ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ ୨୦୦୩ ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୂରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୂରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ ଚଳିତବର୍ଷ ୨୪ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-୨୦୨୬ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ ମାସରେ ୭ଦିନ ଧରି ପାଳିତ ହେବ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ପାଇଁ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ରାମଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରୀକ୍ରମା କାର୍ଯ୍ୟକ୍ରମ ଆଗାମୀ ମାର୍ଚ୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବ।
ସେହିପରି ପ୍ରତିଭା ଚୟନ ପାଇଁ ଅନୁଷ୍ଠିତ ହେଉଥିବା ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ମେଗା ଅଡିସନ କାର୍ଯ୍ୟକ୍ରମ ଏପ୍ରିଲ ୫ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏହି ଅବସରରେ ଆଜି ମହୋତ୍ସବ କମିଟି ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ସଭାପତି ତଥା ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିକଶିତ ବାରିପଦା ତଥା ବିକଶିତ ମୟୂରଭଞ୍ଜ ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ଅବଲୁପ୍ତ ପ୍ରାୟ କଳା ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ବଳାଙ୍ଗୀ ମହୋତ୍ସବର ଭୂମିକା ଅତୁଳନୀୟ ବୋଲି କହିଥିଲେ।










