ଅଧ୍ୟାତ୍ମିକ ପୃଥିଵୀର ପରିକଳ୍ପନାକୁ ବାସ୍ତବତାର ରୂପ ଦେବାକୁ ଆମର ଚେତନାରେ ପରିବର୍ତ୍ତନ ଆଣିବାକୁ ହେବ – ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ପୁରୁଣା ବଜାରଠାରେ ନବନିର୍ମିତ କାର୍ଯ୍ୟାଳୟ ସୁଖ ଶାନ୍ତି ସରୋବରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁନ୍ଦର, ଅଧ୍ୟାତ୍ମିକ ପୃଥିଵୀର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବାପାଇଁ ଆମର ଚେତନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗିତା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଆୟୋଜିତ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ
ଆଜି ଏପରି ଏକ ଦିନ, ଯାହା କେବଳ ଏହି ଭବ୍ୟ ନୂତନ କୋଠାର ଉଦଘାଟନ ନୁହେଁ, ବରଂ ସାରା ବିଶ୍ୱରେ ଶାନ୍ତି ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିପାଦନ
କରୁଛି । ଏହା ସହ ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ। ସମାଜରେ ଜାଗୃତି ଆଣି ଏକ Holistic Sustainability ପାଇଁ ଏହି ସଂସ୍ଥାର ଉଦ୍ୟମକୁ ପ୍ରଶଂସା କରିବା ସହ ଆଜିର ଏଇ Artificial Intelligence ଯୁଗରେ ସମସ୍ତେ କର୍ମବ୍ୟସ୍ତତା ଭିତରେ କାହା ସହିତ ପଦେ ମନଭରି କଥା ହେବା ପାଇଁ ମଧ୍ୟ ଆମର ବେଳ ନଥିବାରୁ ପାରିବାରିକ ଓ ସାମାଜିକ ସମ୍ପର୍କ ଅବକ୍ଷୟଗାମୀ ହେଉଥିବା ବେଳେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ନୀତି ନିଷ୍ଠା ପ୍ରଚେଷ୍ଟା ପୁନର୍ବାର ସେହି ପ୍ରେମ ଶାନ୍ତି ଓ ସୌହାର୍ଦ୍ଦ୍ୟ ଫେରାଇ ଆଣିବ ବୋଲି ଆଶା ବ୍ୟକ୍ତ କରିଥିଲେ ।
ଉଦଘାଟିତ ହୋଇଥିବା ସୁଖ ଶାନ୍ତି ସରୋବର କୋଠା କେବଳ ଇଟା ଏବଂ ସିମେଣ୍ଟ ନୁହେଁ ବରଂ ଏହା ଜ୍ଞାନ ଏବଂ କରୁଣାର ଏକ ପବିତ୍ର ସ୍ଥାନ, ଏକ ସ୍ଥାନ ଯେଉଁଠାରେ ବ୍ୟକ୍ତିମାନେ ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ଶିଖିବା, ବୃଦ୍ଧି ପାଇବା ଏବଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଏକାଠି ହେବେ ବୋଲି ଶ୍ରୀ ମାଝୀ କହିଥିଲେ ।
ଆହୁରିମଧ୍ୟ ନିଜ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ସମଗ୍ର ବିଶ୍ୱକୁ ଗଣିତ, ବିଜ୍ଞାନ, ସାହିତ୍ୟ ଛଡା ଭାରତର ଅନ୍ୟତମ ଅବଦାନ ଆଧ୍ୟାତ୍ମିକତାର ଜ୍ଞାନ ବଳରେ ମନୁଷ୍ୟ ଶାନ୍ତି ଓ ମୈତ୍ରୀର ପରିଭାଷା ଶିଖିପାରିଥିବା କହିବା ସହ ଆଧ୍ୟାତ୍ମିକତାର ଅନ୍ୟ ଏକ ଶାଖା ଯୋଗ ଦ୍ୱାରା ମଧ୍ୟ ଭାରତ ଆଜି ବିଶ୍ୱ ବିଦିତ ବୋଲି କହିଥିଲେ
।
ସେ କହିଥିଲେ ଯେ ଆଜି ସାରା ପୃଥିବୀ ପ୍ରତି ବର୍ଷ ଜୁଲାଇ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରୁଛି ଏବଂ ଆମ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ, ୨୦୪୭ ମସିହାରେ ଯେତେବେଳେ ସମଗ୍ର ଭାରତବର୍ଷ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ, ବିକଶିତ ଭାରତର ଅଜେୟ ଗାଥାରେ, ଅର୍ଥନୀତି, ରାଜନୀତି, ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଭଳି ଆଧ୍ୟାତ୍ମିକତା ମଧ୍ୟ ଅନନ୍ୟ ବ୍ୟାଖ୍ୟା ବହନ କରୁଥିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦୁଝର ଶାଖା ଆଧ୍ୟାତ୍ମିକ କ୍ଷେତ୍ର ସହିତ ଅଂଚଳରେ ନିଶାମୁକ୍ତି ଅଭିଯାନ, ରାଜଯୋଗ, ସକାରାତ୍ମକ ଜୀବନଶୈଳୀ, ଜନସାଧାରଣଙ୍କ ଜୀବନରେ ନୈତିକତାର ସଂଚାର, ସେଲ୍ଫ ମ୍ୟାନେଜମେଣ୍ଟ, ଷ୍ଟ୍ରେସ ମ୍ୟାନେଜମେଣ୍ଟ,କୃଷି ବିକାଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ସଚେତନତା ଓ ବୃକ୍ଷ ରୋପଣ ଭଳି ଅନେକ ଜନଉପଯୋଗୀ କାର୍ଯ୍ୟକ୍ରମ କରି ଆଜି ଆମ କେନ୍ଦୁଝର ବ୍ରହ୍ମାକୁମାରୀ ଶାଖା ଏକ ଅନନ୍ୟ ଶିଖରରେ ପହଂଚିଛି ଏବଂ ଆଗକୁ ମଧ୍ୟ ଜନଜୀବନକୁ ଉନ୍ନତ କରିବା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଥିଲେ ।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ, ତେଲକୋଇ, ଡକ୍ଟର ଫକୀର ମୋହନ ନାଏକ, ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ମାନ୍ୟବର ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କେନ୍ଦୁଝର, ଶ୍ରୀମତୀ ସାଗରିକା ସାହୁ, ମାନ୍ୟବର ଅଧ୍ୟକ୍ଷା, କେନ୍ଦୁଝରଗଡ଼ ପୌରପାଳିକା, ଶ୍ରୀମତୀ ନିକୁ ସାହୁ, ବ୍ରହ୍ମକୁମାରୀ କଟକ ସବ-ଜୋନ ନିର୍ଦ୍ଦେଶିକା ତଥା ରାଜଯୋଗିନୀ ଭଉଣୀ କମଲେଶ ଦିଦିଜୀ, ବ୍ରହ୍ମାକୁମାରୀ ସଂସ୍ଥାର ଅତିରିକ୍ତ ମୁଖ୍ୟ ତଥା ରାଜଯୋଗିନୀ ଭଉଣୀ ଜୟନ୍ତୀ ଦିଦିଜୀ ପ୍ରମୁଖ ଉପସ୍ଥିତ ଥିଲେ ।










