କଟକ: ରାଜ୍ୟରେ ଆଳୁ ସମସ୍ୟାର ସମାଧାନ ହୋଇ ପାରିନଥିଲା ବେଳେ ଆଳୁକୁ ଟପିଲାଣି ପିଆଜ ଦର। ଆଳୁ ଓ ପିଆଜ ଦରବୃଦ୍ଧିକୁ ନେିଇ ଏବେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଚିନ୍ତାରେ ପଡିଯାଇଛନ୍ତି। କିଲୋପ୍ରତି ଏବେ ଆଳୁ ଦର ୪୦ଟଙ୍କାରେ ବିକ୍ରି ହେଉଛି। ଫଳରେ ଯିଏ ଆଳୁ କିଲେ କିଣିବା କଥା ସେ ଏବେ ଅଧକିଲୋ କିମ୍ବା ଅଢେଇଶହରେ କାମ ଚଳାଇ ଦେଉଛନ୍ତି। ବର୍ତ୍ତମାନ ପରିବା ଦର ମଧ୍ୟ ଉଚ୍ଚା ରହିଛି। ଯେଉଁ ପରିବାକୁ ଛୁଇଁବ ତାହା କିଲୋପ୍ରତି ୭୦ଟଙ୍କା ରହିଛି। ସାଧାରଣ ଲୋକ ବିଶେଷକରି ଆଳୁ ଏବଂ ପିଆଜରେ ନିଜର ରେଷେଇଶାଳାକୁ ସୀମିତ ରଖିଥାନ୍ତି। ମାତ୍ର ଆଳୁ ଦର ବଢି ଚାଲିଥିବା ବେଳେ ଏବେ ପିଆଜ ଦର ବୃଦ୍ଧି ପାଇଲାଣି। ଆଳୁ କିଲୋ ପ୍ରତି ୪୦ ଟଙ୍କା ହୋଇଥିଲା ବେଳେ ପିଆଜ ରେଟ୍ ହଠାତ୍ ୩୦ ଟଙ୍କାରୁ ୫୦ଟଙ୍କାୁ ଛୁଇଁଛି। ଆଜି କଟକର ପ୍ରମୁଖ ପରିବା ମଣ୍ଡା ଛତ୍ରବଜାରରେ ଆଳୁ ଦର ୩ କିଲୋପ୍ରତି ୧୧୦ ଟଙ୍କା ରହିଥିବା ବେଳେ କିଲୋପ୍ରତି ୪୦ଟଙ୍କାରେ ବିକ୍ରି ହେଉଛି। ସେହିପରି ଆଜି ସନ୍ଧ୍ୟାରେ ଛତ୍ରବଜାରରେ କିଲୋପ୍ରତି ୫୦ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ତେବେ ହଠାତ୍ ପିଆଜ ଦର କାହିଁକି ବୃଦ୍ଧି ପାଇଲା ବୋଲି ପଚାରିବାରୁ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ନାସିକ୍ରୁ ଏବେ ପିଆଜ ଗାଡି ଆସିବାରେ ସମସ୍ୟା ସୃଷ୍ଟି ହୋଇଛି। ବର୍ଷା ଜନିତ ସମସ୍ୟା ଯୋଗୁ ପିଆଜ ଆସିପାରୁନାହିଁ। ଦୈନିକ ଯେତିକି ପିଆଜ ଟ୍ରକ ଆସୁଥିଲା ତା’ର ପ୍ରାୟ ଅଧା ସଂଖ୍ୟକ ଗାଡି ଆସୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ମାତ୍ର ଏହି ସମସ୍ୟା ବେଶୀଦିନ ରହିବ ନାହିଁ ,ଏହାର ସମାଧାନ ଖୁବ୍ ଶୀଘ୍ର ହୋଇଯିବ ବୋଲି ସେ କହିଛନ୍ତି। ତେବେ ଆଳୁ ଦରବୃଦ୍ଧି ପରେ ବର୍ତ୍ତମାନ ପିଆଜ ଦର ବୃଦ୍ଧି ଗରିବ ଜନତାକୁ କନ୍ଦାଇବାକୁ ବସିଲାଣି। ଏମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ଅବସ୍ଥା ସୃଷ୍ଟି ହୋଇଛି । ରାଜ୍ୟ ସରକାର ବେଳ ଥାଉ ଥାଉ ଏତିପ୍ରତି ଦୃଷ୍ଟି ନଦେଲେ ଏହି ସମସ୍ୟା ଗୁରୁତର ଆଡକୁ ଗତିକରିବା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ପଶ୍ଚିମବଙ୍ଗରୁ ଆଳୁ ଆସିବାରେ ନାନାବିଧ ସମସ୍ୟା ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବ ଆମ ରାଜ୍ୟରେ ପଡ଼ିଛି। ଆଳୁର ଅଭାବକୁ ଭରଣା କରିବା ଲାଗି ରାଜ୍ୟ ସରକାର ତଥା ବ୍ୟବସାୟୀ ସଂଘ ଉତ୍ତର ପ୍ରଦେଶରୁ ଆଳୁ ଆଣିବା ଲାଗି ଯୋଜନା କରିଥିଲାବେଳେ ପ୍ରକୃତପକ୍ଷେ ଉତ୍ତର ପ୍ରଦେଶ ଆଳୁ ଓଡ଼ିଶାର ଆଳୁ ଚାହିଦାକୁ ସେଭଳି ପୂରଣ କରିଲା ଭଳି ଅନୁଭୂତ ହୋଇନାହିଁ। ସରକାର ଟ୍ରେନ ୍ଯୋଗେ ଉତ୍ତର ପ୍ରଦେଶରୁ ଆଳୁଆଣିବା ଲାଗି ଉଦ୍ୟମ କରୁଛନ୍ତି। ତେବେ ଏହାଦ୍ୱରା କେତେଦୂର ସମସ୍ୟାର ସମାଧାନ ହୋଇପାରିବ ସେନେଇ ରାଜ୍ୟବାସୀ ସନ୍ଦେହରେ ପଡ଼ିଛନ୍ତି। ରାଜ୍ୟ ବ୍ୟବସାୟୀ ସଂଘ କହୁଛି ଯେ,ଗୋଟିଏ ଦିନରେ ପଶ୍ଚିମ ବଙ୍ଗରୁ ଓଡିଶାରେ ଆଳୁ ପହଞ୍ôଚ ପାରୁଥିଲା। ମାତ୍ର ଟ୍ରକରେ ଉତ୍ତର ପ୍ରଦେଶରୁ ଆଳୁ ଆଣିବାରେ ୨ରୁ ୩ଦିନ ସମୟ ଲାଗୁଛି। ଫଳରେ ଆଳୁ ପଚିସଢି ଯାଉଥିଲା ବେଳେ ସେଥିରେ କଳାଦାଗ ମଧ୍ୟ ସୃଷ୍ଟି ହୋଇଛି। ସର୍ବୋପରି ସେଠାରୁ ଆଳୁ ଆଣିବା ପାଇଁ ବ୍ୟବସାୟୀଙ୍କୁ ଅଧିକ ଖର୍ଚ୍ଚ ସହିବାକୁ ପଡ଼ୁଛି। ଫଳରେ ଆଳୁଦର ହ୍ରାସ ପାଇବାରେ ନାଁ ଧରୁନି। ତେବେ ଏହି ମର୍ମରେ ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଆଇନ୍ ଆଳୁ ଗଚ୍ଛିତକାରୀ ଏବଂ ଚଢା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଚେତାବନୀ ଦେଇଛନ୍ତି। ମାତ୍ର ଆଳୁ ଦର ଖସୁ ନାହିଁ। ଅପରପକ୍ଷେ ପିଆଜ ଦର ଏବେ ବୃଦ୍ଧି ପାଇଲାଣି। ଆଗକୁ ପରିସ୍ଥିତ ଜଟିଳ ହେବାର ଆଶଙ୍କା ଜଳଜଳ ହୋଇ ଦେଖା ଗଲାଣି । ଆଳୁ ପରେ ପିଆଜ ଦର ବୃଦ୍ଧି ପାଇଥିବାରୁ ଏବେ ଖାଉଟୀଙ୍କ ଚିନ୍ତା ବଢିଯାଇଛି।










