16.1 C
Bhubaneswar
Tuesday, January 20, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା: ଚିଲିକାକୁ ଡଙ୍ଗା ପ୍ରବେଶ ମନା

ସମ୍ଭାବ୍ୟ ବାତ୍ୟା: ଚିଲିକାକୁ ଡଙ୍ଗା ପ୍ରବେଶ ମନା

ବାଲୁଗାଁ: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ବାତ୍ୟା ରୂପ ନେଇଛି। ଏହି ବାତ୍ୟା ‘ଦାନା’ ୨୪ତାରିଖ ବିଳମ୍ବିତ ରାତ୍ରିରେ ପୁରୀ ଓ ପଶ୍ଚିମବଙ୍ଗ ସୀମାନ୍ତ ସାଗରଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା ରହିଥିବାରୁ ଅଞ୍ଚଳବାସୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରିଲିଫ କମିଶନ ଓ ଜିଲ୍ଲା ପ୍ରଶାସନ ଏବଂ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ୍ରମେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସୋମବାର ଡାକବାଜି ଯନ୍ତ୍ର ମାଧ୍ୟମରେ ଚିଲିକା ତଟବର୍ତ୍ତୀ ଅଞ୍ଚଳବାସୀ ଓ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ଆସନ୍ତା ୨୫ ତାରିଖ ଯାଏ ଚିଲିକାରେ ଯାତ୍ରୀବାହୀ ଏବଂ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ପ୍ରଶାସନ ତରଫରୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚି଼ହ୍ନଟ କରାଯାଇଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ତଥା ଶାନ୍ତିନଗର, ସନ୍ୟାସୀ ନଗର ଏବଂ ଗୋପବନ୍ଧୁ ନଗର ବାସିନ୍ଦାଙ୍କୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତର ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି।

ଆଶ୍ରୟସ୍ଥଳୀଗୁଡିକରେ ଆଲୋକ, ପାନୀୟ ଜଳ, ଶୁଖିଲା ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା ସହ ପ୍ରସୂତି ମହିଳା ଓ ନବଜାତ ଶିଶୁ ଓ ମା’ମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି। ତେବେ ବାତ୍ୟା ଆଶଙ୍କାରେ ମତ୍ସ୍ୟଜୀବୀମାନେ ନିଜ ନିଜ ଡଙ୍ଗାଗୁଡିକୁ ଆଣି ସୁରକ୍ଷିତ ସ୍ଥାନରେ ରଖୁଥିବା ଦେଖାଯାଇଛି। ସେହିପରି ବାଲୁଗାଁ ସ୍ଥିତ ମତ୍ସ୍ୟ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ତଟବର୍ତ୍ତୀ ୪୨ଗୋଟି ଗ୍ରାମ ବାସିନ୍ଦାଙ୍କୁ ୨୧ ତାରିଖରୁ ୨୫ ତାରିଖ ଯାଏଁ ଚିଲିକା ମଧ୍ୟକୁ ଡଙ୍ଗା ନ ନେବା ପାଇଁ ସତର୍କ କରାଯିବା ସହ ୧୦ଗୋଟି ଫିସ୍ ଲାଣ୍ଡିଙ୍ଗ ସେଣ୍ଟର(ଜେଟି) ଠାରେ ଡଙ୍ଗାଗୁଡିକୁ ସୁରକ୍ଷିତ ଭାବେ ବାନ୍ଧି ରଖିବାକୁ ପରାମର୍ଶ ଦିଆଯାଇଛି ବୋଲି ମତ୍ସ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ଦାସ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking