24.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶନୂଆ ଦଳ ‘ଜନ ସୁରଜ’ର ଶୁଭାରମ୍ଭ କଲେ ପ୍ରଶାନ୍ତ କିଶୋର

ନୂଆ ଦଳ ‘ଜନ ସୁରଜ’ର ଶୁଭାରମ୍ଭ କଲେ ପ୍ରଶାନ୍ତ କିଶୋର

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭଳି ଅନେକ ଦିଗ୍‌ଗଜ ନେତାମାନଙ୍କ ପାଇଁ ରାଜନୈତିକ ପରାମର୍ଶଦାତା ରହିସାରିଥିବା ପୂର୍ବତନ ନିର୍ବାଚନ ବିଶ୍ଳେଷକ ପ୍ରଶାନ୍ତ କିଶୋର ବୁଧବାର ନିଜ ନୂଆ ରାଜନୈତିକ ଦଳ ‘ଜନ ସୁରଜ ପାର୍ଟି’ର ଶୁଭାରମ୍ଭ କରିଛନ୍ତି । ବିହାରରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ପ୍ରଶାନ୍ତ କହିଛନ୍ତି । ବୁଧବାର ପାଟଣାସ୍ଥିତ ପ୍ରାଣୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଉପସ୍ଥିତିରେ ପ୍ରଶାନ୍ତ କିଶୋର ନିଜ ଦଳର ଶୁଭାରମ୍ଭ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରସାଦ ଯାଦବ, ରାଜନେତା ପବନ ବର୍ମା ଏବଂ ପୂର୍ବତନ ସାଂସଦ ମୋନାଜିର ହସନ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଶାନ୍ତ କହିଛନ୍ତି, ଗତ ୨/୩ ବର୍ଷ ହେବ ଦଳର ପ୍ରଚାର ଅଭିଯାନ ଚାଲିଆସୁଛି । ଲୋକମାନେ ପଚାରି ଆସୁଥିଲେ ଦଳ କେବେଠାରୁ ସକ୍ରିୟ ହେବ । ଆଜି ସେ ଦିନ ଆସିଛି । ଆନୁଷ୍ଠାନିକ ଭାବେ ନିର୍ବାଚନ ଆୟୋଗ ତାଙ୍କ ଦଳ ‘ଜନ ସୁରଜ୍ ପାର୍ଟି’କୁ ଅନୁମୋଦନ ଦେଇଛନ୍ତି ।

ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରଶାନ୍ତ କିଶୋର, ବିହାରରେ ଡୋର୍ ଟୁ ଡୋର କ୍ୟାମ୍ପେନ୍ କରିବା ଦେଖିବାକୁ ମିଳିଥିଲା । ଲୋକଙ୍କ ପାଖକୁ ଯାଇ ସେ ପରିବର୍ତ୍ତନ ପାଇଁ ଭୋଟ୍‌- ଜାତି ଏବଂ ପାରମ୍ପରିକ ନିର୍ବାଚନ ଏଜେଣ୍ଡାରୁ ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣକୁ ବଦଳାଇବା ବିଷୟରେ କଥାବାର୍ତ୍ତା କରୁଥିଲେ । ବିହାରରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିବା ନିର୍ବାଚନ ଏଜେଣ୍ଡା ହେବା ଉଚିତ୍ ବୋଲି ଲୋକଙ୍କ ମଧ୍ୟରେ ସେ ସଚେତନତା ସୃଷ୍ଟି କରିଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କ ରାଜନୈତିକ ଦଳ ‘ଜନ ସୁରଜ’ ବିହାରବାସୀଙ୍କୁ ଏକ ନୂତନ ବିକଳ୍ପ ପ୍ରଦାନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଆସୁଥିଲେ । ବୁଧବାର ବିଧିବଦ୍ଧ ଭାବେ ନିଜ ରାଜନୈତିକ ଦଳ ସମ୍ପର୍କରେ ସୂଚନା ଦେବା ପରିପ୍ରେକ୍ଷୀରେ ପ୍ରଶାନ୍ତ କିଶୋର କହିଛନ୍ତି, “ବିହାରରେ ଗତ ୨୫ ରୁ ୩୦ ବର୍ଷ ମଧ୍ୟରେ ଲୋକମାନେ ଆରଜେଡି କିମ୍ବା ବିଜେପି ପାଇଁ ଭୋଟ୍ ଦେଇଛନ୍ତି । ଏସବୁ ପରମ୍ପରାଗତ ତଥା ବାଧ୍ୟତାମୂଳକ କାର୍ଯ୍ୟ ଶେଷ ହେବା ଉଚିତ୍ । ବିକଳ୍ପ କୌଣସି ରାଜବଂଶର ନୁହେଁ, ବରଂ ଦଳ ଗଠନ କରିବାକୁ ଚାହୁଁଥିବା ଲୋକଙ୍କର ।” ତେବେ ପ୍ରଶାନ୍ତ କିଶୋରଙ୍କ ଏଣ୍ଟ୍ରି ଆଗାମୀ ଦିନରେ ବିହାର ରାଜନୀତିର ଦୃଶ୍ୟପଟ୍ଟ ତଥା ସମୀକରଣ ବଦଳାଇବା ଦିଗରେ ଯଥେଷ୍ଟ ହେବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତପୋଷଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking