ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ କେସ୍ ଡାଏରୀ ଦାଖଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ । ଆସନ୍ତା ୧୨ରେ ବିକ୍ରମ ଓ ଅନ୍ୟ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହେବ । ପୂର୍ବରୁ ଜାମିନ ଆବେଦନ ଖାରଜ କରିଥିଲେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍ଙ୍କ କୋର୍ଟରେ ଆବେଦନ କରାଯାଇଥିଲା । ଜିଲ୍ଲା ଦୌରା ଜଜ୍ କୋର୍ଟରୁ ଏଡିଜେ-୩କୁ ମାମଲା ସ୍ଥାନାନ୍ତରିତ ହୋଇଛି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୭ ତାରିଖ କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଏକ ବାଇକ୍ରେ ବୈକୁଣ୍ଠନଗର ଅଞ୍ଚଳକୁ ଯାଇ ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ । ଏହି ମାମଲାରେ ବୈଦ୍ୟନାଥପୁର ଥାନା ପୋଲିସ ମୋଟ୍ ୧୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୧୬ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ ମଧ୍ୟ ରହିଛନ୍ତି ।









