24.1 C
Bhubaneswar
Monday, March 23, 2026
Homeଓଡିଶାଦଶମ ଓ +୨ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ନକ୍ସା ପ୍ରସ୍ତୁତ; ପରୀକ୍ଷା କେନ୍ଦ୍ର ହେବ ଜିରୋ...

ଦଶମ ଓ +୨ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ନକ୍ସା ପ୍ରସ୍ତୁତ; ପରୀକ୍ଷା କେନ୍ଦ୍ର ହେବ ଜିରୋ କପି ଜୋନ୍‌, ଗଠନ ହେବ କମିଟି

ଭୁବନେଶ୍ୱର: ଉଭୟ ମ୍ୟାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି। ବିଶେଷକରି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ସହ ମୁଲ୍ୟାଙ୍କନରେ ମଧ୍ୟ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟର ମାଟ୍ରିକ ପରୀକ୍ଷା କେନ୍ଦ୍ର ଓ ଜୁନିୟର କଲେଜରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଯେଉଁମାନେ ନିୟମକୁ ଅବମାନନା କରିବାକୁ ଉଦ୍ୟମ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟରେ ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ପ୍ରତିବର୍ଷ ବିଭାଗ ପକ୍ଷରୁ ବହୁ କସରତ କରିବାକୁ ପଡୁଛି। ବିଶେଷକରି ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ପ୍ରତିବର୍ଷ ଉଭୟ ପ୍ରାକ୍ଟିକାଲ ଏବଂ ଥିଓରୀରେ ଅନେକ ସମସ୍ୟା ଉପୁଜିୁଛି। ରାଜ୍ୟରେ ସବୁ ପରୀକ୍ଷାକେନ୍ଦ୍ର ଭିତ୍ତିଭୂମିରେ ବିକାଶ ଆଣିବା ସହ କପି ରୋକିବା ଲାଗି ସର୍ବାଧିକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ସବୁ କେନ୍ଦ୍ରକୁ ଜିରୋ କପି ଜୋନ୍ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏନେଇ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ୨ଟି ଭିନ୍ନ ଭିନ୍ନ କମିଟି ଗଠନ କରାଯିବ। ପରୀକ୍ଷାର ଦେଢ଼ମାସ ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରକୁ ଯାଞ୍ଚ କରାଯିବା ସହ ଏଣିକି ସବୁ ଶ୍ରେଣୀ ଏବଂ ପ୍ରଶ୍ନପତ୍ର ରଖାଯାଉଥିବା କକ୍ଷରେ ସିସି କ୍ୟାମେରା ଲଗାଯିବ। ବିଭାଗ ପକ୍ଷରୁ ଯେଉଁ କମିଟି ଗଠନ କରାଯିବ ସେଥିରେ ଦଶମ ଶ୍ରେଣୀ ଲାଗି ବୋର୍ଡ କାର୍ଯ୍ୟାଳୟର ୪ଜଣ ଅଧିକାରୀଙ୍କ ସମେତ ୧୩ଜଣ ସଦସ୍ୟ ରହିବେ। ସେହିପରି ଦ୍ୱାଦଶ ପରୀକ୍ଷାକେନ୍ଦ୍ର ଯାଞ୍ଚ ଲାଗି ଯାଞ୍ଚ କମିଟିରେ +୨ପରିଷଦର ଅଧିକାରୀଙ୍କ ସମେତ ସରକାରୀ ଜୁନିୟର କଲେଜର ଅଧ୍ୟକ୍ଷମାନେ ସାମିଲ ହେବେ।

ସରକାରୀ, ଘରୋଇ, ଅନୁଦାନପ୍ରାପ୍ତ, ସରକାରୀ ସ୍ୱିକୃତୀପ୍ରାପ୍ତ ସବୁ ସ୍କୁଲ ଓ କଲେଜ ଲାଗି ଏହି ନିୟମ କଡ଼ାକଡ଼ି କରାଯିବ। ସ୍କୁଲ ଲାଗି ୬ଟି ନିୟମକୁ ଗୁରୁତ୍ୱ ଦିଆଯାଇଥିବା ବେଳେ +୨ ପରୀକ୍ଷା ଲାଗି ଜୁନିୟର କଲେଜରେ ୯ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି। ଭିତ୍ତିଭୂମି, ଉଚ୍ଚ ପାଚେରୀ, ସିସି କ୍ୟାମେରା, ମୁଖ୍ୟ ଫାଟକ ଏବଂ ବିଲ୍ଡିଂରେ ସୁରକ୍ଷା, ଅଧିକ ଶିକ୍ଷକ, ଶ୍ରେଣୀରେ ଫ୍ୟାନ୍‌, ଲାଇଟ୍‌, ଝରକା କବାଟ ସହ ସବୁ ମୌଳିକ ବ୍ୟବସ୍ଥା ରଖାଯିବ। ମ୍ୟାଟ୍ରିକ ପରୀକ୍ଷାରେ ତ୍ରୀସ୍ତରୀୟ ଏବଂ +୨ ପରୀକ୍ଷାରେ ଚତୁଃସ୍ତରୀୟ ଯାଞ୍ଚ ଏବଂ ସ୍କ୍ୱାଡ ଗଠନ କରାଯିବ। କପି କରି ଧରପଡିଲେ ପିଲାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking