କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବାଲି ମାଫିଆମାନେ ଶହ ଶହ ଟ୍ରିପ୍ ବାଲି ସରକାରୀ ଜାଗାରେ ଗଦେଇ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ହେଲେ ଏପଟେ ଉପଜିଲ୍ଲାପାଳ ଲଘୁ ଖଣିଜ ଦ୍ରବ୍ୟ ଯଥା ବାଲି ଚୋରାଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୨୭ଟି ନଦୀରୁ ବିଭିନ୍ନ ବାଲିଘାଟରେ ପ୍ରାୟ ୩୬ଟି ବାଲି ସୈରାତ ଅଛି। ପ୍ରତିବର୍ଷ ଏହି ବାଲି ସୈରାତ ଗୁଡିକ ରାଜ୍ୟ ସରକାରଙ୍କ ପକ୍ଷରୁ ନିଲାମ କରାଯାଇ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହୁଏ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ବାଲି ସୈରାତ ଗୁଡିକ ନିଲାମ ହେଉନଥିବାରୁ ବାଲି ମାଫିଆମାନେ ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ଅଞ୍ଚଳର ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକଙ୍କୁ ହାତକରି ଚୋରା ବାଲି ଉଠାଇ ଚଢା ଦରରେ ବିକ୍ରି କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ କାକଟ-ସାନ୍ତସାହି କେନାଲ ରାସ୍ତାର ନସଡିପୁରରେ ଏକ ସରକାରୀ ସ୍ଥାନରେ ଶହ ଶହ ଟ୍ରିପ୍ ହାଇୱା ବାଲି ଗଦା କରାଯାଇ ନୀଳ ପାଲ ଆବରଣ କରି ରଖାଯାଇଛି। ଏହା କେନ୍ଦ୍ରାପଡା ଟାଉନ୍ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ପ୍ରାୟ ୫୦ ମିଟର ଦୂର ହୋଇଥିବାବେଳେ ତହସିଲ କାର୍ଯ୍ୟାଳୟରୁ ୧ କି.ମି ଏବଂ ଜିଲ୍ଲା କାର୍ଯ୍ୟାଳୟରୁ ଅଧ କିମି ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଦୈନିକ ଏହି ରାସ୍ତା ଦେଇ ଜିଲ୍ଲାସ୍ତରୀୟ ଉଚ୍ଚପଦସ୍ଥ ଅଧିକାରୀ ତଥା ଉପଜିଲ୍ଲାପାଳ ଏବଂ ତହସିଲଦାରମାନେ ଯିବା ଆସିବା କରୁଥିଲେ ମଧ୍ୟ ଏହି ଚୋରାବାଲି ପାହାଡ ଉପରେ ନିଶ୍ଚିତ ନଜର ପଡୁଥିବ। ହେଲେ ଖଜୁରୀ ଗଛ ମୂଳରୁ ପାହାଚ ପାହାଚ। ତଳଠାରୁ ସମସ୍ତେ ଉପର ଯାଏଁ ବାଲି ମାଫିଆଙ୍କ ଠାରୁ ଚାନ୍ଦା ନେଇ ଚୋରା ବାଲି ଚାଲାଣକାରୀଙ୍କୁ ସୁଯୋଗ ଦେଉଛନ୍ତି। ଏହି ସରକାରୀ ଜାଗାରେ କିଏ କାହିଁକି କିପରି ଏବଂ କାହା ସାହାସରେ ପ୍ରାୟ ଏକ ଶହ ଟ୍ରିପ୍ରୁ ଊର୍ଦ୍ଧ୍ୱ ବାଲି ଜମେଇ ରଖିଛନ୍ତି ତାହା ଜିଲ୍ଲା ପ୍ରଶାସନକୁ ହିଁ ଜଣା।
ଖାଲି ନସଡିପୁର ନୁହେଁ ପୌରାଞ୍ଚଳ ଅନ୍ତର୍ଗତ ଏକଣାଖଣ୍ଡି, ଗଣ୍ଡାକିଆ ରାସ୍ତା ନାନୋ ସୋରୁମ୍ ନିକଟ, ସାନ୍ତସାହି, କେନାଲ ବନ୍ଧ, ରାସ୍ତାକଡ ସାରା ଶହ ଶହ ଟ୍ରିପ୍ ବାଲି ଗଦା କରି ବେପାରୀମାନେ ଚୋରା ବେପାର କରୁଛନ୍ତି। ଉପଜିଲ୍ଲାପାଳ ଚୋରା ବାଲି ରୋକିବା ପାଇଁ ଏବଂ ଗଚ୍ଛିତ ଥିବା ଚୋରା ବାଲିକୁ ଜବତ କରିବା ପାଇଁ ବିଭିନ୍ନ ସମୟରେ ତହସିଲଦାର ଏବଂ ଆର୍ଆଇଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଗଚ୍ଛିତ ବାଲିକୁ ଜବତ କରିବାକୁ ଏବଂ ଚୋରା ବାଲି ରୋକିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ଏହା କେବଳ ଲୋକଦେଖାଣିଆ ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି। ଚୋରାବାଲି ମାଫିଆମାନେ ସିଂହଭାଗ ଅର୍ଥ ଜିଲ୍ଲାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦେଇ ଅନାୟସରରେ ଚୋରାବାଲି ବେପାର କରିଚାଲିଛନ୍ତି। ବିଭିନ୍ନ ସମୟରେ ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ତାଗିଦ୍ ପରେ ଉପଜିଲ୍ଲାପାଳ ଜିଲ୍ଲାରେ ବାଲି ଚୋରା ଚାଲାଣକାରୀଙ୍କ ଉପରେ କଡା ନଜର ରଖିବାକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ କହିବା ବୋଲି ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।










