ଭୁବନେଶ୍ୱର: ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି। ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରୟାଗ ରାଜ୍ ତ୍ରିବେଣୀ ସଂଗମରେ ସ୍ନାନ କରିବା ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ। ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାରତର ଆତ୍ମିକ ଉତ୍ତରଣରେ ପ୍ରଧାନମନ୍ତ୍ରୀଙ୍କର ଗୃରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଦୂରଦୃଷ୍ଟି ଓ ମହାନ୍ ଦୃଷ୍ଟିକୋଣ ଯୋଗୁ ଦେଶର ଛୋଟ ଛୋଟ ଗାଁ ରୁ ବଡ଼ ବଡ଼ ସହର ପର୍ଯ୍ୟନ୍ତ ସମସ୍ତେ ଭାରତୀୟତାର ମହାନ୍ ଅନୁଭବରେ ଉଦବୁଦ୍ଧ ହୋଇଛନ୍ତି। ତାଙ୍କ ପ୍ରେରଣାରେ ଦେଶ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହିତ ଫୋନ ଯୋଗେ କଥାହୋଇ ଏଭଳି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ୍ ଦେଇଥିଲେ। ଉତ୍ତରପ୍ରଦେଶର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସତିଶ ଶର୍ମାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଦେଇଛନ୍ତି। ଶ୍ରୀ ଶର୍ମା ପ୍ରୟାଗରାଜ୍ ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ଏବଂ ପବିତ୍ର ବୁଡ଼ ଓ ପୂଜା ସମୟରେ ତାଙ୍କ ସହିତ ରହିଥିଲେ।









