27.1 C
Bhubaneswar
Tuesday, September 24, 2024
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ଦାତା ପରିଷଦ ରିପୋର୍ଟରେ ଓଡ଼ିଶାର ଦୁଇ ଦଶନ୍ଧିର ପ୍ରଗତିକୁ ପ୍ରଶଂସା: ବିଜେଡି

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ଦାତା ପରିଷଦ ରିପୋର୍ଟରେ ଓଡ଼ିଶାର ଦୁଇ ଦଶନ୍ଧିର ପ୍ରଗତିକୁ ପ୍ରଶଂସା: ବିଜେଡି

ମୁଣ୍ଡ ପିଛା ଆୟ ବୃଦ୍ଧି ହାରରେ ଓଡ଼ିଶାର ଅଭିବୃଦ୍ଧି ସର୍ବାଧିକ
ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଲୋକାଭିମୁଖୀ ଯୋଜନା ପାଇଁ ଓଡ଼ିଶା ସଫଳ
କେବଳ ନାମ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ନ ରହି ନବୀନଙ୍କ ଯୋଜନାକୁ ଆଗେଇ ନେଲେ ରାଜ୍ୟ ପ୍ରଗତି ଜାରି ରହିବ

ଭୁବନେଶ୍ୱର : ନିକଟରେ ପ୍ରକାଶିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଦିଆଯାଇଥିବା ବିବରଣୀକୁ ଦର୍ଶାଇ, ବିଜୁଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ତଥା ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଶ୍ରୀ ସଂତୃପ୍ତ ମିଶ୍ର କହିଥିଲେ, ଗତ ଦୁଇ ଦଶନ୍ଧିରେ ଓଡିଶା ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି, ଯାହା ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ ।ଏହି ରିପୋର୍ଟ ବିଜୁଜନତା ଦଳ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଓ ଏଥିରେ ଓଡ଼ିଶାର ଦୁଇ ଦଶନ୍ଧିର ସଫଳତାକୁ ଭୂରିଭୁରି ପ୍ରଶଂସା କରାଯାଇଛି ।ନବୀନ ପଟ୍ଟନାୟକଙ୍କ ଚବିଶ ବର୍ଷର ଶାସନ କାଳରେ ରାଜ୍ୟରେ କୌଣସି ଆଖି ଦୃଶିଆ ବିକାଶ ହୋଇନାହିଁ ବୋଲି ବିଜେପି ତରଫରୁ ଲଗାତର ଭାବେ କରାଯାଉଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ ।
ଶ୍ରୀ ମିଶ୍ରକହିଥିଲେ, ମୁଣ୍ଡ ପିଛା ଆୟବୃଦ୍ଧି କ୍ଷେତ୍ରରେ,ବିଗତ ଦୁଇ ଦଶନ୍ଧିରେ ଭାରତର ସମସ୍ତ ରାଜ୍ୟମାନଙ୍କ ତୁଳନାରେ ଓଡିଶାର ଅଭିବୃଦ୍ଧି ହାର ସର୍ବାଧିକ । ଏହି ଅଭିବୃଦ୍ଧି ଓଡିଶା ସରକାରଙ୍କ ପାରଦର୍ଶୀ ନୀତି ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ରିପୋର୍ଟରେ କୁହାଯାଇଛି ।ରାଜ୍ୟର ଆପେକ୍ଷିକ ମୁଣ୍ଡ ପିଛା ଆୟ ଯାହା ୨୦୦୦ ମସିହାରେ ୫୫% ଥିଲା, ତାହା ୨୦୨୪ ବେଳକୁ ୮୮%କୁ ବୃଦ୍ଧିପାଇଛି ।ଏହି ସମୟ ମଧ୍ୟରେ ଦେଶର ଜିଡିପିକୁ ବଡ଼ବଡ଼ ରାଜ୍ୟମାନଙ୍କ ଅବଦାନ କମିଥିବା ବେଳେ ଓଡ଼ିଶାର ଅବଦାନ ଲଗାତାର ବୃଦ୍ଧି ପାଇଛି ।୨୦୦୦-୦୧ରେ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୩%ରହିଥିବା ବେଳେ ୨୦୨୩-୨୪ ବେଳକୁ ଏହା ୨.୮%କୁ ବୃଦ୍ଧି ପାଇଛି । ଅପରପକ୍ଷରେ, ପଞ୍ଜାବର ଅବଦାନ ୩.୯%ରୁ ୨.୪%କୁ, ମହାରାଷ୍ଟ୍ରର ଅବଦାନ ୧୪%ରୁ ୧୩.୩%କୁ, ଦିଲ୍ଲୀର ଅବଦାନ ୩.୭%ରୁ ୩.୬%କୁ, ପଶ୍ଚିମବଙ୍ଗର ଅବଦାନ ୮.୨%ରୁ ୫.୬%କୁ, ଉତ୍ତର ପ୍ରଦେଶର ଅବଦାନ ୧୦.୯% ରୁ ୯.୫%କୁ ଖସିଛି ବୋଲି ରିପୋର୍ଟରେ ଦର୍ଶଯାଇଛି ।ଏହି ରିପୋର୍ଟରେ ଓଡ଼ିଶାର ଅଭିବୃଦ୍ଧିକୁ ଏକ ବଡ଼ ଉପଲବ୍ଧି ବୋଲି ଦର୍ଶାଯାଇଛିା
ଶ୍ରୀ ମିଶ୍ର ଆହୁରି କହିଥିଲେ, ୨୦୦୦ ମସିହାରେ ନବୀନ ବାବୁ ରାଜ୍ୟ ଶାସନ ଦାୟିତ୍ୱ ନେବା ସମୟରେ ଓଡ଼ିଶାର ଆର୍ଥିକ ସ୍ଥିତି ଦେବାଳିଆ ସ୍ଥିତିରେ ଥିଲା ।ସେହି ସମୟରେ ରିଜର୍ଭ ବ୍ୟାଙ୍କ ପାଖରେ ଓଡ଼ିଶାର ପ୍ରାୟ ୧୪୪ କୋଟି ଟଙ୍କାର ଓଭରଡ୍ରାଫ୍ଟ ଥିଲା ।ରିଜର୍ଭ ବ୍ୟାଙ୍କ ଏହି ଓଭରଡ୍ରାଫ୍ଟକୁ ଆଉ ଅଧିକ କରିବା ପାଇଁ ଅନୁମତି ଦେଇନଥିଲେ, ଯାହା ଫଳରେ ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟରତ ପ୍ରାୟ ଛଅ ଲକ୍ଷ କର୍ମଚାରୀ ଓ ପେନସନ ଧାରୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ବିଳମ୍ୱ ହେଉଥିଲା । ୨୦୦୦ ମସିହାରେ ଏକ ଦେବାଳିଆ ରାଜ୍ୟ ଭାବେ ପରିଚୟ ପାଇଥିବା ଓଡିଶା, ନବୀନ ବାବୁଙ୍କ ନେତୃତ୍ୱରେ ଆର୍ଥିକ ଶୃଙ୍ଖଳା, ପ୍ରଶାସନିକ ପାରଦର୍ଶିତା ଓ ନୂତନ ଶିଳ୍ପ ନୀତି ମାଧ୍ୟମରେ ଓଡିଶା ଏକ ରାଜସ୍ୱ ନିଅଣ୍ଟ ରାଜ୍ୟରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇପାରିଥିଲା । ୨୦୦୦ ମସିହାରେ ଓଡିଶା ୧୮,୦୦୦ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ଥିଲାବେଳେ ୨୦୨୪ ବେଳକୁ ୪୮,୦୦୦ କୋଟି ଟଙ୍କାର ରାଜସ୍ୱ ବଳକା ହୋଇଛି । ସେହିପରି, ରାଜ୍ୟର ମୁଣ୍ଡ ପିଛା ଆୟମାତ୍ର ୧୦,୨୧୧ ଟଙ୍କା ଥିଲା ବେଳେ ଏହା ୨୦୨୪ ବେଳକୁ ଏହା ୧,୬୧,୪୩୭ ଟଙ୍କାକୁ ବୃଦ୍ଧି ପାଇଛି ।

୨୦୦୦ ମସିହାରେ ଓଡ଼ିଶାର ସତୁରି ଭାଗ ଲୋକ ଗରିବ ସୀମାରେଖା ତଳେ ଥିଲେ, ଯାହା ୨୦୨୪ ବେଳକୁ ମାତ୍ର ଦଶ ପ୍ରତିଶତ କୁ ଖସି ଆସିଛି । ୨୦୦୦ ମସିହାରେ ରାଜ୍ୟର ଜିଡିପି ୪୬,୭୫୬ କୋଟି ଟଙ୍କା ଥିଲାବେଳେ ଏହା ୨୦୨୪ ବେଳକୁ ୮.୩ ଲକ୍ଷ କୋଟି ଟଙ୍କାରେ ପହଁଚିଛି ।ରାଜ୍ୟରେ ଧାନ ଉତ୍ପାଦନ ୨୦୦୦ ମସିହାରେ ୪୬.୧୪ ଲକ୍ଷ ମେଟ୍ରିକ ଟନ ଥିଲା ବେଳେ ଏହା ୨୦୨୪ ରେ ୧୦୧.୩୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ ଟନରୁ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି ଓ ଓଡିଶା ଦେଶର ଚତୁର୍ଥ ବୃହତ ମାଛ ଉତ୍ପାଦନ ରାଜ୍ୟ ଭାବେ ପରିଗଣିତ ହୋଇଛି ।ରାଜ୍ୟରେ ଅଣ୍ଡା ଉତ୍ପାଦନ ୭୩୦ ନିୟୁତରୁ ୩୪୭୫ ନିୟୁତକୁ ବୃଦ୍ଧିପାଇଛି । ଓଡିଶା ୨୦୦୦ ମସିହାରେ ୩୮୭ କୋଟି ଟଙ୍କାର ରପ୍ତାନି କରୁଥିବା ବେଳେ୨୦୨୩-୨୪ରେ ଏହା ୧,୬୫,୨୧୧ କୋଟି ଟଙ୍କାରେ ପହଁଚିଛି ଓ ଓଡିଶା ଦେଶର ସପ୍ତମ ଶ୍ରେଷ୍ଠ ରପ୍ତାନୀକାରୀ ରାଜ୍ୟର ମାନ୍ୟତା ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଗୋଟିଏ ବିମାନବନ୍ଦର କାର୍ଯ୍ୟକ୍ଷମ ଥିଲାବେଳେ ୨୦୨୪ରେ ଛଅଟି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ରାଜ୍ୟରେ ବନ୍ଦର ସଂଖ୍ୟା ଏକ ରୁ ତିନିକୁ ବୃଦ୍ଧି ପାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ ।
୨୦୦୦ ମସିହାରେ ଓଡ଼ିଶାର ବଜେଟ ମାତ୍ର ୧୦,୦୦୦ କୋଟି ଟଙ୍କା ଥିଲାବେଳେ ୨୦୨୩ ବେଳକୁ ଏହା ୨,୫୫,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା ।ବର୍ତ୍ତମାନର ସରକାର ୨,୬୫,୦୦୦ କୋଟି ଟଙ୍କାର ବଜେଟ ଆଣିଛନ୍ତି ଯାହା ପୂର୍ବ ବର୍ଷ ବଜେଟ ଠାରୁ ମାତ୍ର ୩.୭୭% ଅଧିକ ।କିନ୍ତୁ ଏହା ପନ୍ଦର ପ୍ରତିଶତ ଅଧିକ ବୋଲି କୁହାଯାଉଛି, ଯାହା ସତ୍ୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଥିଲେ ।ସେ ଆହୁରି କହିଥିଲେ, ଚବିଶ ବର୍ଷରେ ବିଜେଡି ସରକାର ୭୪,୦୦୦ କୋଟି ଟଙ୍କା ଋଣ କରିଥିବା ବେଳେ ବିଜେପି ସରକାର ପ୍ରଥମ ବର୍ଷରେ ୪୪, ୦୦୦ କୋଟି ଋଣ ପାଇଁ ଯୋଜନା କରିଛନ୍ତି ।ଏହିପରି ଋଣ କଲେ, ଆଗାମୀ ପାଞ୍ଚ ବର୍ଷରେ ଏହି ଋଣ ପରିମାଣ ୩ ଲକ୍ଷ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି ।କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ଯେ, ଗତ ଦୁଇ ଦଶନ୍ଧିରେ ଓଡିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି ।ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ସୁଦୃଢ଼ ରଖି ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଅନୁକୂଳ ବାତାବରଣର ଆବଶ୍ୟକତା ରହିଛି ।ତେଣୁ ରାଜ୍ୟର ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ କେବଳ ନାମ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ନ ରହି ନବୀନଙ୍କ ଯୋଜନାକୁ ଆଗେଇ ନେଲେ ରାଜ୍ୟ ପ୍ରଗତି ଜାରି ରହିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking