ଗଞ୍ଜାମ: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା । ହତ୍ୟା ମାମଲାରେ ପୁଲିସ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରା ଉଚୁରା କରିଛି । ତାଙ୍କୁ ଭୁବନେଶ୍ୱରରୁ ଏକ ଟ୍ରାନଜାକ୍ସନ ପ୍ରସଙ୍ଗରେ ପଚରାପଚରି ପାଇଁ ପୁଲିସ ଡକାଇଥିଲା ଗତକାଲି ରାତିରେ ତାଙ୍କୁ ପୁଲିସର ଏକ ସ୍ୱତନ୍ତ୍ର ଟିମ ଆସି ଡାକି ନେଇଥିବା ସୂଚନା ମିଳିଛି । ବିଳମ୍ବିତ ରାତି ଯାଏଁ ତାଙ୍କୁ ଜେରା କରାଯାଇଛି । ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି । ହେଲେ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିନି ପୁଲିସ ।
ଗତକାଲି, ଦିନେ କି ଦୁଇ ଦିନ ଭିତରେ ଘଟଣାର ସତ ପଦାକୁ ଆସିବ ବୋଲି ପୁଲିସକୁ ଠୋସ୍ ସୁରାକ ମିଳିଥିବା ସୂଚନା ଆସିଥିଲା । ଆଇଜି କହିଥିଲେ, ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇ ଦିନ ମଧ୍ୟରେ ଓଡ଼ିଶା ଜାଣିବ କିଏ ଓ କାହିଁକି ହତ୍ୟାକାଣ୍ଡ ଭିଆଇଛି ଓ ଏହା ପଛର କାରଣ କଣ । ଏ ସମସ୍ତ ତଥ୍ୟ ସାମ୍ନାକୁ ଆସିବ । ଅନ୍ୟପଟେ ବିକ୍ରମଙ୍କୁ ଉଠାଇ ନେବାକୁ ନେଇ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଳମ୍ବିତ ରାତିରେ ବିକ୍ରମଙ୍କ ପରିବାର ଲୋକେ, ବହୁ ଆଇନଜୀବୀ ଓ ବିଜେଡ଼ି ନେତା ଓ କର୍ମୀ ମାନେ ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନାରେ ପହଞ୍ଚିଛନ୍ତି ।










