26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶନିତିନ ଗଡ଼କରୀଙ୍କ ବଡ଼ ଖୁଲାସା; ବିରୋଧୀ ଯାଚିଥିଲେ ପ୍ରଧାନମନ୍ତ୍ରୀ ପଦ

ନିତିନ ଗଡ଼କରୀଙ୍କ ବଡ଼ ଖୁଲାସା; ବିରୋଧୀ ଯାଚିଥିଲେ ପ୍ରଧାନମନ୍ତ୍ରୀ ପଦ

ନାଗପୁର: କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ ଆଜି ଏକ ବଡ଼ ଖବର ଉପରୁ ଖୁଲାସା କରିଛନ୍ତି । ଗଡକରୀ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ପକ୍ଷରୁ କୁଆଡେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ମନା କରିଦେଇଥିଲେ । ନାଗପୁରରେ ସାମ୍ବାଦିକମାନଙ୍କୁ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ (ବିଦର୍ଭ ଗୌରବ ସାମ୍ବାଦିକତା ମହୋତ୍ସବ)ରେ ଯୋଗଦେବା ଅବସରରେ ଗଡ଼କରୀ ନିଜେ ଏହି କଥା ପ୍ରଘଟ କରିଛନ୍ତି । ବିଜେପି ପ୍ରତି ତାଙ୍କର ଆନୁଗତ୍ୟ ରହିଥିବାରୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ନିଜ ନୀତି ଓ ଆଦର୍ଶ ସହ କଦାପି ସାଲିସ କରିବେ ନାହିଁ ବୋଲି ସେ କୁଆଡେ ବିରୋଧୀଙ୍କୁ ସେତେବେଳେ ଉତ୍ତର ଦେଇଥିଲେ ।

ଗଡ଼କରୀଙ୍କ କହିବାନୁସାରେ ସେ ବିରୋଧୀ ଦଳରେ ମିଶିଥିଲେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥାଆନ୍ତା । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ତାଙ୍କ ଜୀବନର ଲକ୍ଷ୍ୟ ନୁହେଁ, ବରଂ ତାଙ୍କ ଆଦର୍ଶ ସଂଗଠନ ପ୍ରତି ନିଷ୍ଠାପର । କୌଣସି ପଦବୀ ହାସଲ କରିବା ଲାଗି ସେ ନିଜ ଆଦର୍ଶ ସହ ବୁଝାମଣା କରିପାରିବେ ନାହିଁ । ତାଙ୍କ ପାଇଁ ତାଙ୍କ ପ୍ରତିବଦ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତାଙ୍କୁ ପ୍ରସ୍ତାବ ଦେଇଥିବା ସେହି ବିରୋଧୀ ନେତାଙ୍କ ସମ୍ପର୍କରେ ଗଡ଼କରୀ ବିଶେଷ କିଛି ସୂଚନା ଦେବାକୁ ମନା କରିଦେଇଛନ୍ତି । ନାଗପୁରରୁ ସାଂସଦ ଥିବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗଡ଼କରୀଙ୍କୁ ସମର୍ଥନ କରିବା ଲାଗି ଅଫର ଦେଇଥିଲେ ବିରୋଧୀ ଦଳର ଜଣେ ବରିଷ୍ଠ ରାଜନେତା । ଏହି ବିରୋଧୀ ରାଜନେତାଜଣକ ତାଙ୍କ ପାଖକୁ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରତିନିଧି ହୋଇଯାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ପଦର ପ୍ରସ୍ତାବ ରଖିଥିଲେ ।

ଯଦି ସେ (ଗଡକରୀ) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ରୁହନ୍ତି ତେବେ ଇଣ୍ଡି ମେଣ୍ଟ ତାଙ୍କୁ ସମର୍ଥନ କରିବ ବୋଲି ବିରୋଧୀ ଦଳର ସେହି ନେତାଜଣକ ତାଙ୍କୁ କହିଥିଲେ । କିନ୍ତୁ ଗଡକରୀ, ସେତେବେଳେ ସେହି ବିରୋଧୀ ନେତାଙ୍କୁ ପ୍ରଶ୍ନ କରିଥିଲେ ଯେ, “କାହିଁକି ତୁମେ ମୋତେ ସମର୍ଥନ କରୁଛ ଏବଂ ମୁଁ କାହିଁକି ତୁମ ସମର୍ଥନକୁ ଗ୍ରହଣ କରିବି?” ଏହା କହି ଗଡ଼କରୀ କୁଆଡେ ଉକ୍ତ ନେତାଙ୍କ ଅଫରକୁ ମନା କରିଦେଇଥିଲେ । ପ୍ରକାଶ, ନିର୍ବାଚନ ପୂର୍ବରୁ ଗଡ଼କରୀଙ୍କୁ ଇଣ୍ଡି ମେଣ୍ଟ ସର୍ବଦା ପ୍ରଶଂସା କରିଆସୁଥିବା ଦେଖିବାକୁ ମିଳିଥିଲା । ଗଡକରୀଙ୍କ ଏପ୍ରକାର ବୟାନ୍ ଆସିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏସବୁ ମଧ୍ୟରେ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସଞ୍ଜୟ ରାଉତ କହିଛନ୍ତି, କେବଳ ବଳିଦାନ ଦ୍ୱାରା ସ୍ୱାଧୀନତା ରକ୍ଷା ପାଇବ ଏବଂ ଯଦି କୌଣସି ବିରୋଧୀ ଦଳର ନେତା ଏପରି ଅଫର ଦେଇଥିବେ, ତେବେ ସେଥିରେ କିଛି ଭୁଲ୍ ନାହିଁ ।

ସଞ୍ଜୟଙ୍କ କହିବାନୁସାରେ, ଗଡକରୀ ବିଜେପିର ସର୍ବଭାରତୀୟସ୍ତରରେ ଜଣେ ଗ୍ରହଣୀୟ ନେତା । ଏଥିପାଇଁ ତାଙ୍କୁ କେହି ପ୍ରଧାନମନ୍ତ୍ରୀ ପଦ ପ୍ରସ୍ତାବ କରିବା ଏବଂ ଦଳ ଭଙ୍ଗା ନୀତିରେ ତାଙ୍କୁ ସାମିଲ ହେବା ପାଇଁ କହିବା କଥାକୁ ସହଜରେ ଗ୍ରହଣ କରାଯାଇପାରୁନି । ତଥାପି ସେ ଏକଥା କହୁଛନ୍ତି ଯଦି କିଛି ତ ନିଶ୍ଚିତ ଭାବେ ସତ୍ୟତା ଥିବ । ଦେଶରେ ଏକଛତ୍ରବାଦୀ ଶାସନ କିପରି ଚାଲିଛି ଏବଂ ଗତ ଦଶ ବର୍ଷ ଧରି ଚାଲିଆସୁଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ସମସ୍ତଙ୍କୁ ଜଣା । ଯେଉଁମାନେ ଗଣତନ୍ତ୍ରକୁ ଆଘାତ କରିଛନ୍ତି ସେମାନଙ୍କ ବିରୋଧରେ ଗଡକରୀ ନିୟମିତ ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ସୁତରାଂ ଗଡକରୀଙ୍କ ଭଳି ନେତାଙ୍କୁ ଯଦି ବି କୌଣସି ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିବେ ତେବେ ଏହା ଯୁକ୍ତିଯୁକ୍ତ ବୋଲି କୁହାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking