18.1 C
Bhubaneswar
Saturday, December 20, 2025
Homeଖେଳଆସନ୍ତାକାଲି ପଞ୍ଜାବ-ବେଙ୍ଗାଲୁରୁ ଆଇପିଏଲ୍ ଫାଇନାଲ୍

ଆସନ୍ତାକାଲି ପଞ୍ଜାବ-ବେଙ୍ଗାଲୁରୁ ଆଇପିଏଲ୍ ଫାଇନାଲ୍

ଅହମ୍ମାଦାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି (ମଙ୍ଗଳବାର) ଅହମ୍ମାଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ଟାଇଟଲ୍ ଲଢ଼େଇରେ ପଞ୍ଜାବ କିଙ୍ଗ୍‌ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପରସ୍ପରର ସାମ୍ନା କରିବେ। ଦୁଇ ଟିମ୍ ୧୮ ବର୍ଷରେ ଥରେ ବି ଟ୍ରଫି ଜିତି ନାହାନ୍ତି। ଏବେ ଦୁଇ ଟିମ୍ ଏହି ମରୁଡ଼ିରେ ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ଓହ୍ଲାଇବେ ଏବଂ ଆଇପିଏଲ୍‌କୁ ନୂଆ ଚାମ୍ପିଅନ୍ ମିଳିବ।

ଆର୍‌ସିବି ଏବଂ ଟିମ୍‌ର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କ ଏକା ଚତୁର୍ଥ ଫାଇନାଲ୍ ମ୍ୟାଚ୍ ହେବ। ଆର୍‌ସିବି ନିଜର ଗତ ସମସ୍ୟାଗୁଡ଼ିକୁ ପଛରେ ପକାଇ ଚଳିତ ଥର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ରଜତ ପାଟିଦାରଙ୍କ ନେତୃତ୍ୱରେ ଟିମ୍ ଆୱେ ମ୍ୟାଚ୍‌ରେ ଶତପ୍ରତିଶତ ସଫଳତା ହାସଲ କରିଛି। ଟିମ୍ କ୍ୱାଲିଫାୟର୍‌-୧ରେ ପଞ୍ଜାବକୁ ଆଠ ୱିକେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି ଏବଂ ଟିମ୍ ଫାଇନାଲ୍‌ରେ ମଧ୍ୟ ଏହି ପ୍ରଦର୍ଶନ ଦୋହରାଇବା ନିମନ୍ତେ ପ୍ରତିବଦ୍ଧ ରହିବ। କୋହଲି (୬୧୪ ରନ୍‌) ପ୍ରତି ବର୍ଷ ପରି ଚଳିତ ତର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏହି ବର୍ଷ ମଧ୍ୟ ଆର୍‌ସିବି ବ୍ୟାଟିଂ ମୁଖ୍ୟ ସ୍ତମ୍ଭ ରହିଛନ୍ତି। ଚଳିତ ଥର ତାଙ୍କୁ ଅନ୍ୟ ଖେଳାଳିଙ୍କ ଭଲ ସହଯୋଗ ମଧ୍ୟ ମିଳିଛି। ଚଳିତ ଥର କୋହଲିଙ୍କ ବ୍ୟତୀତ ଫିଲ୍ ସଲ୍ଟ ମଧ୍ୟ ଭଲ ସହଯୋଗ କରି ଆର୍‌ସିବିକୁ ଭଲ ଆରମ୍ଭ େଇଛନ୍ତି। ସେହିପରି ମୟଙ୍କ ଅଗ୍ରୱାଲ୍ କ୍ୟାପ୍‌ଟେନ୍ ରଜତ ପାଟିଦାର ଓ ଜିତେଶ ଶର୍ମା ବ୍ୟାଟିଂ କ୍ରମରେ ଭରସାଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି। ଟିମ୍ ଡେଭିଡ୍‌୍ ଆହତ କାରଣରୁ ଟିମ୍‌ର ଗତ ଦୁଇଟି ମ୍ୟାଚ୍ ଖେଳିପାରିନଥିଲେ। ତେବେ ଫାଇନାଲ୍ ମ୍ୟାଚ୍‌ରେ ସେ ଖେଳୁଛନ୍ତି ନାହିଁ ତାହା ଦେଖିବାକୁ ବାକି ରହିଛି। ସେ ରୋମାରିଓ ଶେଫର୍ଡଙ୍କ ସହ ମିଶି ଡେଥ୍ ଓଭର୍‌ରେ ଟିମ୍ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ବୋଲିଂରେ ଶାନ୍ତ ଓ ଧୈର୍ଯ୍ୟବାନ ଜୋଶ୍ ହେଜଲ୍‌ଉଡ୍ (୨୧ ୱିକେଟ୍‌) ଆର୍‌ସିବି ପାଇଁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଆଇପିଏଲ୍‌ର ଚଳିତ ସିଜନ୍‌ରେ ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ସୂଚୀରେ ଏବେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ମୁଲ୍ଲାନ୍‌ପୁରରେ ନିଜର ଘରୋଇ ପଡ଼ିଆରେ ପ୍ରଥମ କ୍ୱାଲିଫାୟର୍‌ରେ ଆର୍‌ସିବିଠାରୁ ମିଳିଥିବା ଶୋଚନୀୟ ପରାଜୟ ସତ୍ତ୍ୱେ ଶ୍ରେୟସ୍ ଆୟର୍‌ଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍‌ସ ଦ୍ୱିତୀୟ କ୍ୱାଲିଫାୟର୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛି। ଟିମ୍ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇକୁ ହରାଇ ୧୧ ବର୍ଷ ପରେ ଫାଇନାଲ୍‌ରେ ପ୍ରବେଶ କରିଛି। ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟାର୍ଦ୍ଧରେ ଳଗାତାର ପଏଣ୍ଟ୍ ଟେବଲ୍ ଶୀର୍ଷରେ ରହିଆସିଥିବା ପଞ୍ଜାବ କ୍ୟାପ୍‌ଟେନ୍ ଆୟର୍ ଏବଂ କୋଚ୍ ରିକି ପଣ୍ଟିଂଙ୍କ ରଣକୌଶଳରେ ମହତ୍ତ୍ୱପୂର୍ଣ୍ଣ ପ୍ରଗତି କରିଛି। ଆୟର୍ (୬୦୩ ରନ୍‌)ଙ୍କ ନେତୃତ୍ୱରେ ଗତ ବର୍ଷ କୋଲ୍‌କାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହୋଇଥିଲା। ଲଗାତାର ଦ୍ୱିତୀୟ ଥର ଆଇପିଏଲ୍ ଫାଇନାଲ୍‌ରେ ପହଞ୍ଚିବା ଏକ ଏପରି ନେତୃତ୍ୱକର୍ତ୍ତା ଭାବେ ତାଙ୍କ କ୍ଷମତା ସମ୍ପର୍କରେ ବହୁତ କିଛି କହୁଛି। ଏହି ଫର୍ମାଟ୍‌ରେ ସେ ନିଜ ଖେଳାଳିମାନଙ୍କ ସୁନ୍ଦର ଭାବେ ସଂଗଠିତ କରିପାରିଛନ୍ତି। ଆୟର୍ ଟୁର୍ଣ୍ଣାମେଣ୍ଟ୍‌ର ୧୮ ବର୍ଷର ଇତିହାସରେ ଏକମାତ୍ର କ୍ରିକେଟର୍ ଯିଏ େଆଇପିଏଲ୍ ଫାଇନାଲ୍‌ରେ ଭିନ୍ନ ଭିନ୍ନ ତିନିଟି ଟିମ୍‌ର ନେତୃତ୍ୱ ନେଇଛନ୍ତି। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ଟିମ୍‌।

ପ୍ରଭସିମ୍‌ରନ୍ ସିଂହ, ଜୋଶ୍ ଇଙ୍ଗ୍‌ଲିଶ୍‌, ପ୍ରିୟାଂଶ ଆର୍ଯ୍ୟ ଓ ଶଶାଙ୍କ ସିଂହଙ୍କ ପରି ଆୟର୍‌ଙ୍କ ସାଥ୍ ଦେବା ପାଇଁ ପଞ୍ଜାବ କିଙ୍ଗ୍‌ସ ନିକଟରେ ଉନ୍ନତ ବ୍ୟାଟର୍ ରହିଛନ୍ତି, ଯାହା ଫଳରେ ସେ ନିଜ ସ୍ଥିତି ମଜଭୁତ କରିବା ସହିତ ବିପକ୍ଷ ଟିମ୍ ଉପରେ ଆକ୍ରାମଣାତ୍ମକ ହମ୍‌ଲା ମଧ୍ୟ କରିପାରିବେ। ମାର୍କୋ ଜାନ୍‌ସେନ୍‌ଙ୍କ ବିନା ପଞ୍ଜାବ ବୋଲିଂ କିଛିଟା ଦୁର୍ବଳ ହୋଇଥିଲେ ମଧ୍ୟ ବ୍ୟାଟିଂ ଅନୁକୂଳ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପୂରା ଇନିଂସ୍‌ରେ ରୋକି ରଖିବାରୁ ଜଣାଯାଉଛି ଟିମ୍‌ର ଆକ୍ରମଣ ସେତେ ଦୁର୍ବଳ ନୁହେଁ। ୟୁଜବେନ୍ଦ୍ର ଚହଲ୍ ଆହତ କାରଣରୁ ଦ୍ୱିତୀୟ କ୍ୱାଲିଫାୟର୍‌ରେ ନିଜର ସର୍ବଶ୍ରେଷ୍ଠ ଫର୍ମରେ ନଥିଲେ ମଧ୍ୟ ନିଜ ପୂର୍ବତନ ଫ୍ରାଞ୍ଚାଇଜି ବିପକ୍ଷରେ ପଞ୍ଜାବ ତାଙ୍କଠାରୁ ଭଲ ପ୍ରଦର୍ଶନର ଆଶା ରଖିବ। ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା। ତେବେ ଫାଇନାଲ୍ ପାଇଁ ଅତିରିକ୍ତ ଏକ ଘଣ୍ଟା ଯୋଡ଼ାଯାଇ ମ୍ୟାଚ୍ ଆରମ୍ଭ ଅବଧିକୁ ୧୨୦ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ତଥା ଫାଇନାଲ୍ ପାଇଁ ଏକ ରିଜର୍ଭ ଦିନ ମଧ୍ୟ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking