ପୁଣେ: ଅଧା ରହିଗଲା ସ୍ୱପ୍ନ । ନା ପୁରା ହେଲା ଆଶା , ନା ରହିଲା ଜୀବନ । ଆର୍ଥିକ ସ୍ଥିତିର ଅଭାବ ଥିବାରୁ ସାତ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ପୁଣେରୁ ଆସିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି । ସୂଚନା ଅନୁସାରେ , ୭ ମାସର ଗର୍ଭବତୀ ତନିଶା ଯେତେବେଳେ ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିଲେ, ସେତେବେଳେ ତାଙ୍କ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ତନିଷାଙ୍କ ସ୍ୱାମୀ କହିଛନ୍ତି । ୨.୫ ଲକ୍ଷ ଟଙ୍କା ଦେବାକୁ ପରିବାର ଲୋକେ ରାଜି ଥିଲେ ମଧ୍ୟ ଡାକ୍ତର ସଫା ସଫା ମନା କରିଦେଇଥିଲେ । ତନିଷା ଜାଆଁଳା ଶିଶୁ ଜନ୍ମ କରିଥିଲେ । ସେତେବେଳେ ତାଙ୍କୁ ଜରୁରୀ ଚିକିତ୍ସାର ଆବଶ୍ୟକ ଥିଲା । କିନ୍ତୁ ଡାକ୍ତର ମନା କରିବା ପରେ ସେ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଭାବିଲେ । ସମୟର ବିଳମ୍ବ ହେତୁ ତନିଷାଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ହେଲେ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ଜୀବନ ଅପେକ୍ଷା ଏଠାରେ ଟଙ୍କାକୁ ବେଶି ପ୍ରାଥମିକତା ଦେଉଛନ୍ତି । ଯଦି ଠିକ ସମୟରେ ଟଙ୍କା ଦେଇ ଦିଅନ୍ତୁ ତେବେ ମୋ ସ୍ତ୍ରୀ ବଞ୍ଚି ଯାଆନ୍ତେ । ଏହି ସମୟରେ ଡେପୁଟି କମିଶନର ସମ୍ଭାଜୀ କଦମ କହିଛନ୍ତି , ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଏହାର ତଦନ୍ତ କରାଯାଇ କାଯ୍ୟାନୁଷ୍ଠାନ ନିଆଯିବ ।