ମସ୍କୋ: ୟୁକ୍ରେନ ପକ୍ଷରୁ ରୁଷ୍ ଉପରେ ଡ୍ରୋନ୍ ଆକ୍ରମଣ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ଅସ୍ଥିର କରିଦେଇଛି । ଆକ୍ରମଣ ଏପରି ଥିଲା ଯେ, ଏହା ରୁଷିଆର ଆଭ୍ୟନ୍ତରରେ ପହଞ୍ଚିଥିଲା । ଯାହାକୁ ନେଇ ରୁଷିଆ କଳ୍ପନା ମଧ୍ୟ କରିନଥିଲା । ଏହି ଦୁଃଖ ମଧ୍ୟରେ ଦେଶରେ ଆଳୁକୁ ନେଇ ଦେଖାଦେଇଥିବା ସଂକଟ ପୁତିନ୍ଙ୍କୁ ଆହୁରି ବ୍ୟସ୍ତ କରିଛି । ରୁଷ୍ରେ ଆଳୁ ସଂକଟ ଯୋଗୁ ଏହାର ମୂଲ୍ୟ ଏବେ ସର୍ବାଧିକ ସ୍ତରରେ ପହଞ୍ôଚବାରେ ଲାଗିଛି । ପୁତିନ୍ ମଧ୍ୟ ଏପ୍ରକାର ଆଳୁ ସଂକଟକୁ ସ୍ୱୀକାର କରିଛନ୍ତି । ଗତ ୧ ବର୍ଷ ମଧ୍ୟରେ ରୁଷ୍ରେ ଆଳୁ ମୂଲ୍ୟ ପ୍ରାୟ ୨.୮ ଗୁଣ ବୃଦ୍ଧି ପାଇଛି । ୨୦୨୫ ମେ’ ଆରମ୍ଭରେ, ଏକ କିଲୋ ଆଳୁର ହାରାହାରି ଦାମ୍ ୮୫ ରୁବେଲ୍ (ପ୍ରାୟ ୮୯ ଟଙ୍କା)ରେ ପହଞ୍ଚିଥିଲା ।
ଯେତେବେଳେ ଗତ ବର୍ଷ ଏହା ପ୍ରାୟ ୩୦ ରୁବେଲ୍ (୩୨ ଟଙ୍କା) ଥିଲା । ଏବେ କିଛି ଅଞ୍ଚଳରେ, ପ୍ରତି କିଲୋ ପିଛା ଦାମ୍ ୨୦୦ ରୁବେଲ୍ ପର୍ଯ୍ୟନ୍ତ ପହଞ୍ଚିଛି । ଏହି ସଙ୍କଟ ସରକାରଙ୍କୁ ଦୋହଲାଇ ଦେଇଛି । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେଙ୍କୋ ମଧ୍ୟ ଏହି ସଙ୍କଟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ଏହି ସଙ୍କଟ ପଛରେ ସବୁଠାରୁ ବଡ଼ କାରଣ ହେଉଛି ୨୦୨୪ ମସିହାର ଖରାପ ଫସଲ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆଳୁ ଉତ୍ପାଦନ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇଛି । ଚଳିତ ବର୍ଷ ଆଳୁ ଉତ୍ପାଦନ ମୋଟ ଉତ୍ପାଦନ ମାତ୍ର ୧୭.୮ ନିୟୁତ ଟନ୍ ଥିଲା । ଏହାର ପ୍ରମୁଖ କାରଣ ଥିଲା ଖରାପ ପାଗ, ବିହନ ଆଳୁର ଅଭାବ ଏବଂ ଚାଷ ଅଞ୍ଚଳ ହ୍ରାସ । ୨୦୨୩ ମସିହାରେ, ରୁଷିଆରେ ଏତେ ପରିମାଣରେ ଆଳୁ ଉତ୍ପାଦନ ହୋଇଥିଲା ଯେ, ଦର ବହୁତ ହ୍ରାସ ପାଇଥିଲା । ଏହା ଚାଷୀମାନଙ୍କୁ କ୍ଷତି ପହଞ୍ଚାଇଥିଲା ଏବଂ ସେମାନେ ୨୦୨୪ ମସିହାରେ ଆଳୁ ବଦଳରେ ତେଲ ବିହନ, ସୁଗାର ବିଟ୍ ଭଳି ଫସଲ ଚାଷ କରିବା ଆରମ୍ଭ କରିଥିଲେ ।










