24.1 C
Bhubaneswar
Thursday, December 18, 2025
Homeଓଡିଶାନାରୀ ନ୍ୟାୟ ପାଇଁ ପିସିସି ଅନ୍‌ଲାଇନ ଅଭିଯୋଗ ପ୍ରକୋଷ୍ଠ ଖୋଲିବ

ନାରୀ ନ୍ୟାୟ ପାଇଁ ପିସିସି ଅନ୍‌ଲାଇନ ଅଭିଯୋଗ ପ୍ରକୋଷ୍ଠ ଖୋଲିବ

ଭୁବନେଶ୍ୱର: ଗତ ୧୮ ଜୁଲାଇ ଶୁକ୍ରବାର କଂଗ୍ରେସ ଭବନ ସମ୍ମେଳନ କକ୍ଷରେ ପିସିସି ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସିର ପ୍ରଭାରୀ ତଥା ପିସିସି ରାଜନୈତିକ କମିଟି ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ଲାଲ୍ଲୁଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ବୈଠକରେ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରି ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ସଦସ୍ୟମାନଙ୍କୁ ପ୍ରସ୍ତାବ ଓ ପରାମର୍ଶ ଦେବାପାଇଁ ଆହ୍ବାନ କରିଥିଲେ। ଆସନ୍ତା ୨୪ ତାରିଖ ଦିବଂଗତା ଛାତ୍ରୀଙ୍କ ଏକାଦଶାହ ଦିନ ସବୁ କଲେଜରେ ଦୁଇ ମିନିଟ୍ ଲେଖାଏଁ ନିରବ ପ୍ରାର୍ଥନା କରାଯିବ ବୋଲି ଶ୍ରୀ ଦାସ କହିଥିଲେ। ସେହିପରି ମହିଳା କଂଗ୍ରେସ ତରଫରୁ ରାଜ୍ୟବ୍ୟାପୀ ସେଦିନ ଗୋଟିଏ ମିନିଟ୍‌ର ନିରବ ପ୍ରାର୍ଥନା କରି ପରଲୋକଗତା

ଆତ୍ମାର ସଦଗତି କାମନା କରାଯିବ। ମହମବତୀ ଜଳାଇ ଶ୍ରଦ୍ଧାଂଜଳି ଅର୍ପଣ କରାଯିବ। ଏହାଛଡ଼ା, ଆଗକୁ କଂଗ୍ରେସ ପକ୍ଷରୁ ରାଜ୍ୟରେ ୬ଟି ବଡ଼ ସମାବେଶ ଓ ଜିଲ୍ଲାସ୍ତରୀୟ ସମାବେଶ ଆୟୋଜନ ହେବ ବୋଲି ସେ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ, ଏଆଇସିସିର ‘ସୃଜନ’ ଜରିଆରେ ଖୁବ୍‌ଶିଘ୍ର ସାଂଗଠନିକ ପ୍ରସ୍ତୁତି ହେବ। ପିସିସିର ଏକ ମହିଳା ସୁରକ୍ଷା (ନାରୀ ନ୍ୟାୟ) ସେଲ୍‌ ଗଠନ କରାଯାଇ ୨/୩ ଜଣ ମହିଳାଙ୍କୁ ଦାୟିତ୍ବ ଦିଆଯିବ। ଏଥିନିମନ୍ତେ ଏକ ‘ଆପ୍’ କରାଯାଇ ଟୋଲ୍‌-ଫ୍ରି ନମ୍ବରଟିଏ ଦିଆଯିବା ନେଇ ସେ ଘୋଷଣା କରିଥିଲେ। ସେହିପରି ବନ୍ଦ ପାଳନର ସଫଳତା ପାଇଁ ଉପସ୍ଥିତ ସଦସ୍ୟମାନେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ପିସିସି ସଭାପତି ଓ ଏଆଇସିସି ଓଡ଼ିଶା ପ୍ରଭାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ପରି ଅନ୍ୟ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ କଂଗ୍ରେସ ରାଜ୍ୟବାସୀଙ୍କୁ ସଚେତନ କରେଇଚାଲିବ ବୋଲି ସଦସ୍ୟମାନେ ସଂକଳ୍ପ ନେଇଥିଲେ। ଆଗକୁ ଥିବା ଛାତ୍ରସଂସଦ ନିର୍ବାଚନରେ ଏନ୍‌ଏସୟୁଆଇ ସକ୍ରିୟ ଭାବେ ଲଢ଼ିବା ନେଇ ଆଶାପ୍ରକାଶ କରାଯାଇଥିଲା। ‘ବନ୍ଦ ପାଳନର ଏକ ବଡ଼ ଉପଲବ୍‌ଧି ହେଲା, ଆମେ ଏକ ହୋଇ ଲଢ଼ିଲୁଣି ବୋଲି ରାଜ୍ୟବ୍ୟାପୀ ଗୋଟିଏ ବାର୍ତ୍ତା ଗଲା।

ଲୋକସମର୍ଥନରୁ ଜଣାପଡ଼ୁଛି, ସେମାନେ କଂଗ୍ରେସକୁ ପ୍ରମୁଖ ବିରୋଧୀ ଦଳ ଭାବେ ଦେଖୁଛନ୍ତି’ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ। ମହାରାଷ୍ଟ୍ର ପରେ ବିଜେପି ପ୍ରଥମେ ଏବେ ବିହାରରେ ଭୋଟ୍‌ଚୋରିର ବ୍ୟବସ୍ଥା କରୁଛନ୍ତି। ପରେ ସବୁଆଡ଼େ କରିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ରୋକିବାକୁ କଂଗ୍ରେସ କର୍ମୀ ଏବେଠାରୁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦିଆଯାଇଥିଲା। ଉକ୍ତ ବୈଠକରେ ଶ୍ରୀକାନ୍ତ ଜେନା, ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଅମରନାଥ ପ୍ରଧାନ, ନଗେନ୍ଦ୍ରନାଥ ପ୍ରଧାନ, ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ମହମ୍ମଦ ମୋକିମ, ଡ. ବିଶ୍ବରଂଜନ ମହାନ୍ତି ଓ ସସ୍ମିତା ବେହେରା ଓ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପ୍ରଭାରୀ ଶ୍ରୀ ଲାଲ୍ଲୁ ଏଭଳି ଲଢ଼େଇ ଚାଲୁରହିଲେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ମତ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking