକଟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉଦଘାଟନ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ, ପ୍ରଧାନ କର୍ତ୍ତା ପୁରନ୍ଦର ମିଶ୍ର ଏବଂ ଅନ୍ୟାନ୍ୟ ଅତିଥିମାନେ ଏଠାରେ ମା’ଙ୍କ ନାମରେ ଗଛଟିଏ ଅଭିଯାନ ଅନ୍ତର୍ଗତ ଦୁଇଶହ ଏକାବନଟି ସିନ୍ଦୂର ଚାରା ରୋପଣ କରିଥିଲେ। ଶ୍ରୀ ମିଶ୍ରଙ୍କର ପୈତୃକ ଗ୍ରାମ ଦୁର୍ଗାପାଲିଠାରେ ୨୨୫ ଡିସିମିଲ ଜମି ଉପରେ ପହଲଗାମର ଶହୀଦ ଏବଂ ଅପରେସନ ସିନ୍ଦୂରର ସ୍ମୃତି ଉଦ୍ଦେଶ୍ୟରେ ଏହି ପାର୍କ ନିର୍ମାଣ କରାଯାଇଛି। ଶ୍ରୀ ମିଶ୍ର ପାର୍କ ପରିମିତ ଜମିକୁ କ୍ରୟ କରି ବିଦ୍ୟାଳୟ ଉଦ୍ଦେଶ୍ୟରେ ଦାନ କରିଛନ୍ତି। ଆଗାମୀ ଦିନରେ ଏହି ପାର୍କରେ ଆହୁରି ୨୫୦ ଟି ସିନ୍ଦୂର ଚାରା ରୋପଣ କରାଯାଇ ଏଠାକାର
ବୃକ୍ଷର ସଂଖ୍ୟାକୁ ୫୦୧ କୁ ବୃଦ୍ଧି କରାଯିବାର ଯୋଜନା ରହିଥିବା ଜଣାଯାଇଛି ।

ଏହି ପାର୍କ, ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ଓ ଭବିଷ୍ୟତ ପୀଢ଼ିକୁ ଦେଶପ୍ରେମରେ ଉଦବୁଦ୍ଧ ହେବା ସହିତ ରାଷ୍ଟ୍ର ପ୍ରତି ସମର୍ପଣ ଭାବ ଜାଗ୍ରତ କରିବା ଦିଗରେ ପ୍ରେରଣା ଯୋଗାଇବ ବୋଲି ସମାବେଶକୁ ସମ୍ବୋଧନ କରି ଆୟୋଜନର ମୁଖ୍ୟ ପୁରୋଧା ପୁରନ୍ଦର ମିଶ୍ର ପ୍ରକାଶ କରିଛନ୍ତି। ଏଠାକାର ପ୍ରତ୍ୟେକ ବୃକ୍ଷ ମା’ମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ହେବ ବୋଲି ଶ୍ରୀ ମିଶ୍ର ଦର୍ଶାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ତାଙ୍କର ଭାଷଣରେ ଏହା କେବଳ ଏକ ସାମାନ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନୁହେଁ ବରଂ ମାତୃତ୍ୱ ପ୍ରତି ମମତା, ବଳିଦାନର ସ୍ମରଣ ଏବଂ ପରିବେଶ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ଉତ୍ସର୍ଗୀକୃତ ପ୍ରୟାସ ବୋଲି ସୂଚାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପହଲଗାମ ଆକ୍ରମଣରେ ଶହୀଦ ହୋଇଥିବା ଦିନେଶ ନିରାନିଆଙ୍କ ପତ୍ନୀ ନେହା ଅଗ୍ରୱାଲ ଏବଂ ପୁତ୍ର ସୂର୍ଯ୍ୟ ଅଗ୍ରୱାଲଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ସାଏ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟକୁ ପୁରନ୍ଦର ମିଶ୍ରଙ୍କର ଜେଜେବାପାଙ୍କର ସ୍ମୃତିକୁ ସମ୍ମାନ ଜଣାଇ ପଣ୍ଡିତ ତ୍ରିଲୋଚନ ପ୍ରସାଦ ମିଶ୍ରଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଛତିଶଗଡ଼ର ରାଜସ୍ଵ ମନ୍ତ୍ରୀ ଟଙ୍କ ରାମ ବର୍ମା, ରାଜ୍ଯ ଭାଜପା ସଭାପତି କିରଣ ସିଂହଦେଓ, ସଙ୍ଗଠନ ମହାମନ୍ତ୍ରୀ ଅଜୟ ଜାମୱାଲ, ବିଧାୟକ ସମ୍ପତ ଅଗ୍ରୱାଲ, ବିଧାୟିକା ଚାତୁରୀ ନନ୍ଦ, ରାୟପୁର ନଗର ନିଗମର ମେୟର ମୀନାଲ ଚୌବେ, ରାଜ୍ଯ ବିହନ ନିଗମର ଅଧ୍ୟକ୍ଷ ଚନ୍ଦ୍ରହାସ ଚନ୍ଦ୍ରାକର ଏବଂ ମହିଳା ଆୟୋଗର ଅଧ୍ୟକ୍ଷା ସାରଲା କୋଶରିଆ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ପୁରନ୍ଦର ମିଶ୍ର ସମସ୍ତ ଅତିଥି ଅଭ୍ୟାଗତଙ୍କୁ ପାରମ୍ପରିକ ଢଙ୍ଗରେ ଧାନ ପାତ୍ର ଏବଂ ଛତିଶଗଡ଼ି ଓଡ଼ିଆ ବ୍ୟଞ୍ଜନ ଅର୍ପଣ କରି ସ୍ଵାଗତ ସମ୍ଭାଷଣ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking