17.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶକର୍ଣ୍ଣାଟକ କଂଗ୍ରେସରେ କ୍ଷମତା ବିବାଦ; ସିଦ୍ଧରମୈୟା ଓ ଶିବକୁମାରଙ୍କୁ ଦିଲ୍ଲୀ ଡାକରା

କର୍ଣ୍ଣାଟକ କଂଗ୍ରେସରେ କ୍ଷମତା ବିବାଦ; ସିଦ୍ଧରମୈୟା ଓ ଶିବକୁମାରଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଜାରି ରହିଥିବା କ୍ଷମତା ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦିଲ୍ଲୀ ଡକାଇଛନ୍ତି। ଉଭୟ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗୋଷ୍ଠୀ କନ୍ଦଳ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ମଧ୍ୟରେ ରାହୁଲ୍ ଉଭୟ ନେତାଙ୍କ ସହ ଆଲୋଚନା କରି ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବା ଉଦ୍ଦେଶ୍ୟରେ ଦିଲ୍ଲୀ ଡକାଇଥିବା ଅନୁମାନ କରାଯାଉଛି। ପ୍ରକାଶ, ରାହୁଲଙ୍କ ଡାକରା ଆସିବା ପୂର୍ବରୁ ସିଦ୍ଧରମୈୟା ମଧ୍ୟ ଏସମ୍ପର୍କରେ ରାହୁଲ ଗାନ୍ଧୀ ଏବଂ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ଠାରୁ ଏକ ସ୍ପଷ୍ଟୀକରଣ ଲୋଡିଥିଲେ। ତେବେ ଆଜି ଦିଲ୍ଲୀରେ ରାହୁଲ ଉଭୟ ନେତାଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଥିଲେ ମଧ୍ୟ ବାହାରେ ଗଣମାଧ୍ୟମ ସମ୍ମୁଖରେ କ୍ଷମତା ପରିବର୍ତ୍ତନ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିବା ଶିବକୁମାର କହିଛନ୍ତି। ତେବେ ଦିଲ୍ଲୀ ଡକାଇବା ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ, ମୈସୁର ଏୟାରପୋର୍ଟରେ ମଧ୍ୟ ଉଭୟ ନେତାଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି।

ଦିଲ୍ଲୀ ଡାକରା ମିଳିବା ପୂର୍ବରୁ ସିଦ୍ଧରମୈୟା କହିଥିଲେ ଯେ, ସେ ଯଥାଶୀଘ୍ର ତାଙ୍କ କ୍ୟାବିନେଟ୍‌ର ସମ୍ପ୍ରସାରଣ କରିବାକୁ ଆଗ୍ରହୀ ଅଛନ୍ତି। କିନ୍ତୁ ବାରମ୍ବାର କ୍ଷମତା ପରିବର୍ତ୍ତନକୁ ନେଇ ଚାଲିଥିବା ତର୍କ ତଥା ଗୁଜବରେ ସେ ଅତିଷ୍ଠ ହୋଇପଡିଛନ୍ତି। ସେ ଏସମ୍ପର୍କରେ ଉଭୟ ରାହୁଲ ଗାନ୍ଧୀ ଏବଂ ଖର୍ଗେଙ୍କ ସହ ସାକ୍ଷାତ୍ କରିବାକୁ ଏବଂ ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟୀକରଣ ପ୍ରାପ୍ତ କରିବାକୁ ଚାହାନ୍ତି। ପ୍ରକାଶ, କର୍ଣ୍ଣାଟକର କଂଗ୍ରେସ ସରକାର ମଧ୍ୟରେ ନେତୃତ୍ୱ ପ୍ରସଙ୍ଗକୁ ନେଇ କ୍ରମାଗତ କଳ୍ପନାଜଳ୍ପନା ମଧ୍ୟରେ ଏହି ଘଟଣା ଘଟିଛି, ଯଦିଓ ଦଳର କେନ୍ଦ୍ରୀୟ ନେତୃତ୍ୱ ବାରମ୍ବାର କୌଣସି ଆଭ୍ୟନ୍ତରୀଣ ସଙ୍କଟକୁ ଅସ୍ୱୀକାର କରିଆସିଛନ୍ତି। ଗତ ମାସରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ କର୍ଣ୍ଣାଟକରେ ନେତୃତ୍ୱ ବିବାଦ ଖବରକୁ ଖଣ୍ଡନ କରି କହିଥିଲେ ଯେ, ଦଳର ହାଇକମାଣ୍ଡ ସ୍ତରରେ କୌଣସି ଦ୍ୱନ୍ଦ୍ୱ ନାହିଁ। କୌଣସି ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ରାଜ୍ୟ ନେତୃତ୍ୱ ନିଜେ କରିବା ଉଚିତ୍‌। କର୍ଣ୍ଣାଟକରେ କଂଗ୍ରେସର ନିର୍ବାଚନୀ ସଫଳତା ପାଇଁ ବ୍ୟକ୍ତିଗତ ଶ୍ରେୟ ନେବା ବିରୋଧରେ ଦଳର ନେତାମାନଙ୍କୁ ଚେତାବନୀ ଦେଇ ଖର୍ଗେ କହିଛନ୍ତି, ସଂଗଠନ ଅନେକ ଦଶନ୍ଧି ଧରି ଏହାର କର୍ମୀମାନଙ୍କ ଦ୍ୱାରା ମିଳିତ ଭାବରେ ଗଠିତ ହୋଇଛି। ସେହିପରି ଉଭୟ ସିଦ୍ଧରମୈୟା ଓ ଶିବକୁମାର ମଧ୍ୟ କ୍ରମାଗତ ଭାବରେ ମତଭେଦ ଖବରକୁ ଅସ୍ୱୀକାର କରିଛନ୍ତି।

ସିଦ୍ଧରମୈୟା ଓ ଶିବକୁମାର ମୁଖ୍ୟମନ୍ତ୍ରୀ ପଦବୀରେ ୨.୫ ବର୍ଷ ଲେଖାଏଁ ରହିବେ ବୋଲି ସରକାର ଗଠନ ସମୟରେ ଏକ ଆଭ୍ୟନ୍ତରୀଣ ଚୁକ୍ତି ହୋଇଥିବା ଦାବି କରାଯାଉଛି। କିନ୍ତୁ ଏବେ ଯେତେବେଳେ ୨.୫ ବର୍ଷର ଶାସନ ଶେଷ ହେବାକୁ ଯାଉଛି ସେତେବେଳେ ସିଦ୍ଧରମୈୟା, ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ନଥିବା ଶିବକୁମାରଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। କିନ୍ତୁ କଂଗ୍ରେସ ହାଇକମାଣ୍ଡ କ୍ଷମତା ବଣ୍ଟନ ଉପରେ କୌଣସି ଚୁକ୍ତି ହୋଇନଥିବା କହିଆସୁଥିବା ବେଳେ ସିଦ୍ଧରମୈୟା ହିଁ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ ବୋଲି ବାରମ୍ବାର ଦୋହରାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking