16.1 C
Bhubaneswar
Tuesday, February 10, 2026
Homeଓଡିଶାଆଇ.ଏନ୍‌.ଟି.ୟୁ.ସି କାର୍ଯ୍ୟକାରିଣୀ ବୈଠକରେ ପିସିସି ସଭାପତିଙ୍କ ଯୋଗଦାନ

ଆଇ.ଏନ୍‌.ଟି.ୟୁ.ସି କାର୍ଯ୍ୟକାରିଣୀ ବୈଠକରେ ପିସିସି ସଭାପତିଙ୍କ ଯୋଗଦାନ

ଭୁବନେଶ୍ୱର: ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖା କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଯୋଗଦାନ କରି ତାଙ୍କ ଅଭିଭାଷଣରେ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସକୁ ସୁଦୁଢ଼ କରିବା ସହିତ ସରକାର ଗଠନ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଦସ୍ୟମାନଙ୍କ ପୁନଃ ସହଯୋଗ କାମନା କରିଥିଲେ । ରାଜ୍ୟରେ ଜଙ୍ଗଲ ଖଣି ଖାଦନ ତଥା ନିର୍ମାଣ ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା ବିଶେଷ କରି ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧିତ ଯେକୌଣସି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ଆଇ.ଏନ୍‌.ଟି.ୟୂ.ସି ସହିତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସର ବିରୋଧ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡାମ୍ ବିଧାୟକ ଯୋଗଦାନ କରି ଆଇ.ଏନ୍‌.ଟି.ୟୁ.ସିର ସମସ୍ତ କାର୍ଯ୍ୟକୁ ସହଯୋଗ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସଭାରେ ଡଃ ରାମଚନ୍ଦ୍ର ଖୁଂଟିଆ ସଭାପତିତ୍ୱ କରିଥିଲେ ।

ଭବିଷ୍ୟନିଧି ୟୁନିଅନ ଓଡ଼ିଶା ଶାଖାର ସଭାପତି ଭାବେ ଡଃ ରାମଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ ସାଂସଦ ଙ୍କୁ ନିର୍ବାଚିତ କରିଥିବାରୁ ରାଜ୍ୟ କାର୍ଯ୍ୟକାରିଣୀ ତରଫରୁ ଭବିଷ୍ୟନିଧି ସଂଗଠନର କାର୍ଯ୍ୟକର୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ଓ ଅନୁରୂପ ଭାବେ ଭବିଷ୍ୟନିଧି ସଂସ୍ଥାର ଶ୍ରୀ ଅଲେଖଚନ୍ଦ୍ର ସାହୁ ଆଗାମୀ ଦିନରେ ଭବିଷ୍ୟନିଧି ସଂଗଠନ ସଭାପତି ଡଃ ଖୁଂଟିଆଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଡଃ ଖୁଂଟିଆ ତାଙ୍କ ଅଭିଭାଷଣରେ ସମଗ୍ର ରାଜ୍ୟରେ ଶ୍ରମିକ ମାନଙ୍କର ସମସ୍ୟା ଉପରେ ଆଲୋକପାତ କରି ରାହୁଲ ଗାନ୍ଧୀଙ୍କ ଜାତି ଜନଗଣନା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ସ୍ୱଚ୍ଛ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ ଏସ୍‌.ଆଇ.ଆର ମାଧ୍ୟମରେ ଭୋଟର ତାଲିକା ପ୍ରସ୍ତୁତ କରିବା ପ୍ରସ୍ଥାବକୁ ମଧ୍ୟ ଭୂଇୟସି ପ୍ରଶଂସା କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସମସ୍ତ ପ୍ରବାସୀ ଶ୍ରମିକମାନେ ଏହାଦ୍ୱାରା ଭୋଟ ଦେବାର ଅଧିକାର ପ୍ରାପ୍ତ ହେବ ବୋଲି ଡଃ ଖୁଂଟିଆ ପ୍ରକାଶ କରିଥିଲେ ।

ଅନ୍ୟ ପ୍ରସ୍ତାବ ଯଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ଏବଂ ଏ ବାବଦରେ ଅନ୍ୟୁନ୍ୟ ୧୦୦୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିବା, ଭବିଷ୍ୟନିଧି ପେନସନ ସ୍କିମ୍‌-୧୯୯୫ର ପେନସନକୁ ସର୍ବନିମ୍ନ ୧ ହଜାର ଟଙ୍କାରୁ ୯ ହଜାର ଟଙ୍କା ବୃଦ୍ଧି କରିବା ସହିତ ଉକ୍ତ ପେନସନକୁ ମହଙ୍ଗା ଭତ୍ତା ସହିତ ସଂଲଗ୍ନ କରିବା, ଶ୍ରମିକମାନଙ୍କୁ ନିଯୁକ୍ତି ଭିତ୍ତିକ ପ୍ରୋସ୍ତାହନ ପ୍ରଦାନ କରିବା, ରାଜ୍ୟରେ କାର୍ଯ୍ୟରତ ଇନ୍ୟୁରାନ୍‌ସ କମ୍ପାନୀ ମାନଙ୍କର ଘରୋଇକରଣକୁ ବନ୍ଦ କରିବା, କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ୪ଟି ଲେବର କୋର୍ଡକୁ ବନ୍ଦ କରି ପୂର୍ବ ପ୍ରଚଳିତ ୪୪ଟି ଶ୍ରମ ଆଇନକୁ ପ୍ରଚଳନ କରିବା, ସ୍ଥାୟୀ ଶ୍ରମିକମାନଙ୍କ ସ୍ଥାନରେ କାର୍ଯ୍ୟକରୁଥିବା ଠିକା ଶ୍ରମିକ ମାନଙ୍କୁ ସମାନ ଦରମା ଦେବା ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ସମସ୍ତ ନାଗରିକ ତଥା ୬୫ କୋଟି ଶ୍ରମିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷାକୁ ମୌଳିକ ଅଧିକାର ଭାବେ ସମ୍ବିଧାନରେ ସଂଶୋଧନ ଆଣିବା, କର୍ମଚାରୀ ସ୍ୱାସ୍ଥ୍ୟବୀମା ଯୋଜନାର ଯୋଗ୍ୟତା ପାଇଁ ସର୍ବୋଚ୍ଚ ବେତନ ୨୧ ହଜାରକୁ ଉଚ୍ଛେଦ କରି ସମସ୍ତ ଶ୍ରମିକ ମାନଙ୍କୁ ଉକ୍ତ ସ୍ୱାସ୍ଥ୍ୟବୀମାରେ ସଂଲ୍ଲିଷ୍ଟ କରିବା, ଦୀର୍ଘ ଦିନ ହେଲା ବନ୍ଦ ଥିବା ଦେଶରେ ଜାତୀୟ ଶ୍ରମ ସମ୍ମିଳନୀକୁ ତୁରନ୍ତ ସରକାର କାର୍ଯ୍ୟକାରୀ କରିବା, ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗର ଜାତି ଓ ମହିଳା ଶ୍ରମିକ ମାନଙ୍କ ପାଇଁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସ୍ୱତନ୍ତ୍ର ନିଯୁକ୍ତି ସଂରକ୍ଷଣ କରିବା, ଗିଗ୍ ଓ ସ୍ମିମ୍ କର୍ମଚାରୀମାନଙ୍କ ପାଇଁ ରାଜ୍ୟର ସର୍ବନିମ୍ନ ମଜୁରୀ ଲାଗୁ କରିବା, ନିର୍ମାଣ ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ପ୍ରୋତ୍ସାହନକୁ ୧୫ ଲକ୍ଷ ଟଙ୍କା ବର୍ଦ୍ଧିତ କରିବା ଓ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସରକାରଙ୍କ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ମହିଳା ଶ୍ରମିକ ମାନଙ୍କୁ ସ୍ଥାୟୀ ମହିଳା ଶ୍ରମିକ ମାନଙ୍କ ଭଳି ୬ ମାସର ପ୍ରସୂତିଜନିତ ସ୍ୱତନ୍ତ୍ର ଛୁଟି ପ୍ରଦାନ କରିବା ପ୍ରଭୁତି ଦାବି ଉପସ୍ଥାପନ କରାଯାଇଥିଲା ।

ସାଧାରଣ ସମ୍ପାଦକ ଶ୍ରୀ କିଶୋର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ଶ୍ରୀ ମଦନ ମୋହନ ଧଳ ଉପସଭାପତି ସମସ୍ତ ପ୍ରସ୍ତାବ ଗୁଡ଼ିକୁ ପରିଚାଳନା କରିଥିଲେ ଏବଂ ଉକ୍ତ ପ୍ରସ୍ତାବଗୁଡ଼ିକୁ ସୌଭାଗ୍ୟ ପ୍ରଧାନ, ଶ୍ୟାମସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ଦେବାଶିଷ ଘୋଷ, ବିଦ୍ୟାଧର ମହାନ୍ତି, ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ, ପ୍ରକାଶ ବେହେରା, ପ୍ରଦୀପ୍ତ ଦାସ, ବିଭବ ଜେନା, ସତ୍ୟାନନ୍ଦ ସାହୁ, ଭୁବନ ବିହାରି ସାହୁ, କ୍ଷିରୋଧ ଚନ୍ଦ୍ର ଓଝା, ଦିଗାମ୍ବର ଗଡନାୟକ, ଭୋକାଲି ସେଠୀ, କେଦାର ବାରିକ, ଧରଣି ସ୍ୱାଇଁ, ସୁଶାନ୍ତ ପଣ୍ଡା, ଓ କୃଷ୍ଣଚନ୍ଦ୍ର ସାହୁ ପ୍ରଭୁତି ଉପସ୍ଥାପନ କରିଥିଲେ । ଶେଷରେ ସତ୍ୟାନନ୍ଦ ସାହୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking