ନୂଆଦିଲ୍ଲୀ: ଭାରତ ଏବଂ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଏବେ ଦାରିଦ୍ର୍ୟ ହାର ଅତ୍ୟନ୍ତ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ୨୦୧୧-୧୨ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଦେଶରେ ଅନେକ ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି। ବିଶ୍ୱବ୍ୟାଙ୍କ୍ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏପରି କିଛି ଦର୍ଶାଯାଇଛି, ଯାହାକି ଆର୍ଥିକସ୍ତରରେ ଭାରତର ଜୟଯାତ୍ରାକୁ ପ୍ରତିଫଳିତ କରିଛି। ବିଶ୍ୱବ୍ୟାଙ୍କ୍ ରିପୋର୍ଟ ଅନୁସାରେ ୨୦୧୧-୧୨ ବର୍ଷ ବେଳକୁ ଭାରତରେ ଦାରିଦ୍ର୍ୟତା ହାର ଯେଉଁଠି ୨୭%ରୁ ଊର୍ଦ୍ଧ୍ୱରେ ରହିଥିଲା ସେତେବେଳେ ୨୦୨୨-୨୩ ସୁଦ୍ଧା ଏହା ୫.୩%କୁ ହ୍ରାସ ପାଇଛି।
୨୦୧୧-୧୨ ବେଳକୁ ଯେଉଁଠି ଭାରତରେ ୩୪୪.୪୭ ନିୟୁତ ଲୋକ ଦାରିଦ୍ର୍ୟ ସୀମାରେଖା ଅନ୍ତର୍ଗତ ରହୁଥିଲେ ସେତେବେଳେ ୨୦୨୨-୨୩ ବେଳକୁ ମାତ୍ର ୭୫.୨୪ ନିୟୁତ ଲୋକ ଏବେ ଏହି ବର୍ଗରେ ରହିଛନ୍ତି। ସିଧାସଳଖ ଅର୍ଥରେ ମାତ୍ର ୧୦-୧୧ ବର୍ଷ ମଧ୍ୟରେ ଭାରତରେ ଜୀବନଧାରଣ ମାନ (ଆର୍ଥିକ ସ୍ତର)ରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅତ୍ୟଧିକ ଗରିବୀ ସୀମାରେଖାରେ ଥିବା ଜନସଂଖ୍ୟା ଏହି ସମୟରେ ୩୪.୪୪ କୋଟିରୁ ୭.୫୦କୋଟିକୁ ହ୍ରାସ ପାଇଛି। ମୋଟାମୋଟି ଏହି ସମୟ ସୁଦ୍ଧା ୨୬୯ ନିୟୁତ ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରିବା ଭାରତ ପାଇଁ ଏକ ବହୁତ ବଡ଼ ଉପଲବ୍ଧି ବୋଲି ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ ଦର୍ଶାଇଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରେ ଦାରିଦ୍ର୍ୟ ହାର ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଏହି ରାଜ୍ୟଗୁଡ଼ିକ ମୁଖ୍ୟତଃ ଦାରିଦ୍ର୍ୟତା ହାର ପାଇଁ ଅଧିକ ମାତ୍ରା (ଦୁଇ ତୃତୀୟାଂଶ)ରେ ଦାୟୀ ରହିଥିଲେ।
ନିକଟରେ ବିଶ୍ୱବ୍ୟାଙ୍କ ଦାରିଦ୍ର୍ୟ ସୀମାରେଖା ହାର ଲାଗି ମାନକରେ ସଂଶୋଧନ କରିଥିଲା। ଦୈନିକ ଆୟ ୨.୧୫ ଡଲାର୍ରୁ ବଢ଼ାଇ ଏହାକୁ ୩ ଡଲାର୍ କରିଥିଲା। ଏହି ମାନଦଣ୍ଡ ଅନୁଯାୟୀ ଦେଶର ପ୍ରାୟ ୨୭ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪%ରୁ ୨.୮%କୁ ଖସିଥିବାବେଳେ ସହରାଞ୍ଚଳରେ ଏହା ୧୦.୭%ରୁ ୧.୧%କୁ ହ୍ରାସ ପାଇଛି। ଏତଦ୍ବ୍ୟତୀତ ବିଶ୍ୱବ୍ୟାଙ୍କ୍ ରିପୋର୍ଟ ଏହା ମଧ୍ୟ ଦର୍ଶାଉଛି ଯେ ଭାରତ ବହୁ ପରିମାଣୀୟ ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ତଥ୍ୟ ଅନୁଯାୟୀ, ବହୁପରିମାଣୀୟ ଦାରିଦ୍ର୍ୟ ସୂଚକାଙ୍କ (ଏମ୍ପିଆଇ) ୨୦୦୫-୦୬ରେ ୫୩.୮%ରୁ ୨୦୧୯-୨୧ ସୁଦ୍ଧା ୧୬.୪%କୁ ହ୍ରାସ ପାଇଛି। ତେବେ ୨୦୨୨-୨୩ରେ ଏହା ୧୫.୫%କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।
କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ୧୧ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ କେନ୍ଦ୍ର ଦ୍ୱାରା ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଏବଂ ସଶକ୍ତିକରଣ, ଭିତ୍ତିଭୂମି ଏବଂ ଅନ୍ତର୍ଭୁକ୍ତିକରଣ ଉପରେ ଧ୍ୟାନଦେବା ଉପରେ ନିରନ୍ତର ଭାବେ ଗୁରୁତ୍ୱାରୋପ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ସରକାରଙ୍କ ଅଧୀନରେ ଏକ ପ୍ରମୁଖ ସଫଳତା ସ୍ୱରୂପ, ଭାରତ ଗତ ଦଶନ୍ଧିରେ ଏହାର ଚରମ ଦାରିଦ୍ର୍ୟ ହାର ହ୍ରାସ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା ଏବଂ ଆୟୁଷ୍ମାନ ଭାରତ ଭଳି ପଦକ୍ଷେପ ଗୃହ, ସ୍ୱଚ୍ଛ ରୋଷେଇ ଇନ୍ଧନ, ବ୍ୟାଙ୍କିଙ୍ଗ ଏବଂ ସ୍ୱାସ୍ଥ୍ୟସେବା ପାଇଁ ସୁବିଧାକୁ ବ୍ୟାପକ କରାଯାଇଛି। ଏତଦ୍ବ୍ୟତୀତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି), ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଏବଂ ଦୃଢ଼ ଗ୍ରାମୀଣ ଭିତ୍ତିଭୂମି ଶେଷ ମାଇଲ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ଦ୍ରୁତ ଲାଭ ବିତରଣ ସୁନିଶ୍ଚିତ କରିଛି, ଯାହା ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିଛି।