16.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶରେଡ୍ ବୁକ୍‌’କୁ ନେଇ ରାଜନୀତି: କଂଗ୍ରେସ-ବିଜେପି ମୁହାଁମୁହିଁ

ରେଡ୍ ବୁକ୍‌’କୁ ନେଇ ରାଜନୀତି: କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ନାଗପୁରରେ ଆୟୋଜିତ ଏକ ସମ୍ବିଧାନ ସମ୍ମାନ ସମ୍ମିଳନୀ କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ଥିବା ରାହୁଲ ଗାନ୍ଧୀ ଦେଶର ସମ୍ବିଧାନ ପୁସ୍ତକକୁ ଦେଖାଇ ବିଜେପି ଏବଂ ଆରଏସ୍‌ଏସ୍‌କୁ ସମାଲୋଚନା କରିଥିଲେ। ତେବେ ରାହୁଲ ଗାନ୍ଧୀଙ୍କୁ ଏନେଇ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଆସୁଛି। ତେବେ ବିଜେପି ଏବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାକୁ ଏକ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଚେଷ୍ଟା କରିବା ପରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉତ୍ପନ୍ନ ହୋଇଛି।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, କଂଗ୍ରେସ ନେତା ରାହୁଲ ଏବେ ହାତରେ ନାଲି ପୁସ୍ତକ (ରେଡ୍ ବୁକ୍‌) ଧରି ‘ଅର୍ବାନ ନକ୍ସଲ ଓ ଅରାତକତାବାଦୀ’ଙ୍କ ଠାରୁ ଭୋଟ୍ ମାଗୁଛନ୍ତି। ରାଜନୀତିରେ ନାଲି ରଙ୍ଗ ସାଧାରଣତଃ ବାମପନ୍ଥୀ ବିଚାରଧାରା ସହ ଜଡ଼ିତ ରହିଥାଏ। ତେଣୁ ଫଡନାଭିସ ସେହି ଆଧାରରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ। କେବଳ ଫଡନଭୀସ ନୁହନ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ମହାରାଷ୍ଟ୍ରର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ମଧ୍ୟ ସମାନ ପ୍ରସଙ୍ଗରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସକୁ ସମର୍ଥନ କରିବାର ଅର୍ଥ ସମ୍ବିଧାନକୁ ହତ୍ୟା କରିବା ସହ ସମାନ ବୋଲି ବିଜେପି ନେତାମାନେ କହିଛନ୍ତି।
ତେବେ କଂଗ୍ରେସ ନେତାଙ୍କ ଏପ୍ରକାର ବିବୃତିକୁ କାଉଣ୍ଟର କରିବା ପୂର୍ବକ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଯେଉଁ ବହିକୁ ନେଇ ଫଡନଭୀସ ଆପତ୍ତି ଉଠାଇଛନ୍ତି, ସେଇଟା ହେଉଛି ଭାରତର ସମ୍ବିଧାନ। ଡ. ବିଆର ଆମ୍ବେଦକର ଥିଲେ ଏହାର ମୁଖ୍ୟ ସ୍ରଷ୍ଟା। ଏହା ସେହି ସମାନ ଭାରତୀୟ ସମ୍ବିଧାନ ଯାହାକୁ ଆରଏସ୍‌ଏସ୍ ୧୯୪୯ରେ ଟାର୍ଗେଟ୍ କରିଥିଲା। ଏହା ମନୁସ୍ମୃତିରୁ ଅନୁପ୍ରାଣିତ ହୋଇନଥିବାରୁ ଆରଏସଏସ ଏମିତି କରିଥିଲା।” ଏହି ପରିପ୍ରେକ୍ଷୀରେ ଜୟରାମ, ଏହି ଲେଖା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନାଲି ରଙ୍ଗର ସମ୍ବିଧାନକୁ ଗ୍ରହଣ କରୁଥିବା ବେଳର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଭାରତ ସରକାର କେବେ ହେଲେ ଅର୍ବାନ ନକ୍ସଲ ଶବ୍ଦର ବ୍ୟବହାର କରି ନାହାନ୍ତି ବୋଲି ରମେଶ କହିଛନ୍ତି। ତେଣୁ ଫଡନାଭିସ ପ୍ରଥମେ ଭାବନ୍ତୁ ଓ ତା’ପରେ କୁହନ୍ତୁ ବୋଲି ରମେଶ ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking