ମସ୍କୋ: ଜୟ ଜଗନ୍ନାଥ ସହ ଓଡ଼ିଶାରେ କିଭଳି ପରିବର୍ତ୍ତନ ହେଲା ସେହି କଥା ପ୍ରବାସୀ ଭାରତୀୟଙ୍କୁ ସୁଦୂର ରୁଷରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ଦେଶର ବିକାଶ ସହ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ କହିଥିଲେ । ଆଉ ଏହାରି ଭିତରେ ରଥଯାତ୍ରା ସହ ମହାପ୍ରଭୁଙ୍କ ମହିମାକୁ ମଧ୍ୟ ବଖାଣିଥିଲେ । ନିଜ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ଏଥର ହୋଇଥିବା ନିର୍ବାଚନରେ ୪ଟି ରାଜ୍ୟରେ ଏନଡିଏର ବିଜୟ ହୋଇଛି । ଅରୁଣାଚଳପ୍ରଦେଶ, ସିକିମ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ହୋଇଥିଲା । ଏବେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି, ଜୟ ଜଗନ୍ନାଥ । ମୋଦୀଙ୍କ ମୁହଁରୁ ଜୟ ଜଗନ୍ନାଥ ଶୁଣି ସମବେତ ପ୍ରବାସୀ ଭାରତୀୟମାନେ ଜୟ ଜଗନ୍ନାଥ ବୋଲି କହିଥିଲେ ।
ଓଡ଼ିଶାରେ ବହୁତ ବଡ ପରିବର୍ତ୍ତନ ହୋଇଛି । ଆଉ ଏଥିପାଇଁ ମୁଁ ଆଜି ଆପଣଙ୍କ ଗହଣରେ ଓଡ଼ିଶାର ଉତ୍ତରୀୟ ପିନ୍ଧି ଆସିଛି । ମହାପ୍ରଭୁଙ୍କ କରୁଣା ଆପଣମାନଙ୍କ ଉପରେ ରହୁ, ଆପଣମାନେ ସୁସ୍ଥ ରୁହନ୍ତୁ ଏତିକି କାମନା କରିବି । ଉଲ୍ଲେଖ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତକାଲି ସନ୍ଧ୍ୟାରେ ମସ୍କୋରେ ପହଞ୍ଚିଥିଲେ । ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରୁଷ୍?ର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋବ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରି ପାଛୋଟି ନେଇଥିଲେ । ମୋଦୀ ମସ୍କୋର କାର୍ଲଟନ ହୋଟେଲରେ ପହଞ୍ଚିବାପରେ ତାଙ୍କୁ ସେଠାରେ ଅପେକ୍ଷାରତ ଭାରତୀୟ ବଂଶୋଦ୍ଭବମାନେ ଭବ୍ୟ ସ୍ୱାଗତ କରିଥିଲେ । ମୋଦୀ ସେମାନଙ୍କ ସହ କିଛି ସମୟ କଥା ହୋଇଥିଲେ ।