14.1 C
Bhubaneswar
Tuesday, January 13, 2026
Homeଓଡିଶାଟିକେଟ୍ ପାଇଁ ଠେଲାପେଲା, ପୁଲିସର ଲାଠିଚାର୍ଜ

ଟିକେଟ୍ ପାଇଁ ଠେଲାପେଲା, ପୁଲିସର ଲାଠିଚାର୍ଜ

କଟକ: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ସାରା ରାତି ଉଜାଗର ରହିଥିବା କ୍ରିକେଟ୍ ପ୍ରେମୀଙ୍କୁ ମିଳିଛି ଟିକେଟ୍ । ବାରବାଟୀ ମୁକାବିଲା ନିମନ୍ତେ ଶୁକ୍ରବାର ବକ୍ସ ଅଫିସ୍‌ରେ ୧୦ହଜାର କାଉଣ୍ଟର ଟିକଟ ବିକ୍ରି କରାଯିବା ସହ ସମସ୍ତ ଟିକଟ ଶେଷ ହୋଇଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ମାତ୍ର ବ୍ୟାରିକେଡରେ ଅପେକ୍ଷାରତ ଦର୍ଶକଙ୍କୁ ନିରାଶ ନକରିବାକୁ ବକ୍ସଅଫିସ୍ ଆଉ ଘଣ୍ଟାଏ ଖୋଲା ରଖାଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟିକଟ ଶେଷ ହୋଇଥିଲା। ଯେଉଁମାନେ ଅନଲାଇନ୍ ଜରିଆରେ ଟିକଟ ବୁକ୍ କରିଥିଲେ ସେମାନଙ୍କୁ ଆସନ୍ତା ୮ ଏବଂ ୯ ତାରିଖରେ ଟିକଟ୍ ପ୍ରଦାନ କରାଯିବ। ଏଥି ନିମନ୍ତେ କେମ୍ବ୍ରିଜ ସ୍କୁଲରେ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲିବ। ପୂର୍ବ ତ୍ରୁଟିକୁ ସୁଧାରିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଏବଂ ପୁଲିସ ପକ୍ଷରୁ ହୋଇଥିବା ଯୋଜନା ଏକ ପ୍ରକାର ଫଳପ୍ରଦ ହୋଇଛି। ସର୍ପେଣ୍ଟାଇନ୍‌(ଜିକଜ୍ୟାକ୍‌) ଶୈଳୀରେ ବ୍ୟାରିକେଡ ବନ୍ଧା ଯାଇଥିଲା। ଯଦ୍ୱାରା ସର୍ଭିସ ବ୍ୟାରିକେଡ୍ ଟପି ଟିକଟ ଆଶାୟୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବ୍ୟାରିକେଡରେ ପ୍ରବେଶ କରିବା ଅମାନିଆଙ୍କ ନିମନ୍ତେ କାଠିକର ପାଠ ହୋଇଥିଲା। ଏତଦବ୍ୟତୀତ ପ୍ରଥମଥର ବକ୍ସ ଅଫିସ ସମ୍ମୁଖରେ ବାଉନ୍ସର ନିୟୋଜିତ ହୋଇଥିଲେ। ପ୍ରତ୍ୟେକ କାଉଣ୍ଟର ଆଗରେ ଜଗି ରହିଥିଲେ ୪ରୁ ୬ଜଣ ବାଉନ୍ସର।

ଏଣୁ ବକ୍ସ ଅଫିସରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ମଧ୍ୟ କେହି ସାହସ ଜୁଟାଇ ପାରିନଥିଲେ। କାଉଣ୍ଟର ଖୋଲିବା ପୂର୍ବରୁ ତଥା ସକାଳ ପ୍ରାୟ ୯ଟା ସମୟରେ କ୍ରିକେଟପ୍ରେମୀଙ୍କ ଭିତରେ ଠେଲାପେଲା ହେବା ସହ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏହାକୁ ଲକ୍ଷ୍ୟରେ ରଖି ପୁଲିସ ଘଟଣା ସ୍ଥଳରେ ଲାଠିଚାଳନା କରିଥିଲା। ତେବେ ଦିନ ସମୟରେ କେତେକ ଦିବ୍ୟାଙ୍ଗ ଟିକଟ କିଣିବାକୁ ଆସି ହଟ୍ଟହଟ୍ଟା ହୋଇଥିବା ଦେଖିବାକୁ ମିଳିଥିଲା। ଲମ୍ବା ଧାଡିରେ ଛିଡ଼ା ହୋଇ ଟିକଟ କିଣି ନପାରି ଫେରିବାକୁ ବସିଥିବା ବେଳେ କମିଶନରେଟ ପୁଲିସ ଏବଂ ଓସିଏ ପକ୍ଷରୁ ଆଲୋଚନା କରାଯାଇ ଦିବ୍ୟାଙ୍ଗଙ୍କ ପାଇଁ ଟିକଟ ବିକ୍ରିର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କୁ ଟିକଟ ବିକ୍ରି କରାଯାଇଥିଲା। ପ୍ରକାଶଥାଉକି, ଭାରତ-ଦକ୍ଷିଣଆଫ୍ରିକା ବିପକ୍ଷ ଟି-୨୦ ମୁକାବିଲାକୁ ଆଉ ୩ଦିନ ବାକି । ଟିକଟ ବିକ୍ରି ଶେଷ ହୋଇଥିବା ବେଳେ ଏବେ ମ୍ୟାଚ୍‌କୁ ଅପେକ୍ଷା। ଚଳିତଥର ୫ଟି କାଉଣ୍ଟରରେ ଅଫ୍‌ଲାଇନ୍ ଟିକଟ ବିକ୍ରି କରାଯାଇଥିଲା । ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ୩ଟି ଟିକଟ କାଉଣ୍ଟର ଖୋଲିଥିଲା। ଯେଉଁଥିରେ ଗ୍ୟାଲେରୀ ଏବଂ ସ୍ପେଶିଆଲ ଏନକ୍ଲୋଜର ଟିକଟ ବିକ୍ରି କରାଯାଇଥିଲା । ହର୍ସର୍ ଗେଟ୍ ନିକଟରେ ଦାମୀ ଟିକଟ ବିକ୍ରି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking