15.1 C
Bhubaneswar
Thursday, January 15, 2026
Homeଓଡିଶାପିସିସି ଆଦିବାସୀ ବିଭାଗ ପ୍ରତିନିଧି ଦଳର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ପିସିସି ଆଦିବାସୀ ବିଭାଗ ପ୍ରତିନିଧି ଦଳର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ଵର: ଓଡ଼ିଶା ପ୍ରଦେଶ କଂଗ୍ରେସର ଆଦିବାସୀ ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରି ଆଦିବାସୀଙ୍କ ଅଧିକାର, ଶିକ୍ଷା ଏବଂ ଜୀବନ ଜୀବିକା ସମ୍ବଳିତ ୧୧ ଦଫା ଦାବି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ଜନସଂଖାର ପାଖାପାଖି ୨୪ ପ୍ରତିଶତ ହେଲେ ଆଦିବାସୀ। ପୂର୍ବ ସରକାରମାନଙ୍କ ଅନେକ ଆଇନ, ନିର୍ଦ୍ଦେଶାବଳୀ, ଯୋଜନା ଆଦି ସତ୍ତ୍ଵେ ଆଦିବାସୀ ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ସ୍ତରରେ ଅନଗ୍ରସର ଅଛନ୍ତି। ୧୯୯୬ ମସିହାରେ ପେସା ଆଇନ କେନ୍ଦ୍ର ସରକାର ଆଣିଥିଲେ, ଓଡ଼ିଶା ସରକାର ବିନା ନିର୍ଦ୍ଦେଶାବଳୀରେ ଏହି ଆଇନକୁ ଲାଗୁ କରିଛନ୍ତି। ଏହାଦ୍ବାରା ଆଦିବାସୀ ସମ୍ପ୍ରଦାୟର ଲୋକେ ଜଳ ଜଙ୍ଗଲ ଆଉ ଜମିର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଆସୁଛନ୍ତି। ତେଣୁ ତୁରନ୍ତ ପେସା ଆଇନ ପାଇଁ ନିର୍ଦ୍ଦେଶାବଳୀ ବା ରୁଲ୍ ଆଣିବା ପାଇଁ ଦାବିରେ ଉଲ୍ଲେଖ କରାଯାଇଛି। ବହୁଭାଷିକ ଶିକ୍ଷା ଯୋଜନାରେ ୨୦୧୪ ପରଠାରୁ ଆଉ ଅଧିକ ବିଦ୍ୟାଳୟ ସାମିଲ କରାଯାଇନାହିଁ କିମ୍ବା ଏଥି ନିମନ୍ତେ ଭାଷା ଶିକ୍ଷକ ନିଯୁକ୍ତି କରାଯାଇନାହିଁ। ଯାହା ଫଳରେ ଅନେକ ପିଲା ମାତୃଭାଷାରେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ଅଛି। ଜଙ୍ଗଲ ଅଧିକାର ଆଇନର ଜମି ଶିରୋନାମା ଆଧାରରେ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଜାତି ସାର୍ଟିଫିକେଟ ଦିଆଯାଉନାହିଁ। ଯାହା ଦ୍ବାରା ଲୋକେ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଗୋଷ୍ଠୀ ଜଙ୍ଗଲ ଅଧିକାର କେବଳ ୧୩ ପ୍ରତିଶତ ସାମ୍ଭାବ୍ୟ ଗାଁକୁ ଦିଆ ଯାଇଛି।

ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ସମୟରେ ସ୍କୋଲାରସିଫ ମିଳୁ ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ଅନେକ ବ୍ୟାଘାତ ସୃଷ୍ଟି ହେଉଛି। ୨୦୧୫ ମସିହାରେ ଓଡ଼ିଶା ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଲାଗୁ କରିବା ପାଇଁ ନିଷ୍ପତ୍ତି ଦେଇଥିଲେ, ମାତ୍ର ଦୁଃଖର ବିଷୟ ଓଡ଼ିଶା ସରକାର ବୃତ୍ତିଗତ ଏବଂ ବୈଷୟିକ ଶିକ୍ଷାରେ ୨୩ ପ୍ରତିଶତ ବଦଳରେ କେବଳ ୧୨ ପ୍ରତିଶତ ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ବହୁ ମେଧାବୀ ଆଦିବାସୀ ଛାତ୍ର ବୃତ୍ତିଗତ ଏବଂ ବୈଷୟିକ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏହିଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଓପିସିସି ଦ୍ବାରା ଆଜି ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ ପ୍ରଦେଶ କଂଗ୍ରେସ କମିଟିର ୩ ସମ୍ପାଦକ ଲକ୍ଷ୍ମୀଧର ସିଂ, ଅନିମା ମିଞ୍ଜ ଓ ମୋହନ ହେମ୍ବ୍ରମ ଏବଂ ବରିଷ୍ଠ ଆଦିବାସୀ ନେତ୍ରୀ ରଞ୍ଜିତା ହେମ୍ବ୍ରମ, ଆଦିବାସୀ ନେତା ମାତରାସ ଡୁଙ୍ଗଡୁଙ୍ଗ, କଟକ ଜିଲ୍ଲା କଂଗ୍ରେସର ଯୁବନେତା ଶ୍ରୀ ଆକ୍ୟୁବ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking