36.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ୱାର୍ସା:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାର୍ସା ଠାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିଛନ୍ତି । ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ପରେ ଉଭୟ ନେତା ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ । ଭାରତ-ପୋଲାଣ୍ଡ ସମ୍ପର୍କର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନେତାମାନେ ଏହି ସମ୍ପର୍କକୁ ‘ରଣନୈତିକ ଭାଗିଦାରୀ’ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ନିରାପତ୍ତା, ସାଂସ୍କୃତିକ ସହଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ, ସହରାଞ୍ଚଳ ଭିତ୍ତିଭୂମି, ଜଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବୈଦ୍ୟୁତିକ ଯାନ, ସବୁଜ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଏଆଇ, ଖଣି ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅର୍ଥନୈତିକ ଏବଂ ବ୍ୟବସାୟିକ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ବୋଲି ଦୁଇ ନେତା ସହମତ ହୋଇଥିଲେ ।
ଆଲୋଚନା କାଳରେ ୟୁକ୍ରେନ୍ ଏବଂ ପଶ୍ଚିମ ଏସିଆରେ ସଂଘର୍ଷ ସମେତ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ । ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଅନୁଷ୍ଠାନର ସଂସ୍କାର, ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଏବଂ ଆତଙ୍କବାଦ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଉପରେ ସେମାନେ ମତ ବିନିମୟ କରିଥିଲେ । ବୈଠକ ପରେ ଭାରତ-ପୋଲାଣ୍ଡ ରଣନୈତିକ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ପାଇଁ ଏକ ମିଳିତ ବିବୃତି ଏବଂ ଏକ କାର୍ଯ୍ୟ ଯୋଜନା (୨୦୨୪-୨୦୨୮) ଜାରି କରାଯାଇଥିଲା ।
ପ୍ରକାଶ, ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ମୋଦୀଙ୍କ କହିବାନୁସାରେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପାଇଁ ଆଉ ବେଶୀ ଦୂରରେ ନାହିଁ ଭାରତ । ବିଶ୍ୱ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ୧୬% ରହିଥିଲା । ସେହିପରି ପୋଲାଣ୍ଡ ରାଷ୍ଟ୍ରପତି ଡୁଡାଙ୍କ ସହ ମଧ୍ୟ ମୋଦୀ ଦ୍ୱିପାକ୍ଷିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପୋଲାଣ୍ଡ ଗସ୍ତ ସାରି ସେଠାରୁ ୨୩ରେ ୟୁକ୍ରେନ୍ ଯାଇ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି ନରେନ୍ଦ୍ର ମୋଦୀ । ୧୯୭୯ରେ ଶେଷଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଇଥିଲେ ମୋରାରଜୀ ଦେଶାଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking