ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରାମୀଣ ନିଯୁକ୍ତି ନୀତିର ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ୱରୂପ ବିକଶିତ ଭାରତ – ରୋଜଗାର ଏବଂ ଆଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ଅର୍ଥାତ୍ ‘ଭିବି-ଜି ରାମ ଜି’ ବିଲ୍ ୨୦୨୫କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ସହିତ ଦେଶର ପ୍ରମୁଖ ଗ୍ରାମୀଣ ରୋଜଗାର ଯୋଜନାରେ ବଡ଼ ପରିବର୍ତ୍ତନର ରାସ୍ତା ପରିସ୍କାର ହୋଇଛି। ଏହି ମଞ୍ଜୁରୀ ପରେ ପ୍ରାୟ ଦୁଇ ଦଶକ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (ମନରେଗା) ଏବେ ନୂଆ ଆଇନରେ ପରିବର୍ତ୍ତିତ ହୋଇଛି, ଯାହାକୁ ସରକାରଙ୍କ ବିକଶିତ ଭାରତ ୨୦୪୭ର ଭିଜନ୍ ସହ ଯୋଡ଼ାଯାଇଛି। ନୂଆ ଆଇନ ଅଧୀନରେ ଗ୍ରାମୀଣ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ ମିଳୁଥିବା ୧୦୦ ଦିନର ରୋଜଗାର ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି। ଯାହା ସଶକ୍ତିକରଣ ଓ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ସହ ଏକ ସମୃଦ୍ଧ, ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଗ୍ରାମୀଣ ଭାରତ ପାଇଁ ମୂଳଦୁଆକୁ ମଜବୁତ କରିବ। ସରକାର ଏହାକୁ ଲାଭର ବିସ୍ତାର ରୂପେ ଦର୍ଶାଇବା ସହିତ କହିଛନ୍ତି, ପୂର୍ବରୁ ୧୦୦ ଦିନର ସୀମା ସର୍ବଦା ନ୍ୟୁନତମ ଗ୍ୟାରେଣ୍ଟି ପରିବର୍ତ୍ତେ ଏକ କଡ଼ା ଅଧିକତମ ସୀମା ଭାବେ କାମ କରୁଥିଲା।
ଫଣ୍ଡିଂ ବ୍ୟବସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ମନରେଗାରେ ଶ୍ରମିକଙ୍କ ମଜୁରୀର ପୂରା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିଲେ। ଏବେ ନୂଆ ‘ଭିବି-ଜି ରାମ୍ ଜି’ ଆଇନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ଫଣ୍ଡିଂ ବ୍ୟବସ୍ଥା କରାଯାଇଛି। ଏହା ଅଧୀନରେ ୬୦:୪୦ ଅନୁପାତରେ ଖର୍ଚ୍ଚ ହେବ। ଏହା ପୂର୍ବରୁ ଉତ୍ତର-ପୂର୍ବ ଏବଂ ହିମାଳୟ କ୍ଷେତ୍ରରେ ଥିବା ରାଜ୍ୟ ପାଇଁ ୯୦:୧୦ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ୭୫:୨୫ ପାଟର୍ନ ଲାଗୁ ଥିଲା। ସରକାରଙ୍କ କହିବା ଅନୁସାରେ ଏହାଦ୍ୱାରା ସହକାରୀ ସଂଘୀୟବାଦ (କୋ-ଅପରେଟିଭ୍ ଫେଡେରାଲିଜମ୍)କୁ ପ୍ରୋତ୍ସାହନ ମିଳିବ ଏବଂ ରାଜ୍ୟଗୁଡ଼ିକର ଦାୟିତ୍ୱ ବୃଦ୍ଧି ପାଇବ।
ନୂଆ ଆଇନ ଅଧୀନରେ ପ୍ରଥମ ଥର ଫସଲ ବୁଣା ଓ ଅମଳର ପିକ୍ ସିଜନ୍ ଅବସରରେ ଗ୍ରାମୀଣ ରୋଜଗାରକୁ ଅଧିକତମ ୬୦ ଦିନ ପର୍ଯ୍ୟନ୍ତ ରୋକାଯାଇ ପାରିିବା ପାଇଁ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଯୁକ୍ତି ଅନୁସାରେ, ଏହା ଦ୍ୱାରା ଚାଷକାର୍ଯ୍ୟର ପ୍ରମୁଖ ସମୟରେ ଶ୍ରମିକଙ୍କ ଉପଲବ୍ଧତା ଜାରି ରହିବ ଏବଂ କୃଷକଙ୍କ ଶ୍ରମିକ ଅଭାବ ଅଭିଯୋଗ ଦୂର ହେବ। କାର୍ଯ୍ୟର ପରିସୀମାକୁ ମଧ୍ୟ ସୀମିତ କରାଯାଇଛି। ଏବେ ରୋଜଗାର ମୁଖ୍ୟ ରୂପେ ଚାରିଟି କ୍ଷେତ୍ର- ଜଳ ସୁରକ୍ଷା, ଆଧାରଗତ ଗ୍ରାମୀଣ ଢାଞ୍ଚା, ଆଜୀବିକା ସହ ସମ୍ପୃକ୍ତ ସଂସାଧନ ଏବଂ ଜଳବାୟୁ ଅନୁକୂଳନରେ ସୀମିତ ରହିବ। ଏଥିରୁ ଉତ୍ପନ୍ନ ପରିସମ୍ପତ୍ତିର ଗୁଣବତ୍ତା ଏବଂ ସ୍ଥାୟୀତ୍ୱ ବଜାୟ ରଖାଯାଇ ପାରିବ ବୋଲି ସରକାର ଦାବି କରିଛନ୍ତି।
ପୂର୍ବରୁ ସଂସଦ ବିକଶିତ ଭାରତ – ରୋଜଗାର ଏବଂ ଆଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ବିଲ୍, ୨୦୨୫ ପାରିତ କରିଥିଲା, ଯାହା ଭାରତର ଗ୍ରାମୀଣ ନିଯୁକ୍ତି ଏବଂ ବିକାଶ ଢାଞ୍ଚାରେ ଏକ ନିର୍ଣ୍ଣାୟକ ସଂସ୍କାର ଆଣିବ। ଏହି ଆଇନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ଏମ୍ଜିଏନ୍ଆରଇଜିଏ) ୨୦୦୫କୁ ଏକ ଆଧୁନିକ ସାମ୍ବିଧାନିକ ଢାଞ୍ଚା ସହିତ ପରିବର୍ତ୍ତିତ କରେ। ଏହା ଗ୍ରାମୀଣ ପରିବାର ପାଇଁ ଆୟ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଶାସନ ଓ ଉତ୍ତରଦାୟିତ୍ୱକୁ ଆଧୁନିକ କରି ମଜୁରୀ ଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ ଏବଂ ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ସହିତ ସଂଯୋଗ କରିବ। ଏହା ଦ୍ୱାରା ଏକ ସମୃଦ୍ଧ ତଥା ସ୍ଥିର ଗ୍ରାମୀଣ ଭାରତ ପାଇଁ ମୂଳଦୁଆ ସ୍ଥାପନ ହେବ। କେନ୍ଦ୍ର ସରକାର ଏହି ଆଇନକୁ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ଅନୁକୂଳ କହୁଥିବା ବେଳେ ବିରୋଧୀ ଦଳଗୁଡ଼ିକର ଏହାର କଡ଼ା ବିରୋଧ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବାକୁ ନେଇ ଆପତ୍ତି ଦର୍ଶାଇଛନ୍ତି। ଏହି ବିଲ୍ ମନରେଗାର ଅଧିକାରୀ ଆଧାରିତ ଭାବନକୁ ଦୁର୍ବଳ କରିବା ସହିକ ସହିତ ଶ୍ରମିକଙ୍କ ଅଧିକାର ସୀମିତ କରିଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।










