ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ, ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କୂଟନୈତିକ ଷ୍ଟ୍ରାଇକ୍ କରିଚାଲିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଇସ୍ଲାମାବାଦକୁ ଅନ୍ତର୍ଜାତୀୟ ପାଣ୍ଠି ହ୍ରାସ କରାଇବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସିଆନ୍ ଡେଭେଲପ୍ମେଣ୍ଟ ବ୍ୟାଙ୍କ (ଏଡିବି) ଅଧ୍ୟକ୍ଷ ମାସାତୋ କାଣ୍ଡାଙ୍କୁ ଭେଟି ପାକିସ୍ତାନକୁ ଦିଆଯାଉଥିବା ପାଣ୍ଠିକୁ ଜରୁରିକାଳୀନ ପ୍ରଭାବରେ ହ୍ରାସ କରିବାକୁ ଦାବି କରିଥିବା ସୂଚନା ମିଳିଛି । ଭାରତର ଏହି ପଦକ୍ଷେପକୁ ପାକିସ୍ତାନ୍ ଉପରେ ଆର୍ଥିକ ଆକ୍ରମଣ ବୋଲି ଅଭିହିତ କରାଯାଉଛି । ରିପୋର୍ଟ ଅନୁସାରେ ଇଟାଲୀର ମିଲନ୍ ଠାରେ ଅନୁଷ୍ଠିତ ଏଡିବି ବାର୍ଷିକ ବୈଠକରେ ଅର୍ଥମନ୍ତ୍ରୀ ସୀତାରମଣ, ଏଡିବି ଅଧ୍ୟକ୍ଷ ମାସାତୋ କାଣ୍ଡା, ଇଟାଲୀ ଅର୍ଥମନ୍ତ୍ରୀ ଜିଆନକାର୍ଲୋ ଜିଓର୍ଗେଟ୍ଟିଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ସହ ସୀତାରମଣ ପାକିସ୍ତାନ ପକ୍ଷରୁ ଆତଙ୍କବାଦକୁ ପୃଷ୍ଠପୋଷକତା କରାଯାଉଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ଆର୍ଥିକ ସ୍ତରରେ ପାକିସ୍ତାନକୁ ମିଳୁଥିବା ସମସ୍ତ ସହାୟତା ବନ୍ଦ କରାଯିବା ଉଚିତ୍ ବୋଲି ଦାବି କରିଥିଲେ । କେବଳ ସେତିକି ନୁହେଁ, ପାକିସ୍ତାନକୁ ପୁଣିଥରେ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍)ର ଗ୍ରେ ତାଲିକାରେ ରଖିବା ପାଇଁ ସୀତାରମଣ୍ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ମଧ୍ୟ ଆଲୋଚନା କରିଛନ୍ତି ।
ଉତ୍କଟ ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏଡିବି, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଭଳି ଅନ୍ତର୍ଜାତୀୟ ମନିଟାରୀ ସଂଗଠନ ପକ୍ଷରୁ ମିଳୁଥିବା ପାଣ୍ଠି ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛି । ଆଇଏମ୍ଏଫ୍ ଏବଂ ଏଡିବି ପାକିସ୍ତାନର ବିଭିନ୍ନ ସେକ୍ଟରକୁ ଆର୍ଥତ୍କ ସହାୟତା ଯୋଗାଇଆସୁଛନ୍ତି । ତେବେ ନିକଟରେ ପାକିସ୍ତାନକୁ ଆଇଏମ୍ଏଫ୍ ପକ୍ଷରୁ ୭ ବିଲିଅନ ଡଲାରରୁ ଊର୍ଦ୍ଧ୍ୱ ସହାୟତା ପ୍ୟାକେଜ୍ ଦିଆଯିବା ନେଇ ନିଷ୍ପତ୍ତି ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ଏହାକୁ ମଧ୍ୟ ଭାରତ ବିରୋଧ କରିବ ବୋଲି ଆଶା କରାଯାଉଛି । ଆଇଏମ୍ଏଫ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ମେ ୯ରେ ଅନୁଷ୍ଠିତ ହେବ । ଅନ୍ୟାନ୍ୟ ପ୍ରସଙ୍ଗ ସହ ପାକିସ୍ତାନକୁ ୭ ବିଲିଅନ ଡଲାରର ବେଲଆଉଟ୍ ପ୍ୟାକେଜ ଦିଆଯିବା ନିଷ୍ପତ୍ତି ଉପରେ ମଧ୍ୟ ସମୀକ୍ଷା ହେବାର ଆଶା କରାଯାଉଛି । ଏସବୁ ମଧ୍ୟରେ ସୋମବାର ଦିନ, ବିଶ୍ୱ ମୂଲ୍ୟାଙ୍କନ ଏଜେନ୍ସି ମୁଡିଜ୍ କହିଛି ଯେ ପ୍ରକାଶ, ଭାରତ ସହିତ ଉତ୍ତେଜନା ବୃଦ୍ଧି ପାଇବା ପାକିସ୍ତାନର ଅର୍ଥନୀତିକୁ ଏକ ଆଘାତ ଦେବ ଏବଂ ଏହାର ଚାଲିଥିବା ଆର୍ôଥକ ଏକତ୍ରୀକରଣକୁ ବାଧା ଦେବ ବୋଲି ମୁଡିଜ୍ (ବିଶ୍ୱ ଅର୍ଥନୀତି ମୂଲ୍ୟାଙ୍କନକାରୀ ଏଜେନ୍ସି) କହିଛି । ମୁଡିଜ୍ ରିପୋର୍ଟ ଅନୁସାରେ ଭାରତ ସହ ଉତ୍ତେଜନା ପାକିସ୍ତାନର ବାହ୍ୟ ଆର୍ôଥକ ସହାୟତା ପାଇବାରେ ବାଧା ସୃଷ୍ଟି କରିପାରେ ଏବଂ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ପକାଇପାରେ, ଯାହା ଆଗାମୀ କିଛି ବର୍ଷ ପାଇଁ ଏହାର ବାହ୍ୟ ଋଣ ସେବା ଆବଶ୍ୟକତା ପୂରଣ କରିବା ପାଇଁ ଆବଶ୍ୟକ ପରିମାଣଠାରୁ ବହୁତ କମ୍ ଅଛି ।