18.1 C
Bhubaneswar
Wednesday, February 4, 2026
Homeଓଡିଶାଜୀବନର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟାର ଶକ୍ତି ଅପରିହାର୍ଯ୍ୟ: ରାଜ୍ୟପାଳ

ଜୀବନର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟାର ଶକ୍ତି ଅପରିହାର୍ଯ୍ୟ: ରାଜ୍ୟପାଳ

ଭୁବନେଶ୍ୱର: ଜୀବନର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟାର ଶକ୍ତି ଅପରିହାର୍ଯ୍ୟ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଗୁରୁବାର ଦିନ ଆଇଆଇଆଇଟି (IIIT) ଭୁବନେଶ୍ୱରଠାରେ ଆୟୋଜିତ ଆଇଇଇଇ (IEEE) ଇଣ୍ଡିଆ ଜିଓସାଇନ୍ସ ଆଣ୍ଡ୍ ରିମୋଟ୍ ସେନ୍ସିଂ ସିମ୍ପୋସିୟମ (ଇନଗାର୍ସ ୨୦୨୫) ର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

ଏହି ଅବସରରେ ରାଜ୍ୟପାଳ ଉଦବୋଧନ ଦେଇ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ସର୍ବଦା ମାନବ କଲ୍ୟାଣର ମୂଳରେ ରହିବା ଉଚିତ। ଏହାର ପ୍ରକୃତ ଉଦ୍ଦେଶ୍ୟ କେବଳ ସେତେବେଳେ ପୂରଣ ହୁଏ ଯେତେବେଳେ ଏହା ଜୀବନକୁ ଉନ୍ନତ କରେ । ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକୁ ସୁରକ୍ଷା ଦେବା, ଚାଷୀମାନଙ୍କର ଫସଲ ଅମଳକୁ ସୁରକ୍ଷିତ କରିବା, ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବରେ ଘରକୁ ଫେରିବା ସୁନିଶ୍ଚିତ କରିବା ଓ ସହରଗୁଡ଼ିକରେ ସ୍ୱଚ୍ଛ ବାୟୁ ଉପଲବ୍ଧ କରାଇବା ଭଳି ପଦକ୍ଷେପ ଦ୍ୱାରା ପ୍ରଯୁକ୍ତିବିଦ୍ୟା ମାନବ ଜୀବନକୁ ସହଜ କରାଯାଇପାରିବ।

ବିଜ୍ଞାନ ଓ କରୁଣା ଅବିଚ୍ଛେଦ୍ୟ ବୋଲି ଅବତାରଣା କରି ରାଜ୍ୟପାଳ କହିଥିଲେ ଯେ ନବସୃଜନ ନିରନ୍ତର ଭାବେ ଜନକଲ୍ୟାଣକାରୀ ହେବା ଆବଶ୍ୟକ। ଦେଶର ବିଭିନ୍ନ ରାଜ୍ୟରୁ ଏବଂ ବିଦେଶରୁ ଆସିଥିବା ବିଶେଷଜ୍ଞମାନଙ୍କୁ ଏହି ଅବସରରେ ସ୍ୱାଗତ କରି ଏହା ଏକ ଉନ୍ନତ ଭବିଷ୍ୟତ ନିର୍ମାଣ ପାଇଁ ଅତ୍ୟାବଶ୍ୟକ ଜିଜ୍ଞାସାର ମନୋଭାବକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ ।

ସିମ୍ପୋସିୟମର ବିଷୟବସ୍ତୁ ‘ଉତ୍ତମମ୍ ବିଶ୍ୱମ୍, ଉଜ୍ଜ୍ୱଳମ୍ ଭବିଷ୍ୟମ୍’ (ଉତ୍ତମ ବିଶ୍ୱ, ଉଜ୍ଜ୍ୱଳ ଭବିଷ୍ୟତ) ଶୀର୍ଷକ ସମ୍ପର୍କରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଯଦିଓ ଭୂବିଜ୍ଞାନ ଏବଂ ରିମୋଟ ସେନ୍ସିଂ ଅତ୍ୟନ୍ତ ବୈଷୟିକ କ୍ଷେତ୍ର, ଏହା ବିପର୍ଯ୍ୟୟର ପୂର୍ବାନୁମାନ, କୃଷିକୁ ସହଯୋଗ, ଜଙ୍ଗଲ ସଂରକ୍ଷଣ ଏବଂ ସହରାଞ୍ଚଳ ଯୋଜନାକୁ ମାର୍ଗଦର୍ଶନ କରି ପ୍ରତ୍ୟକ୍ଷ ଭାବେ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ।

ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ରାଜ୍ୟ ଅସୁରକ୍ଷିତରୁ ପ୍ରସ୍ତୁତି ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିଛି। ସାଟେଲାଇଟ୍ ତଥ୍ୟ, ରାଡାର ଇମେଜିଂ ଏବଂ ଭୂ-ବିଜ୍ଞାନ ବିଶ୍ଳେଷଣ ଦ୍ୱାରା ଫାଇଲିନ୍, ଫନି, ୟାସ୍ ଏବଂ ନିକଟରେ ଆସିଥିବା ବାତ୍ୟା ମୋନ୍ଥା ସମୟରେ ପ୍ରାକ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ବହୁ ସଂଖ୍ୟାରେ ସ୍ଥାନାନ୍ତରକୁ ସକ୍ଷମ କରାଯାଇପାରିଥିଲା । ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମୟୋଚିତ ଏବଂ କାର୍ଯ୍ୟକ୍ଷମ ସୂଚନା ପ୍ରଦାନ କରାଯାଇପାରିଥିବାରୁ ହଜାର ହଜାର ଜୀବନ ରକ୍ଷା କରାଯାଇ ପାରିଥିଲା ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ ।

ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ରାଜ୍ୟରେ ଜଙ୍ଗଲ, କୃଷି, ଖଣି ନିୟନ୍ତ୍ରଣ, ଜଳ ପରିଚାଳନା ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଭୂ-ବିଜ୍ଞାନ ଉପକରଣକୁ ବହୁଳ ଭାବରେ ପ୍ରୟୋଗ କରାଯାଉଛି। ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଡିଜିଟାଲ ମହାସାଗର ମାନଚିତ୍ର ଏବଂ ରିମୋଟ ସେନ୍ସିଂ ଭିତ୍ତିକ ମାଛଧରା କ୍ଷେତ୍ରର ପୂର୍ବାନୁମାନ ଉପକୂଳରେ ଜୀବିକା ନିର୍ବାହରେ ଉଲ୍ଲେଖନୀୟ ଉନ୍ନତି ଆଣିଛି।

ଏତତ ବ୍ୟତୀତ କୃତ୍ରିମ ବୁଦ୍ଧିମତ୍ତାର ବର୍ଦ୍ଧିତ ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ସାଟେଲାଇଟ୍ ଚିତ୍ରର ଏଆଇ-ଚାଳିତ ବିଶ୍ଳେଷଣ ଜଳବାୟୁ ନିରୀକ୍ଷଣ, ସହରାଞ୍ଚଳ ଯୋଜନା, ଜଳ ସଂରକ୍ଷଣ ଏବଂ ସଠିକ କୃଷିକୁ ଆହୁରି ଉନ୍ନତ କରିପାରିବ। ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ଯେ ଗବେଷଣା ମାଧ୍ୟମରେ ମିଳୁଥିବା ଜ୍ଞାନ ତୃଣମୂଳ ଗୋଷ୍ଠୀ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ। ଯେତେବେଳେ ପ୍ରଯୁକ୍ତିବିଦ୍ୟା ସୁଗମ ଏବଂ ସମାବେଶୀ ହୁଏ ସେତେବେଳେ ଏହା ପ୍ରକୃତରେ ଅର୍ଥପୂର୍ଣ୍ଣ ହୁଏ ବୋଲି ରାଜ୍ୟପାଳ କହିଥିଲେ।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଓଡ଼ିଶା ସରକାରଙ୍କ ଇ ଏଣ୍ଡ୍ ଆଇଟି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର ପ୍ରଦୀପ କୁମାର ରାଉତ, ଜିଆରଏସଏସ ଅଧ୍ୟକ୍ଷ ଡକ୍ଟର ସାଇବୁନ୍ ତାତା ଏବଂ ନାସା ବୈଜ୍ଞାନିକ ଡକ୍ଟର ପଲ ଏ. ରୋସେନ୍ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଇଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁସ୍ମିତା ଘୋଷ ମଧ୍ୟ ଏହି ଅବସରରେ ମଞ୍ଚାସୀନ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking