ଭୁବନେଶ୍ୱର: ବିଶିଷ୍ଟ ସମାଜତତ୍ୱବିତ୍ ତଥା ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି ସୋଆ ଡିମ୍ଡ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ ସାଇନସ୍ ରିସର୍ଚ୍ଚ (ଆଇସିଏସ୍ଏସ୍ଆର୍) ସିନିୟର ଫେଲୋ ଭାବେ ଯୋଗ ଦେଇଛନ୍ତି। କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜତତ୍ୱ ସ୍ନାତକୋତର ବିଭାଗର ପ୍ରତିଷ୍ଠାତା ପ୍ରଫେସର ମହାନ୍ତି ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ସମାଜତତ୍ୱରେ ଏମ୍.ଏ. ଉପାଧି ଲାଭ କରିବା ପରେ ମିରଟ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନସଡ ଷ୍ଟଡିଜ୍ରୁ ଏମ୍.ଫିଲ ଓ ପିଏଚ୍ଡି ଲାଭ କରିଥିଲେ। ପରବର୍ତୀ କାଳରେ ସେ ଇଂଲଣ୍ଡ ସ୍ଥିତ ନଟିଂହାମ୍ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଡକ୍ଟରେଟ କରିଥିଲେ। ସେ କ୍ରିମିନୋଲୋଜି, ଅର୍ବାନ ଷ୍ଟଡିଜ୍, ଜେଣ୍ଡର ଓ ଜୁଭେନାଇଲ ଜଷ୍ଟିସ, ଟ୍ରାଇବାଲ ଷ୍ଟଡିଜ ଓ କଲଚରାଲ ହେରିଟେଜ୍ ଏବଂ ଡିଜଆବିଲିଟି ଷ୍ଟଡିଜ ବିଷୟ ଗୁଡିକ ଉପରେ ବିଶେଷ ଅଧ୍ୟୟନ କରିଛନ୍ତି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ମଧ୍ୟ ଲାଭ କରିଛନ୍ତି। ପ୍ରଫେସର ମହାନ୍ତି ୨୦୦୮ ନଭେମ୍ବରରୁ ୨୦୧୬ ଫେବୃୟାରୀ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟେଟ ପୋଲିସ୍ ଏକାଡେମୀରେ କାର୍ଯ୍ୟ କରିଥିଲେ। ଭାରତୀୟ ପୋଲିସ ବ୍ୟବସ୍ଥା, କ୍ରିମିନୋଲଜି ଓ କମ୍ୟୁନିଟି ପୋଲିସିଂ ଉପରେ ତାଙ୍କର ୪ଟି ପୁସ୍ତକ ପ୍ରକାଶ ପାଇଛି। ଏହି ଏକାଡେମୀରେ କାର୍ଯ୍ୟ କରିବା ସମୟରେ ସେ ଆରଟିଆଇ ବ୍ୟବସ୍ଥା ଉପରେ ଏକ ଟ୍ରେନିଂ ମାନୁଆଲ୍ ପ୍ରସ୍ତୁତ କରିଥିଲେ। ମାର୍ଚ୍ଚ ୧୯୯୭ରୁ ଅଗଷ୍ଟ ୨୦୦୦ ପର୍ଯ୍ୟନ୍ତ ସେ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଭାବେ କାର୍ଯ୍ୟ କରିଥିଲେ।










