ଚେନ୍ନାଇ : ପାଞ୍ଚ ଥରର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ପ୍ରଥମ ଟିମ୍ ଭାବେ ଚଳିତ ଆଇପିଏଲ୍ର ପ୍ଲେଅଫ୍ ରେସ୍ରୁ ବାଦ୍ ପଡ଼ିଛି। ବୁଧବାର ସ୍ଥାନୀୟ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୪୯ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଚେନ୍ନାଇକୁ ୪ ୱିକେଟ୍ରେ ହରାଇ ଦେଇଛି। ପ୍ରଥମେ ଚେନ୍ନାଇ ୧୯.୨ ଓଭର୍ରେ ୧୯୦ ରନ୍ କରିଥିଲା। ଜବାବରେ ପଞ୍ଜାବ ୬ ୱିକେଟ୍ ହରାଇ ୧୯.୨ ଓଭର୍ରେ ଲକ୍ଷ୍ୟ ହାସଲ କରିନେଇଛି। ଏହା ୧୦ ମ୍ୟାଚ୍ରେ ଚେନ୍ନାଇର ଅଷ୍ଟମ ପରାଜୟ। ଅନ୍ୟପକ୍ଷରେ ଏହି ବିଜୟ ସହ ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବଲ୍ର ଦ୍ୱିତୀୟ ସ୍ଥାନକୁ ଉଠିଛି।
୧୯୧ ରନ୍ର ପିଛା କରୁଥିବା ପଞ୍ଜାବ ପକ୍ଷରୁ ଦୁଇ ଓପ୍ନର୍ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମ୍ରନ୍ ସିଂହ ୪୪ ରନ୍ ଯୋଡ଼ିଥିଲେ। ତେବେ ୫ମ ଓଭର୍ରେ ପ୍ରିୟାଂଶୁଙ୍କୁ ଆଉଟ୍ କରି ଖଲିଲି ଅହମଦ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ପ୍ରିୟାଂଶ ୧୫ ବଲ୍ରେ ୫ ଚୌକା ସହାୟତାରେ ୨୩ ରନ୍ କରିଥିଲେ। ଏହାପରେ କ୍ୟାପ୍ଟେନ୍ ଶ୍ରେୟସ୍ ଆୟର ଓ ପ୍ରଭସିମ୍ରନ୍ଙ୍କ ମଧ୍ୟରେ ୭୨ ରନ୍ର ପାର୍ଟନରଶିପ୍ ହୋଇଥିଲା। ୧୩ଶ ଓଭର୍ରେ ପ୍ରଭସିମ୍ରନ୍ ୫୪ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ୩୬ ବଲ୍ର ଇନିଂସ୍ରେ ୫ ଚୌକା ଓ ୩ ଛକା ସାମିଲ ଥିଲା। ଏହାପରେ ନେହାଲ୍ ୱଧେରା (୫) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଗୋଟିଏ ପଟେ ତିଷ୍ଠିରହି ୩୨ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିବା ଶ୍ରେୟସ୍ ୧୯ତମ ଓଭର୍ରେ ୭୨ ରନ୍ କରି ମାଥିଶା ପାଥିରାନାଙ୍କ ଶିକାର ହୋଇଥିଲେ। ତାଙ୍କ ୪୧ ବଲ୍ର ଧଆଁଧାର ଇନିଂସ୍ରେ ୫ ଚୌକା ୪ ଛକା ସାମିଲ ଥିଲା। ଶଶାଙ୍କ ସିଂହ ୨୩ ଓ ସୂର୍ଯ୍ୟାଂଶ ଶେଗ୍ଡେ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ମାର୍କୋ ଜାନ୍ସେନ୍ ଚୌକା ମାରି ଟିମ୍କୁ ବିଜୟୀ କରାଇଛନ୍ତି। ଚେନ୍ନାଇ ପକ୍ଷରୁ ଖଲିଲ୍ ଅହମଦ୍ ଓ ମାଥିଶା ପାଥିରାନା ୨-୨ ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ନୁର୍ ଅହମଦ୍ଙ୍କୁ ୧-୧ ସଫଳତା ମିଳିଥିଲା।
ଟସ୍ ହାରି ବ୍ୟାଟିଂ ପାଇଥିବା ଚେନ୍ନାଇ ଆରମ୍ଭ ଭଲ ନଥିଲା ଏବଂ ଟିମ୍ ୪୮ ରନ୍ରେ ୩ଟି ୱିକେଟ୍ ହରାଇଥିଲା। ଶେଖ୍ ରଶିଦ୍ (୧୧), ଆୟୁଷ ମାହାତ୍ରେ (୭) ଓ ରବୀନ୍ଦ୍ର ଜାଡ଼େଜା (୧୭) ୬ ଓଭର୍ ମଧ୍ୟରେ ପ୍ୟାଭିଲିୟନ୍ ଫେରିଥିଲେ। ଏହାପରେ ସାମ୍ କରନ୍ ଓ ଡେଭାଲ୍ଡ ବ୍ରେଭିସ୍ ଇନିଂସ୍ ସମ୍ଭାଳି ୭୮ ରନ୍ର ପାର୍ଟନରଶିପ୍ କରିଥିଲେ। ତେବେ ବ୍ରେଭିସ୍ ୩୨ ରନ୍ କରିଥିବା ବେଳେ ଅଜମତୁଲ୍ଲାହଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ମାତ୍ର ସାମ୍ କରନ୍ ଗୋଟିଏ ପଟେ ତିଷ୍ଠିତ ରହିଥିଲେ। ୩୦ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୮ତମ ଓଭର୍ରେ ତାଙ୍କ ୱିକେଟ୍ର ପତନ ଘଟିଥିଲା। ସାମ୍ କରନ୍ ବିସ୍ଫୋରକ ଇନିଂସ୍ ଖେଳି ୪୭ ବଲ୍ରେ ୯ ଚୌକା ଓ ୪ ଛକା ସହାୟତାରେ ୮୮ ରନ୍ କରିଥିଲେ। ଆଉଟ୍ ପୂର୍ବରୁ ଶିଭମ୍ ଦୁବେ (୬)ଙ୍କ ସହ ସେ ୪୬ ରନ୍ର ପାର୍ଟନରଶିପ୍ ମଧ୍ୟ କରିଥିଲେ। ତେବେ ଏହାପରେ ୧୯ତମ ଓଭର୍ରେ ୟୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ୍ ସହ ୪ ୱିକେଟ୍ ନେଇଥିଲେ। ୧୯ତମ ଓଭର୍ରେ ଧୋନି (୧୧), ଦୀପକ ହୁଡ୍ଡା (୨), ଅଂଶୁଳ କମ୍ବୋଜ (୦) ଓ ନୁର୍ ଅହମ୍ମଦ (୦) ଆଉଟ୍ ହୋଇଥିଲେ। ଫଳରେ ଚେନ୍ନାଇ ଟିମ୍ ପୂରା ୨୦ ଓଭର୍ ମଧ୍ୟ ଖେଳିପାରି ନଥିଲା ଏବଂ ୧୯୦ ରନ୍ରେ ସୀମିତ ହୋଇଯାଇଥିଲା। ଚହଲ୍ଙ୍କ ୪ ୱିକେଟ୍ ବ୍ୟତୀତ ପଞ୍ଜାବ ପକ୍ଷରୁ ଅର୍ଶଦୀପ୍ ସିଂହ ଓ ମାର୍କୋ ଜାନ୍ସେନ୍ ୨-୨ ଏବଂ ହରପ୍ରୀତ୍ ବ୍ରାର୍ ଗୋଟିଏ ୱିକେଟ୍ ନେଇଥିଲେ।