ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଅଟକି ରହିଛି ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି । ଗତ ଦୁଇଦିନ ବିତିଗଲାଣି ସେଠାରୁ ଆଳୁ ଆସିପାରୁନି । ଏହାର ପ୍ରଭାବ ଏବେ ବଜାରରେ ପଡ଼ିଛି । ଭୁବନେଶ୍ୱର ଓ କଟକରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି । ଗତ କାଲି ରାଜଧାନୀର ୧ ନମ୍ବର ହାଟ ଏବଂ ଅନ୍ୟାନ୍ୟ ଛୋଟ ଦୋକାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଥିଲା । ଦିନକ ତଳେ ଯେଉଁ ଆଳୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ଆଳୁ ଗାଡ଼ି ଆସି ପାରୁନି ଖବର ବ୍ୟାପିବା କ୍ଷଣି ହଠାତ୍ ୧୦ ଟଙ୍କା ବଢ଼ିଯାଇଛି । ସେହିପରି (୩କିଲୋ)କୁ ୯୬ ଟଙ୍କା ପଡୁଛି । କିନ୍ତୁ ଖୁଚୁରା ବ୍ୟବସାୟୀ ଧଡ଼ା ପିଛା ୧୨୦ରୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଯୋଗାଣ ଅଧିକାରୀ ବିଭୁପ୍ରସାଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ସ୍କ୍ୱାଡ୍ କେତେ ଷ୍ଟକ୍ ରହିଛି, କେତେ ଷ୍ଟକ୍ ରହିପାରିବ, କେତେ ଆମଦାନୀ ହେବାର ସମ୍ଭାବନା ରହିଛି, ସ୍ଥିତି ମୁକାବିଲା ପାଇଁ ବିକଳ୍ପ ବ୍ୟବସ୍ଥା କ’ଣ କରାଯାଇପାରିବ ସେ ପ୍ରସଙ୍ଗରେ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ମୂଲ୍ୟ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୁଚୁରା ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି । ଯଦି ପଶ୍ଚିମବଙ୍ଗରୁ ଆଳୁ ନଆସେ ତେବେ ଆସନ୍ତା ସପ୍ତାହରୁ ବାଧ୍ୟ ହୋଇ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ବରାଦ ଦିଆଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି । ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯାଉଛି । ତେଣୁ ଦର ବୃଦ୍ଧି ହେବନି । ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଉତ୍ତର ପ୍ରଦେଶରୁ ୫ ଟ୍ରକ୍ ଆଳୁ ଆସିଛି । ହେଲେ ଏହା ସମୁଦ୍ରକୁ ଶଙ୍ଖେ ହୋଇଛି ।