24.1 C
Bhubaneswar
Tuesday, February 10, 2026
Homeଓଡିଶାଛାତ୍ର କଂଗ୍ରେସ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରତିବାଦରେ ବିକ୍ଷୋଭ

ଛାତ୍ର କଂଗ୍ରେସ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରତିବାଦରେ ବିକ୍ଷୋଭ

– ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଜାଲିଆତି
– କୁଳାଧିପତିଙ୍କ ବାସଭବନ (ରାଜଭବନ) ଘେରାଉ କଲା ଛାତ୍ର କଂଗ୍ରେସ
– ଉପେକ୍ଷିତ ଆବେଦନକାରୀ ଛାତ୍ର ବିଜୟ କୁମାର ସାହୁଙ୍କୁ ନ୍ୟାୟ ଦାବି

ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରତିବାଦରେ ଏକ ବିକ୍ଷୋଭ ଶୋଭାଯାତ୍ରା ଭୁବନେଶ୍ୱର ସ୍ଥିତ ପାୱାର ହାଉସ ଛକ ଠାରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ଗରିମାକୁ ନଷ୍ଟ କରାଯାଉଛି । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ, ପିଜି କାଉନସିଲ ଚେୟାରମ୍ୟାନ ନବନିତା ରଥ ଙ୍କ ଠାରୁ ଆରମ୍ଭ କରି “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ବିଭାଗର କୋଅର୍ଡ଼ିନେଟର ରୁଦ୍ର ନାରାୟଣ ମହାପାତ୍ର ପର୍ଯ୍ୟନ୍ତ ସମସ୍ତେ ଏହି ନାମଲେଖା ଜାଲିଆତିରେ ସଂପୃକ୍ତ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତିଯେ ସାମସ ଦ୍ୱାରା ପ୍ରସ୍ତୁତ ର‌୍ୟାଙ୍କିରେ ବିଜୟ କୁମାର ସାହୁ ନାମକ ଆବେଦନକାରୀ ଛାତ୍ର ୧୩ ନମ୍ବରରେ ସ୍ଥାନୀତ ହୋଇଥିବା ବେଳେ ମିତ୍ର ପ୍ରକାଶ ବଳ ନାମକ ଅନ୍ୟଜଣେ ଆବେଦନକାରୀ ଛାତ୍ର ୧୫ ନମ୍ବର ସିରିଏଲରେ ସ୍ଥାନୀତ ହୋଇଥିଲେ । ଉଚ୍ଚ ଶିକ୍ଷା ବିଭାଗର ଧାର୍ଯ୍ୟ ନିୟମ ଅନୁଯାୟୀ ୧୩ ନମ୍ବରରେ ସ୍ଥାନୀତ ହୋଇଥିବା ବିଜୟ କୁମାର ସାହୁଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ବିଭାଗରେ ଆଡମିଶନ ସୁଯୋଗ ଦିଆଯିବା କଥା । ମାତ୍ର ସବୁ ବିଧିବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ୧୫ ନମ୍ବର ସିରିଏଲରେ ସ୍ଥାନୀତ ହୋଇଥିବା ମିତ୍ର ପ୍ରକାଶ ବଳଙ୍କୁ ନାମ ଲେଖା ପାଇଁ ସୁଯୋଗ ଦିଆଗଲା । ବିଶ୍ୱ ବିଦ୍ୟାଳୟର ନିୟମ ଅନୁଯାୟୀ ଧାର୍ଯ୍ୟ ତାରିଖରେ ନିଜର ନାମଲେଖା ସମ୍ପର୍କରେ ଆବେଦନକାରୀ ବିଜୟ କୁମାର ସାହୁ “ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ” ଡିପାର୍ଟମେଂଟରେ ରିପୋଟିଂ କରିଥିଲେ । ସେପ୍ଟେମ୍ବର ୧୩ ତାରିଖ ଦିନ ସଂପୃକ୍ତ ବିଭାଗ ପକ୍ଷରୁ ତାଙ୍କର ନାମ ଲେଖା ପାଇଁ ତାଙ୍କୁ ଟେଲିଫୋନ କରାଯାଇଥିଲା ।

ଏପରିକି ସିଏଲସି ଆଣିବାକୁ ମଧ୍ୟ କୁହାଯାଇଥିଲା । ଯେତେବେଳ ଶ୍ରୀ ସାହୁ ଅକ୍ଟୋବର ୧ ତାରିଖ ୨ଟା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଂଟ ସହ ନାମଲେଖା ପାଇଁ ଆସି ପହଂଚିଲେ, ସେତେବେଳେ ଏହି ବିଭାଗ ପକ୍ଷରୁ ତାଙ୍କୁ ନାମ ଲେଖା ଫର୍ମ ପୂରଣ ପାଇଁ ଦିଆଯାଇଥିଲା । ସେ ଫର୍ମଟିକୁ ପୂରଣ କରି ଦାଖଲ କରିଥିଲେ । ମାତ୍ର କିଛି ସମୟ ପରେ ବିଭାଗୀୟ କୋଅର୍ଡ଼ିନେଟର ଶ୍ରୀ ରୁଦ୍ର ନାରାୟଣ ମହାପାତ୍ର ଆବେଦନକାରୀ ଛାତ୍ର ଶ୍ରୀ ସାହୁଙ୍କୁ କହିଥିଲେ ଯେ ସେହି ସ୍ଥାନରେ ମିତ୍ର ପ୍ରକାଶ ବଳଙ୍କର ନାମ ଲେଖା ସରିଯାଇଛି । ତାଙ୍କ ଉପରେ ଚାପ ପଡ଼ିବାରୁ ସେ ବାଧ୍ୟ ହୋଇ ଏହି ଭୁଲ କାମ କରିଛନ୍ତି ବୋଲି ଶ୍ରୀ ସାହୁଙ୍କ ଆଗରେ ପ୍ରକାଶକଲେ । ସାମସର ର‌୍ୟାଂକିଂ ଅନୁଯାୟୀ ୧୩ ନମ୍ବର ସ୍ଥାନରେ ଥିବା ଆବେଦନକାରୀ ଛାତ୍ରକୁ ସୁଯୋଗ ନ ଦିଆଯାଇ ୧୫ ନମ୍ବର ସ୍ଥାନରେ ଥିବା ଆବେଦନ କାରୀ ଛାତ୍ରକୁ ସୁଯୋଗ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର କତୃପର୍କ୍ଷଙ୍କ ଏଭଳି ନିଷ୍ପତି ଓଡ଼ିଶାର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖା ବ୍ୟବସ୍ଥା କେଉଁ ଅବସ୍ଥାରେ ଅଛି ତାହା ଜଳଜଳ ହୋଇ ଦିଶୁଛି । ଯୋଗ୍ୟ ଛାତ୍ରଙ୍କ ପ୍ରତି ଅବିଚାର କରାଯାଉଛି । ଏହି ଜାଲିଆତିରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ଆରମ୍ଭ କରି କୋର୍ଡିନେଟର ପର୍ଯ୍ୟନ୍ତ ସମସ୍ତେ ସଂପୃକ୍ତ । ଆବେଦନକାରୀ ଛାତ୍ର ମିତ୍ର ପ୍ରକାଶ ବଳଙ୍କର ହାତ କେତେ ଲମ୍ବା, ଯାହାଙ୍କ ନାମ ଲେଖା ପାଇଁ କୁଳପତିଙ୍କ ଠାରୁ କୋର୍ଡିନେଟର ପର୍ଯ୍ୟନ୍ତ ଲାଗି ପଡ଼ିଛନ୍ତି । ଏଥିରେ ରାଜନୈତିକ ଚାପ, ଅର୍ଥ କାରବାର ବା ସରକାରୀ ବାବୁଙ୍କର ଚାପ ରହିଛି ବୋଲି ସ୍ପଷ୍ଟ ହୋଇପଡ଼ୁଛି । ଯଦି ଏଭଳି ହୁଏ ସାରା ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଦଲାଲମାନେ ନିୟନ୍ତ୍ରଣ କରିବେ । ଏହା ଛାତ୍ର ସ୍ୱାର୍ଥ ବିରୋଧି । ପ୍ରଦେଶ ଛାତ୍ର କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ ।

ବିକ୍ଷୋଭ ପରେ ଏକ ପ୍ରତିନିଧି ମଣ୍ଡଳୀ ମହାମହୀମ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ରାଜ୍ୟପାଳଙ୍କ ସଚିବଙ୍କୁ ସାକ୍ଷାତକରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ରର ଦାବି- କ. ୧୩ ନମ୍ବର ସ୍ଥାନରେ ଥିବା ଆବେଦନକାରୀ ଛାତ୍ର ବିଜୟ କୁମାର ସାହୁଙ୍କୁ ତୁରନ୍ତ ନାମ ଲେଖାପାଇଁ ସୁଯୋଗ ଦିଆଯାଉ । ଖ. ଏହି ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ । ଗ. ଜାଲିଆତିରେ ସଂପୃକ୍ତ ବ୍ୟକ୍ତଙ୍କ ଉପରେ କଠୋର ଦଣ୍ଡ ବିଧାନ କରାଯାଉ । ଘ. ଜାଲିଆତି କରି ନାମ ଲେଖାଇଥିବା ଆବେଦନକାରୀ ଛାତ୍ର୍ର ମିତ୍ର ପ୍ରକାଶ ବଳଙ୍କ ନାମଲେଖାକୁ ରଦ୍ଦ କରାଯାଉ ।

ମହାମହୀମ ରାଜ୍ୟପାଳଙ୍କ ସଚିବ ଦାବି ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥି ୟାସିର ନୱାଜ, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ଅଜୟ ସାହୁ, ନିହାର ବେହେରା, ମିର୍ଜା ଇସଲାମ ବେଗ, ସୁନେଶ ଧିର, ଆଶିଷ ମହାନ୍ତ, ବିଶ୍ୱଭୂଷଣ ମହାପାତ୍ର, କାର୍ତିକେଶ୍ୱର କାଣ୍ଡି, ସୌମ୍ୟ ବରାଳ, ସାହାରୁଖ ଖାନ, ରାଜେଶ ଦାଶ, ନିଆଜୁଲ ଇସଲାମ, ଲିପିକା ପାତ୍ର, ଲିସ୍ପା ନାୟକ, ସୁନିଲ ସାହୁ ଗାନ୍ଧୀ, ପ୍ରଶନ୍ନ ନାୟକ, ବଟକୃଷ୍ଣ ରାଉତରାୟ, ଅଜୟ ଗଡ଼ନାୟକ, ଆଶୁତୋଷ ପାଟଶାହାଣୀ, ସୁବ୍ରତ କୁମାର ନାୟକ, ସଂଦୀପ ଶେଖର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking