30.1 C
Bhubaneswar
Sunday, February 8, 2026
Homeଓଡିଶାଅବସରର ୧୧ବର୍ଷ ପରେ ବି ମିଳୁନି ପେନ୍‍ସନ୍‍: ହାଇକୋର୍ଟଙ୍କ ତାଗିଦ

ଅବସରର ୧୧ବର୍ଷ ପରେ ବି ମିଳୁନି ପେନ୍‍ସନ୍‍: ହାଇକୋର୍ଟଙ୍କ ତାଗିଦ

ଭୁବନେଶ୍ୱର : ସରକାରୀ ଚାକିରିରୁ ଅବସର ଗ୍ରହଣର ୧୧ବର୍ଷ ପରେ ଜଣେ ଶାରୀରିକ ଭିନ୍ନକ୍ଷମ ବୃଦ୍ଧା ନିୟମିତ ପେନ୍‍ସନ୍‍ ପାଉନାହାନ୍ତି । ରାଜ୍ୟ ସରକାରଙ୍କ ଉପରେ ତାଙ୍କର ଅନେକ ଅର୍ଥ ପଡ଼ିଥିବାବେଳେ ନିଜ ଚିକିତ୍ସା ପାଇଁ ସେ ଅର୍ଥାଭାବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପ୍ରାୟ ୧୦ମାସ ତଳେ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଦେଇଥିବା ନିର୍ଦ୍ଦେଶର ଅନୁପାଳନ କରାଯାଉନଥିବାରୁ ଅଦାଲତ କ୍ଷୋଭ ପ୍ରକାଶ କରିବା ସଂଗେ ସଂଗେ ଘଟଣାର ସମାଧାନ ୪ ସପ୍ତାହ ମଧ୍ୟରେ କରାନଗଲେ ବିଭାଗୀୟ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛନ୍ତି ବୋଲି ଧରିନିଆଯାଇ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ । ଏ ସଂକ୍ରାନ୍ତରେ ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଜାନକୀ ଦାସ ନାମ୍ନୀ ଜଣେ ଶାରୀରିକ ଭିନ୍ନକ୍ଷମ ମହିଳା ୩୧ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଅପ୍‍ଥାଲମିକ୍‍ ଆସିଷ୍ଟାଣ୍ଟ ଭାବେ କାମ କରି କଟକ ଜିଲ୍ଲାରୁ ୨୦୧୪ ମସିହାରେ ଅବସର ଗ୍ରହଣ କରିଛନ୍ତି । ଏହି ଭିନ୍ନକ୍ଷମ ମହିଳା ଜଣକ ଅବିବାହିତା ମଧ୍ୟ । ତାଙ୍କର ଠିକଣା ଭାବେ ବେତନ ନିର୍ଦ୍ଧାରଣ କରାଯାଇନାହିଁ କିମ୍ବା ଉଦ୍ଦେଶ୍ୟମୂଳକ ବଦଳି ଆଦେଶ ପରିବର୍ତ୍ତନ ହେବା ପରେ ଅନୁପସ୍ଥିତି ସମୟକୁ ନିୟମିତ କରାଯାଇନାହିଁ । ଏଥିଯୋଗୁ ତାଙ୍କୁ ନିୟମିତ ପେନ୍‍ସନ୍‍ ସମେତ ଆଉ କେତେକ ଅବସରକାଳୀନ ପ୍ରାପ୍ୟ ଏ ଯାବତ୍‍ ମିଳିନାହିଁ । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଦୀର୍ଘବର୍ଷ ତଳୁ ତାଙ୍କୁ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନିଜର ଦୟା ଅନୁକମ୍ପା ସାରି ଦେଇଛନ୍ତି । ଚାକିରି କାଳ ଭିତରେ ଓ ଅବସର ଗ୍ରହଣ ପରେ ସୁଶ୍ରୀ ଜାନକୀ ଦାସ ଏ ସମସ୍ୟା ସଂକ୍ରାନ୍ତରେ ତଳୁ ଉପର ପର୍ଯ୍ୟନ୍ତ ବହୁ ଅଧିକାରୀଙ୍କୁ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଦିଙ୍କ ନିକଟରେ ବାରମ୍ବାର ଗୁହାରି କରିଆସୁଛନ୍ତି । ସେ ନିଜେ ଏକାକୀ ଯିବା ଆସିବା କରିବା ଅବସ୍ଥାରେ ନଥିବାରୁ ସବୁ ବେଳେ ତାଙ୍କୁ ଅନ୍ୟର ସହାୟତା ନେବାକୁ ପଡ଼ୁଛି । ଏ ପରିପ୍ରେକ୍ଷୀରେ ନିଜ ପ୍ରାପ୍ୟ ଗଣ୍ଡାକ ହାସଲ କରିବାକୁ ତାଙ୍କୁ ମାନସିକ, ଶାରୀରିକ ଓ ଆର୍ôଥକ ନିର୍ଯାତନା ଭୋଗିବାକୁ ହେଉଛି । ଅଥଚ ତାଙ୍କ ବେତନ ନିର୍ଦ୍ଧାରଣ, ଛୁଟି ମଞ୍ଜୁରୀ ଓ ନିୟମିତ ପେନ୍‍ସନ୍‍ ପ୍ରଦାନ ହୋଇପାରୁ ନାହିଁ । ୨୦୨୩ ଫେବୃଆରୀ ମାସରେ ବହୁ ନିବେଦନ ପରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶ୍ରୀ ଜାନକୀ ଦାସଙ୍କ ପେନ୍‍ସନ୍‍ କାଗଜପତ୍ର ନିର୍ଦ୍ଦେଶାଳୟକୁ ପଠାଇଦେଇ ହାତ ଟେକିଦେଇଛନ୍ତି । ଠିକଣା ଭାବେ ଚାଲିପାରୁନଥିବା ଓ ଠିଆ ହୋଇପାରୁନଥିବା ଏହି ଶାରୀରିକ ଭିନ୍ନକ୍ଷମ ମହିଳା ଜଣକ ଶେଷରେ ବାଧ୍ୟ ହୋଇ ନ୍ୟାୟ ଲାଗି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଣାଶୁଣା ଆଇନ୍‍ଜୀବୀ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ଏହି ମାମଲା ପରିଚାଳନାରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।
ଓଡ଼ିଶା ହାଇକୋର୍ଟ ଗତବର୍ଷ ଏପ୍ରିଲ ୨୨ ତାରିଖରେ ସୁଶ୍ରୀ ଜାନକୀ ଦାସଙ୍କ ମାମଲାର ବିସ୍ତୃତ ଶୁଣାଣି କରି ତାଙ୍କ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ବି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଓ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ । ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ବି ଏଯାବତ୍‍ ଜାନକୀଙ୍କ ଯାତନାର ଅନ୍ତ ଘଟିନାହିଁ । ଏ ପରିପ୍ରେକ୍ଷୀରେ ସେ ପୁଣିଥରେ ଓଡ଼ିଶା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜଷ୍ଟିସ୍‍ ଏ.କେ. ମହାପାତ୍ରଙ୍କ ଖଣ୍ଡପୀଠ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ସମସ୍ୟା ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କୁ ଆଉ ୪ସପ୍ତାହ ସମୟ ଦେଇଛନ୍ତି । ଏହି ସମୟ ସୀମା ମଧ୍ୟରେ ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜାନକୀ ଦାସଙ୍କ ପେନ୍‍ସନ୍‍ ମାମଲାରେ କିଛି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ ବୋଲି ଧରିନିଆଯିବ ଏବଂ ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ପଡ଼ିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ପୂର୍ବତନ ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି ଯେ ପ୍ରଶାସନିକ ଇଚ୍ଛାଶକ୍ତି ରହିଥିଲେ ଗୋଟିଏ ଦିନରେ ଏହି ସମସ୍ୟାର ସକରାତ୍ମକ ସମାଧାନ କରାଯାଇପାରିବ । ଦୂରଦୂରାନ୍ତକୁ ବଦଳି ଯୋଗୁ ଯେଉଁ କେତେଜଣ ଆବେଦନକାରୀ କାର୍ଯ୍ୟରେ ଅନୁପସ୍ଥିତ ଥିଲେ ସେହି ସୟକୁ ଛୁଟି ଭାବେ ମଞ୍ଜୁର କରାଯାଇପାରେ କିମ୍ବା ଏହି ସମୟକୁ କାମ ନାହିଁ ତ ବେତନ ନାହିଁ ବୋଲି ଘୋଷଣା କରି ସଂପୂର୍ଣ୍ଣ ଚାକିରି ସମୟର କର୍ତ୍ତୃପକ୍ଷ ନିୟମିତ କରିପାରିବେ । ସେହି ଆଧାରରେ ତାଙ୍କର ଠିକଣା ଭାବେ ବେତନ ନିର୍ଦ୍ଧାରଣ କରାଯାଇ ଏରିଅର ଦରମା ସହିତ ଜାନକୀ ଦାସଙ୍କ ଚାକିରି କାଳକୁ ନିୟମିତ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking