ନୂଆଦିଲ୍ଲୀ: ସରକାରୀ ନିଯୁକ୍ତି ପାଇଁ ମନୋନୀତ ପ୍ରାୟ ୭୧ହଜାରରୁ ଅଧିକ ଯୁବକଯୁବତୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତି ପତ୍ର ଯୋଗ୍ୟ ପ୍ରାର୍ଥୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳା ଯୋଜନା ଅନ୍ତର୍ଗତ ଯୋଗ୍ୟ ତଥା ମନୋନୀତ ଯୁବପିଢ଼ିଙ୍କୁ ସରକାରୀ ନିଯୁକ୍ତି ପାଇଁ ଗତ ୨ ବର୍ଷ ଧରି ଏପ୍ରକାର ନିଯୁକ୍ତି ପତ୍ର ବଣ୍ଟନ କରାଯାଇଆସୁଛି। ତେବେ ଆଜିର ଏହି ନିଯୁକ୍ତି ପତ୍ର ବଣ୍ଟନ ପ୍ରକ୍ରିୟା ପାଇଁ ଦେଶର ୪୫ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇବା ପୂର୍ବକ ସମ୍ବୋଧିତ କରି କହିଛନ୍ତି, “ତୁମେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛ। ବର୍ଷ ବର୍ଷ ଧରି କରିଥିବା ତୁମ ପରିଶ୍ରମ ଆଜି ସଫଳ ହୋଇଛି। ଭାରତୀୟ ଯୁବପିଢିଙ୍କ ସାମର୍ଥ୍ୟ ଓ ପ୍ରତିଭାର ଉପଯୋଗ ଆମ ସରକାରର ପ୍ରାଥମିକତା ରହିଆସିଛି। ୨୦୨୪ର ଏହି ବିଦାୟୀ ବର୍ଷ ଆପଣଙ୍କ ପାଇଁ ନୂଆ ଖୁସି ନେଇ ଆସୁଛି। ଗତ ୧୦ ବର୍ଷ ହେବ ଏହି ଅଭିଯାନ ଚାଲିଛି। ଏହି ସମୟସୁଦ୍ଧା ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ନିଯୁକ୍ତି ମେଳା ମାଧ୍ୟମରେ ଦେଶର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଦିଗରେ କାର୍ଯ୍ୟ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଯୁଗଗୋଷ୍ଠୀ ସରକାରୀ ଚାକିରି ପାଇଛନ୍ତି, ଯାହା ଏକ ସର୍ବକାଳୀନ ରେକର୍ଡ।” ମୋଦୀ ଜୋର ଦେଇ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତ ସଂକଳ୍ପବଦ୍ଧ, କାରଣ ଦେଶର ନୀତି ଓ ନିଷ୍ପତ୍ତି ଏହାର ପ୍ରତିଭାବାନ ଯୁବକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି। ଗତ ଏକ ଦଶନ୍ଧି ମଧ୍ୟରେ ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି ପଦକ୍ଷେପ ଯୁବବର୍ଗଙ୍କୁ ଆଗରେ ରଖିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ରୋଜଗାର ମେଳା ଭାରତୀୟ ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ସେମାନଙ୍କର ସାମର୍ଥ୍ୟକୁ ଉଜାଗର କରୁଛି। ଆଜି ଭାରତର ଯୁବପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ସବୁ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରୁଛନ୍ତି। ନୂଆ ଭାରତ ଗଠନ ପାଇଁ ଦେଶ ଅନେକ ଦଶନ୍ଧି ଧରି ଆଧୁନିକ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରୁଥିଲା, ଜାତୀୟ ଶିକ୍ଷା ନୀତି (ଏନ୍ଇପି) ମାଧ୍ୟମରେ ଦେଶ ଏବେ ସେହି ଦିଗରେ ଆଗେଇଛି। ଆଜି ଆମ ସରକାରଙ୍କ ନୀତି ଓ ନିଷ୍ପତ୍ତି ଯୋଗୁଁ ଗ୍ରାମୀଣ ଭାରତରେ ମଧ୍ୟ ରୋଜଗାର ଓ ସ୍ୱରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି, କୃଷି କ୍ଷେତ୍ରରେ ବହୁ ସଂଖ୍ୟକ ଯୁବକଯୁବତୀଙ୍କୁ ରୋଜଗାର ମିଳିଛି, ସେମାନେ ନିଜ ପସନ୍ଦର କାମ କରିବାର ସୁଯୋଗ ପାଇଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି ଅବସରରେ ମୋଦୀ ନିଜ କୁଏତ ଗସ୍ତ ଏବଂ ସେଠାରେ କାମ କରୁଥିବା ଭାରତୀୟଙ୍କ ସହ ତାଙ୍କ ଭାବ ବିନିମୟଜନିତ ଅନୁଭୂତି ସମ୍ପର୍କରେ ମଧ୍ୟ କହିଛନ୍ତି। ସେହିପରି ବର୍ତ୍ତମାନ ସମୟରେ ତାଙ୍କ ସରକାରଙ୍କ ପକ୍ଷରୁ ଦେଶର ପ୍ରତ୍ୟେକ ବର୍ଗର ହିତାଧିକାରୀଙ୍କୁ ଆତ୍ମନିର୍ଭରଶୀଳ କରାଯିବା ଲାଗି ଗ୍ରହଣ କରାଯାଇଥିବା ଯୋଜନା ଉପରେ ମଧ୍ୟ ମୋଦୀ କହିଛନ୍ତି।
ଆଜିର ନିଯୁକ୍ତି ପତ୍ର ବଣ୍ଟନ ପ୍ରକ୍ରିୟା ଉପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ମେଳା ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବଳିଷ୍ଠ ପଦକ୍ଷେପ। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ। ଏହି ମେଳା ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣରେ ନିଜକୁ ସଶକ୍ତ କରିବାରେ ବେଶ୍ ସହାୟକ ହେଉଛି। ନବନିଯୁକ୍ତମାନେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ, ଡାକ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ , ଅର୍ଥ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଲାଗି କାମ କରିବେ। ଏହି ନୂତନ ନିଯୁକ୍ତିରେ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଛି। ଯେଉଁଥିରେ ଅନ୍ୟ ପଛୁଆ ଶ୍ରେଣୀର ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଆଜିର ଏହି ୭୧ହଜାର ନିଯୁକ୍ତି ମଧ୍ୟରୁ ୧୧,୩୫୫ ଅର୍ଥାତ୍ ୧୫.୮% ନିଯୁକ୍ତି ଏସ୍ସି ବର୍ଗର ପ୍ରାର୍ଥୀ, ୬୮୬୨ ଅର୍ଥାତ୍ ୯.୫୯% ଏସ୍ଟି ବର୍ଗର ପ୍ରାର୍ଥୀ ସାମିଲ ରହିଛନ୍ତି। ପ୍ରକାଶ, ଆଜିର ଏହି ୭୧ହଜାର ନିଯୁକ୍ତି ମଧ୍ୟରୁ କେବଳ ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ ନିଯୁକ୍ତି ପତ୍ର ମିଳିଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।