26.1 C
Bhubaneswar
Monday, December 15, 2025
Homeଦେଶ ବିଦେଶମହିଳାଙ୍କୁ ରାତି ଡ୍ୟୁଟି କରିବାକୁ ବାରଣ ନ କରି ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

ମହିଳାଙ୍କୁ ରାତି ଡ୍ୟୁଟି କରିବାକୁ ବାରଣ ନ କରି ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ସରକାର ମହିଳା କର୍ମଚାରୀଙ୍କ ରାତି ଡ୍ୟୁଟି ବନ୍ଦ କରିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ମହିଳାଙ୍କୁ ରାତି ଡ୍ୟୁଟି ପାଇଁ ବାରଣ କରିବା ବଦଳରେ ସେମାନଙ୍କୁ ସୁରକ୍ଷା ଯୋଗାଇବା ଦିଗରେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏପ୍ରକାର ବିଭ୍ରାନ୍ତିକର ନିର୍ଦ୍ଦେଶ ଦେବା ବଦଳରେ କର୍ମଜୀବୀ ମହିଳା, ଯୁବତୀଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ ପାଇଁ ପ୍ରାଥମିକତା ହେବା ଉଚିତ୍ ବୋଲି ସୋମବାର ଏକ ପିଟିସନ୍ ଉପରେ ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ।
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ମଙ୍ଗଳବାର ଶୁଣାଣି ହୋଇଥିବା ବେଳେ ସିବିଆଇ ପକ୍ଷରୁ ଆଉ ଏକ ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟ ଯାଞ୍ଚ ସମୟରେ ସୁପ୍ରିମକୋର୍ଟ ବିଭିନ୍ନ ଦିଗ ଉପରେ ବିଚାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଯେତେବେଳେ ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ରାତି ଡ୍ୟୁଟି କରିବାକୁ ବାରଣ କରିଥିବା ସମ୍ପର୍କରେ ଅବଗତ ହେଲେ ସେତେବେଳେ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଜେଆଇ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ପ୍ରଶ୍ନ କରିଛନ୍ତି ଯେ, \”ରାଜ୍ୟ ସରକାର ମହିଳାମାନଙ୍କୁ କିପରି ସେମାନେ ରାତିରେ ଡ୍ୟୁଟି କରିପାରିବେ ନାହିଁ ବୋଲି କହିପାରିବେ? ମହିଳା ଡାକ୍ତରଙ୍କ ପାଇଁ କାହିଁକି କଟକଣା ରଖାଯିବ? ସେମାନେ ଏ ମହିଳାମାନେ ବି ରାତି ସିଫ୍ଟରେ କାମ କରିବାକୁ ପ୍ରସ୍ତୁତ କି ନାହିଁ ସେମାନଙ୍କ ପରାମର୍ଶ ରାଜ୍ୟ ସରକାର ନେଇଛନ୍ତି କି? ତେବେ ଖଣ୍ଡପୀଠଙ୍କ ଏପ୍ରକାର ପ୍ରଶ୍ନର ଆଶ୍ୱସ୍ତିଜନକ ଉତ୍ତର ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଡଭୋକେଟ୍ କପିଲ ସିବଲ୍ ଦେଇପାରିନଥିଲେ ।
ଆଜିର ଶୁଣାଣି ପରିପ୍ରେକ୍ଷୀରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ମୃତ ଟ୍ରେନି ଡାକ୍ତରାଣୀ (ପୀଡିତା)ଙ୍କ ଫଟୋ-ନାମ ଆଦି ଡିଲିଟ୍ କରିବାକୁ ୱିକିପିଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଅନୁସାରେ \”ଏବେ ମଧ୍ୟ ପୀଡିତାଙ୍କ ପରିଚୟ ୱିକିପିଡ଼ିଆରେ ଉପଲବ୍ଧ ରହିଛି । ନିୟମ ଅନୁସାରେ ଏହା ବେଆଇନ୍ । ଭାରତୀୟ ଆଇନ ଏହାକୁ ବାରଣ କରେ । ୱିକିପିଡ଼ିଆ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶକୁ ପାଳନ କରିବା ଉଚିତ । ପୀଡିତାଙ୍କ ପରିଚୟ ୱେବ୍‌ସାଇଟରୁ ହଟାଯିବା ଉଚିତ୍ । ସିବିଆଇ ରିପୋର୍ଟ ଯାଞ୍ଚ ସମୟରେ ସୁପ୍ରିମକୋର୍ଟ ୱିକିପଡିଆକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ, ଏହା ପୂର୍ବରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ପୀଡିତାଙ୍କ ଫଟୋ ଓ ନାଁ ସର୍ବସାଧାରଣରେ ପ୍ରକାଶ ପାଇବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏପରିକି ଅପରାଧ ସ୍ଥଳର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାକୁ ନେଇ କୋଲକାତା ପୁଲିସକୁ ତାଗିଦ କରିଥିଲେ । ପୀଡିତାଙ୍କ ପରିଚୟ ବାବଦରେ ସମସ୍ତ ତଥ୍ୟ ସୋଶାଲ ମିଡିଆରୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ସିବିଆଇର ଯାଞ୍ଚ ରିପୋର୍ଟ ସାଙ୍ଘାତିକ ଏବଂ ବିଚଳିତ କଲା ପରି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking