21.1 C
Bhubaneswar
Thursday, February 19, 2026
Homeଓଡିଶାଦୁର୍ଘଟଣାରେ ଗର୍ଭବତୀଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର

ଦୁର୍ଘଟଣାରେ ଗର୍ଭବତୀଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସହି ସ୍ଥିତ ଭୁଶୁଙ୍ଗା ନିକଟରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ଚମ୍ପୁଆ ବ୍ଲକ ଭଣ୍ଡା ଅଞ୍ଚଳର ମଧୁସ୍ମିତା ମହାନ୍ତ। ସୂଚନା ଅନୁଯାୟୀ, ମଧୁସ୍ମିତା ଓ ତାଙ୍କ ସ୍ୱାମୀ ମନୋରଞ୍ଜନ ମହାନ୍ତ ନିୟମିତ ଗର୍ଭକାଳୀନ ଚିକିତ୍ସା ପାଇଁ ଯୋଡ଼ା ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ ପରୀକ୍ଷା ସାରି ମୋଟରସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଭଦ୍ରାସାହି ନିକଟରେ ଏକ ଦ୍ରୁତଗାମୀ ଅଜଣା ବାହନ ସେମାନଙ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ପ୍ରବଳ ଥିଲା ଯେ ଉଭୟ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ମଧୁସ୍ମିତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ବିଲ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମନୋରଞ୍ଜନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଯିବା ସହ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ବାହନଟି ଫେରାର ଥିବା ବେଳେ ପୁଲିସ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରି ଚାଳକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ସଡ଼କରେ ଭାରି ଖଣିଜ ବାହନର ଅତ୍ୟଧିକ ଚଳାଚଳ ଓ ଦ୍ରୁତଗତି ଦୁର୍ଘଟଣାର ମୂଳ କାରଣ ସାଜିଛି। ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥା କଠୋର କରିବା ସହ ଗତି ନିୟନ୍ତ୍ରଣ ଓ ପୁଲିସ ପ୍ରହରା ବୃଦ୍ଧି ପାଇଁ ଦାବି ହୋଇଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking