30.1 C
Bhubaneswar
Thursday, February 12, 2026
Homeଓଡିଶାପ୍ରାଣନାଥ ପଟ୍ଟନାୟକଙ୍କ ଜୀବନ ସରଳତା, ନୈତିକ ସାହସ ଏବଂ ନିଷ୍ଠାପର ସେବାର ଏକ ଜ୍ୱଳନ୍ତ ଉଦାହରଣ:...

ପ୍ରାଣନାଥ ପଟ୍ଟନାୟକଙ୍କ ଜୀବନ ସରଳତା, ନୈତିକ ସାହସ ଏବଂ ନିଷ୍ଠାପର ସେବାର ଏକ ଜ୍ୱଳନ୍ତ ଉଦାହରଣ: ରାଜ୍ୟପାଳ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରଗତିଶୀଳ ସମାଜବାଦୀ ତଥା ଜନସେବୀ ସ୍ବର୍ଗତଃ ପ୍ରାଣନାଥ ପଟ୍ଟନାୟକଙ୍କର ଜୀବନ ସରଳତା, ନୈତିକ ସାହସ ଏବଂ ଜନସାଧାରଣଙ୍କ ପାଇଁ ନିଷ୍ଠାପର ସେବାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ଅକ୍ଟୋବର ୫ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ରାଜ୍ୟ ପ୍ରାଣନାଥ ସ୍ମୃତି କମିଟି ଦ୍ୱାରା ଆୟୋଜିତ ସ୍ବର୍ଗତଃ ପ୍ରାଣନାଥ ପଟ୍ଟନାୟକଙ୍କର ୫୫ ତମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ସ୍ବର୍ଗତଃ ପ୍ରାଣନାଥ ପଟ୍ଟନାୟକ ଥିଲେ ଏକ ବିରଳ ବହୁମୁଖୀ ପ୍ରତିଭା ଏବଂ ଗଭୀର ବିଶ୍ୱାସର ବ୍ୟକ୍ତିତ୍ୱ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ସ୍ୱାଧୀନତା ପାଇଁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ଜଣେ ରାଜନୈତିକ ଚିନ୍ତକ ଥିଲେ ଯିଏ ସାଧାରଣ ଜନତାଙ୍କ ସପ୍ନକୁ ବହନ କରିଥିଲେ, ଜଣେ ସମାଜ ସଂସ୍କାରକ ଥିଲେ ଯିଏ ପୁରୁଣା କୁସଂସ୍କାର ବିରୋଧରେ ଲଢେଇ କରିଥିଲେ, ଜଣେ ବିଧାୟକ ଥିଲେ ଯିଏ ନୀତିକୁ ସ୍ୱାର୍ଥ ଉର୍ଦ୍ଧ୍ୱରେ ରଖିଥିଲେ, ଜଣେ ଲେଖକ ଥିଲେ ଯିଏ ସମାଜକୁ ଜାଗ୍ରତ କରିବା ପାଇଁ କଲମ ଚାଳନା କରୁଥିଲେ, ଜଣେ ଶିକ୍ଷାବିତ ଥିଲେ ଯିଏ ଜ୍ଞାନର ମଞ୍ଜି ବୁଣିଥିଲେ ଏବଂ ସର୍ବୋପରି ଜଣେ ସାଧାରଣ ଲୋକଙ୍କର ସେବକ ଥିଲେ ଏବଂ ସେମାନଙ୍କ ଆଶା ଆକାଂକ୍ଷା ସହିତ ଗଭୀର ଭାବେ ଜଡ଼ିତ ଥିଲେ। ମହାନତା କେବେ ଧନ ସମ୍ପତ୍ତି କିମ୍ବା ପଦ ପଦବୀ ଦ୍ୱାରା ମପା ଯାଏ ନାହିଁ ବରଂ ତ୍ୟାଗ, ସେବା ଏବଂ ସତ୍ୟ ପାଇଁ ଛିଡା ହେବାର ସାହସ ଦ୍ୱାରା ମପା ଯାଏ । ଏହା ହିଁ ଥିଲା ତାଙ୍କ ଜୀବନର ବୈଶିଷ୍ଟ୍ୟ ବୋଲି ରାଜ୍ୟପାଳ କହିଥିଲେ।

ସ୍ବର୍ଗତଃ ପ୍ରାଣନାଥ ପଟ୍ଟନାୟକଙ୍କର ମୂଲ୍ୟବୋଧ ସାମ୍ପ୍ରତିକ ସମୟ ସହିତ ଗଭୀର ଭାବେ ପ୍ରାସଙ୍ଗିକ ହୋଇ ରହିଛି । ଯଦିଓ ଆମେ ସ୍ୱାଧୀନ ଭାରତରେ ରହୁଛୁ, ଦାରିଦ୍ର୍ୟ ଦୂର କରିବା, ଅସମାନତା ହ୍ରାସ କରିବା, ଗଣତନ୍ତ୍ରକୁ ସୁଦୃଢ କରିବା ଏବଂ ପ୍ରଗତି ପଥରେ କୌଣସି ନାଗରିକ ଯେପରି ପଛରେ ପଡି ନ ରହେ ତାହା ନିଶ୍ଚିତ କରିବା ଆମ ଦାୟିତ୍ୱ । ଏହି ପରିପ୍ରେକ୍ଷୀରେ ପ୍ରାଣନାଥ ପଟ୍ଟନାୟକଙ୍କର ଆଦର୍ଶ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରେ।

ତାଙ୍କ ଜୀବନୀ ଆମକୁ ସ୍ମରଣ କରାଇ ଦିଏ ଯେ ପ୍ରକୃତ ସ୍ୱାଧୀନତା କେବଳ ରାଜନୈତିକ ସ୍ୱାଧୀନତାରେ ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ବିଶେଷ କରି ସବୁଠାରୁ ଦୁର୍ବଳ ବର୍ଗଙ୍କ ସଶକ୍ତିକରଣରେ ରହିଛି । ତାଙ୍କ ଜୀବନୀ ଆମକୁ ମାନବିକ ମର୍ଯ୍ୟାଦା ସ୍ମରଣ କରାଇଦିଏ। ଏକ ଜାତିର ଶକ୍ତି ଏହାର ଶାସକଙ୍କ ଠାରେ ନୁହେଁ ବରଂ ଏହାର ଜନସାଧାରଣଙ୍କ ମଙ୍ଗଳରେ ରହିଛି ବୋଲି ସେ ବିଶ୍ୱାସ କରୁଥିଲେ ଏବଂ କୃଷକ, ଶ୍ରମିକ ଏବଂ ଜନସାଧାରଣଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ସେ ଛିଡା ହୋଇଥିଲେ । ଆଜି ଯେତେବେଳେ ଆମେ ଏକ ସ୍ୱାବଲମ୍ବୀ, ସମାବେଶୀ ନୂତନ ଭାରତ ଗଠନ କରିବାକୁ ଆକାଂକ୍ଷା କରୁଛୁ, ସେତେବେଳେ ତାଙ୍କର ଉଦାହରଣ ଆମର ନୀତି ଏବଂ କାର୍ଯ୍ୟର କେନ୍ଦ୍ରରେ ମାନବିକ ମର୍ଯ୍ୟାଦା ରଖିବାକୁ ଆହ୍ୱାନ ଜଣାଏ ବୋଲି ରାଜ୍ୟପାଳ କହିବା ସହିତ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ନ୍ୟାୟପୂର୍ଣ୍ଣ, ମାନବୀୟ ଏବଂ ପ୍ରଗତିଶୀଳ ଓଡ଼ିଶା ଏବଂ ଶକ୍ତିଶାଳୀ ଭାରତ ଗଠନ ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଲୋକସେବକ ମଣ୍ଡଳ ନୂଆ ଦିଲ୍ଲୀର ଜାତୀୟ ଉପସଭାପତି ଦୀପକ ମାଲବ୍ୟ, ପୂର୍ବତନ ସାଂସଦ, ବିଧାୟକ ତଥା ସମ୍ବାଦ ଓ ଆମ ଓଡ଼ିଶାର ପ୍ରତିଷ୍ଠାତା-ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା କିଟ-କିସ- କିମ୍ସ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟ ପ୍ରାଣନାଥ ସ୍ମୃତି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ବିଶିଷ୍ଟ ଲେଖିକା ଡ଼. ଅର୍ଚ୍ଚନା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଦ୍ୱାରା ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ପ୍ରାଣନାଥ ପୁରସ୍କାର-୨୦୨୫’ ରେ ସମ୍ମାନିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking