21.1 C
Bhubaneswar
Sunday, February 1, 2026
Homeଓଡିଶାଭଦ୍ରକ ଜିଲ୍ଲାର ଇରମ ଠାରୁ ବାସୁଦେବପୁର ପର୍ଯ୍ୟନ୍ତ ପିସିସି ସଭାପତିଙ୍କ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରା

ଭଦ୍ରକ ଜିଲ୍ଲାର ଇରମ ଠାରୁ ବାସୁଦେବପୁର ପର୍ଯ୍ୟନ୍ତ ପିସିସି ସଭାପତିଙ୍କ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରା

ଭୁବନେଶ୍ୱର: ଆଜି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଭଦ୍ରକର ଇରମ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ଏବଂ ସେଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ବାସୁଦେବପୁର ପର୍ଯ୍ୟନ୍ତ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରାରେ ଯାଇଥିଲେ । ବିଧାୟକ ଅଶୋକ ଦାସଙ୍କ ଦ୍ୱାରା ବାସୁଦେବପୁର ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ରକ୍ତତୀର୍ଥ ଇରମକୁ ଇତିହାସରେ ଦ୍ୱିତୀୟ ଜାଲିୱାନାବାଲା ବାଗ ଘଟଣା ବୋଲି ଗ୍ରହଣ କରାଯାଏ । ଏ ମାଟି ମହିମା ମଣ୍ଡିତ ମାଟି । ଏ ମାଟି ବୀରପ୍ରସବିନୀ ମାଟି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଯେଉଁ ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା ସେହି ମୁକ୍ତି ଆନ୍ଦୋଳନକୁ ଏଠାରେ ପାଳନକରି ୨୯ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେବାସହ ୫୬ ଜଣ ଗୁରୁତ୍ୱର ସହ ଆହତ ହୋଇଥିଲେ । ଏହି ଐତିହାସିକ ଆନ୍ଦୋଳନରେ ମହିଳା ସ୍ୱାଧୀନତା ସଂଗ୍ରାମୀ ପରୀ ବେୱା ଆଜି ଆମମାନଙ୍କ ନିକଟରେ ଚିରସ୍ମରଣୀୟ । ଏହି ଦ୍ୱିତୀୟ ଜାଲିୱାନାବାଲା ବାଗ ହତ୍ୟାକାଣ୍ଡର ପ୍ରଚାର ଭାରତ ବର୍ଷରେ ହୋଇପାରି ନାହିଁ । ଏଠାରେ ମଧୁବାବୁଙ୍କର କାଳଜୟୀ କବିତାକୁ ଉଦ୍ଧାର କରି ଶ୍ରୀ ଦାସ କହିଲେ ଯେ “ ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେଦିନେ, ପୁରୁବ ଗୌରବ ପୁରବ ସାହସ ପଡ଼ିବ କି କେବେ ମନେ? ଏ ଜାତିର ଗୌରବ, ଏ ମାଟିର ମହାପୁରୁଷ ମାନଙ୍କର ଅବଦାନକୁ ଆମେ ଭୁଲିଯାଇଛୁ । ଏପରିକି ଆଜି ମହାତ୍ମା ଗାନ୍ଧୀଙ୍କ ମହାନ ଅବଦାନ ଓ ତ୍ୟାଗକୁ ମଧ୍ୟ ଲୋକେ ଭୁଲିଯାଉଛନ୍ତି ।

ଶ୍ରୀ ଦାସ ଏଠାରେ ପୁଲୱାମାରେ ନିରୀହ ପର୍ଯ୍ୟଟକଙ୍କୁ କିଏ ହତ୍ୟା କରିଥିଲା ତାହା ଏପର୍ଯ୍ୟନ୍ତ ଜଣାନପଡ଼ିବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏହା ଏକ ଷଡ଼ଯନ୍ତ୍ର ଥିଲା । ଏହାର ଉତ୍ତର ସରକାର ଏ ପର୍ଯ୍ୟନ୍ତ ରଖିପାରି ନାହିଁ । ପୁଲୱାମା ହତ୍ୟାକାଣ୍ଡ ମୋଦି ସରକାରର ଏକ ବିଫଳତା ହେଲେ ଏହାକୁ ଭିନ୍ନ ଢ଼ଙ୍ଗରେ ଚିତ୍ରଣ କରି ନିର୍ବାଚନ ଲଢ଼ାଗଲା । କିଭଳି ଭାବରେ ଲୋକଙ୍କୁ ଭୂଆଁ ବୁଲାଯିବ ତାର ଷଡଯନ୍ତ୍ର ରଚାଯାଉଛି । ଏବେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମରେ ହୋଇଥିବା ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ବନ୍ଦ କରିଦିଆଗଲା । ନୂଆ ଯୋଜନା କଲେ, ହେଲେ ସେଥିରେ ମହାତ୍ମା ଗାନ୍ଧୀଙ୍କ ନାମ ମୋଦି ସରକାର ରଖିଲେ ନାହିଁ । ଗାନ୍ଧୀ ହତ୍ୟାକାରୀ ଏବେ କ୍ଷମତାରେ ବସିଛନ୍ତି । ଏ ସରକାର ଗାନ୍ଧୀ ବିରୋଧି ସରକାର । ଇତିହାସକୁ ଲୁଚାଇ ଦେବାପାଇଁ ଷଡଯନ୍ତ୍ର ଚାଲିଛି । ଆମର ପିଲାମାନେ ତାଙ୍କ ଠାରୁ ମିଥ୍ୟା ଦେଶଭକ୍ତି ଶିଖିବେ ନାହିଁ, ଦେଶପାଇଁ ରକ୍ତତୀର୍ଥ ଇରମରେ ଯେପରି ବଳିଦାନ ଦିଆଯାଇଛି ସେହି ପ୍ରେରଣାରେ ଆମର ପିଲାମାନେ ଅଭିମନ୍ତ୍ରିତ ହେବେ । ଗାନ୍ଧୀ ଛଡ଼ା ଭାରତର ଇତିହାସ ଆଉ କ’ଣ ଅଛି? ତଡ଼ିପାର ରାଜନେତା ଏବଂ ଯେଉଁମାନଙ୍କର ସାର୍ଟିଫିକେଟ ନାହିଁ ସେମାନେ ଇତିହାସ ଲେଖିବେ ଆମେ ପଢ଼ିବୁ, ଏହା ଦୁର୍ଭାଗ୍ୟଜନକ । ଗ୍ରାମାଞ୍ଚଳର ଲୋକଙ୍କୁ ଉପାସରକାର ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଯେଉଁ କର୍ମସଂସ୍ଥାନ ଯୋଗାଇ ଦେଇଥିଲା ତାର ପ୍ରତ୍ୟାହାର ସେହି ଗରିବ ଲୋକମାନଙ୍କ ପେଟକୁ ଗୋଇଠା ମାରିବା ସହ ସମାନ । ନିଜ ଗାଁରେ ନିଜ ପଞ୍ଚାୟତରେ କାମ ମିଳୁଥିଲା, କାମର ବ୍ୟବସ୍ଥା ପଞ୍ଚାୟତ ସ୍ଥିର କରୁଥିଲା । କାମ ନଦେଲେ ଭତ୍ତାର ବ୍ୟବସ୍ଥା ଥିଲା । ଏବେ କିନ୍ତୁ ତାହା ହେବ ନାହିଁ । କେନ୍ଦ୍ରପୁଣି ମଜୁରି କ୍ଷେତ୍ରରେ ୧୦୦ ପ୍ରତିଶତ ଅନୁଦାନ ଦେଉଥିଲା । ଏବେ ୬୦ ପ୍ରତିଶତ ଦେବାପାଇଁ ନୂଆ ଯୋଜନାରେ ସ୍ଥିର ହୋଇଛି ।

ଏହା ଭାରତର ଗ୍ରାମବାସୀଙ୍କ ପାଇଁ ଏକ ବିଶ୍ୱାସଘାତକତା । ଅନ୍ୟପକ୍ଷରେ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ନିଷ୍ଠୁର ନୀତି ନିର୍ଦ୍ଦାରଣ କରି ଜିଜିଆକର ଓଡ଼ିଶା ସରକାର ଆଦାୟ କଲେ । ଓଡ଼ିଶା ସରକାର ଏବେ କର ଅସୁଲି ସରକାରଭାବେ ପରିଚୟ ସୃଷ୍ଟି କରିଛି । ଗାଡ଼ିର ଋଣ ସୁଝିବା ପାଇଁ ଲୋକେ ଅକ୍ଷମ । ହେଲେ ଗାଡ଼ିର ଦାମ ଯେତେ ତାହା ଉପରେ ତିନିଗୁଣା କର ଲଦି ଦିଆଯାଉଛି । ଯାହା ଫଳରେ ଗାଡ଼ି ପଦାକୁ ବାହାରିବ ନାହିଁ ଏବଂ ଗରିବ ଲୋକଙ୍କର ରୋଜଗାର ବନ୍ଦ ହେବ । ଗରିବ ଲୋକଙ୍କ ଉପରେ ଓଡ଼ିଶାର ବିଜେପି ସରକାର ନିର୍ମମ ଆକ୍ରମଣ କରୁଛନ୍ତି । ସରକାରକୁ ଏବେ ଦୁଇବର୍ଷ ପୂରଣ ହେବ । ପ୍ରଦତ୍ତ ପ୍ରତିଶ୍ରୁତି ଅନୁଯାୟୀ ମାଗଣା ୩୦୦ ୟୁନିଟ ବିଜୁଳି ଗଲା କୁଆଡେ? ଆମ ରାଜ୍ୟରେ ବାର୍ଷିକ ୨୨୨ ମିଲିୟନ ଟନ କୋଇଲା ଉତ୍ପାଦନ ହେଉଥିବା ବେଳେ ଆମ ରାଜ୍ୟରେ ମାତ୍ର ୨୦ ମିଲିୟନ ଟନ ଖର୍ଚ୍ଚ ହେଉଛି । ୨୦୨ ମିଲିୟନ ଟନ କୋଇଲା ଆମ ରାଜ୍ୟରୁ ନେଇ ବାହାର ରାଜ୍ୟ ଚାଷୀଙ୍କୁ ମାଗଣା ବିଜୁଳି ଏବଂ ବିଜୁଳି ଉପଭୋକ୍ତାଙ୍କୁ ୨୦୦-୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେଇପାରୁଛନ୍ତି । ହେଲେ କୋଇଲା ଆମର କିନ୍ତୁ ଆମର ଚାଷୀ କି ଗରିବ ଲୋକ ମାଗଣା ବିଜୁଳି ପାଇପାରିବେ ନାହିଁ । ମାତ୍ର ଶିଳ୍ପ ମାନଙ୍କୁ ସରକାର ବିଜୁଳି ଦେୟ ଛାଡ଼ କରିବା ଦୁର୍ଭାଗ୍ୟଜନକ । ଏବେ ସ୍ମାର୍ଟମିଟର ଲଗାଇବା ବ୍ୟବସ୍ଥା କରି ଏବଂ ଅତିରିକ୍ତ ସୁରକ୍ଷା ଜମା ଦାବି କରି ବିଜୁଳି ଗ୍ରାହକଙ୍କୁ ଶୋଷଣ କରାଯାଉଛି । ସ୍ମାର୍ଟ ମିଟର ଭୋଟ ଚୋରି ଭଳି ଟାଟା କମ୍ପାନୀ ବାହାରୁ ଏହାକୁ ପରିଚାଳନା କରିପାରିବ । ଯଦି ଦିନକୁ ୫ ପଇସା ଲେଖାଏଁ ଅଧିକା ନିଏ ତେବେ ରାଜ୍ୟର ୧ କୋଟି ୨୫ ଲକ୍ଷ ଉପଭୋକ୍ତାଙ୍କ ଠାରୁ କେତେ ଟଙ୍କା ଲୁଟିନେବ ତାହା ଚିନ୍ତା କରନ୍ତୁ । ଟାଟା କମ୍ପାନୀ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲୁଛି ।

ସୁତରାଂ ବିଜୁଳି ଗ୍ରାହକଙ୍କର ଜାଗରଣ ହେବାର ସମୟ ଆସିଛି । ଚାଷୀର ସମସ୍ତ ଧାନ କିଣିବାପାଇଁ ପ୍ରତିଶ୍ରୁତି ଦେଇ କ୍ୱିଂଟାଲ ପିଛା କଟନୀ ଛଟଣୀ ବାବଦରେ ୧୦ କିଲୋ କାଟି ଦିଆଯାଉଛି । ସେହିଭଳି କ୍ୱିଂଟାଲ ପିଛା ଧାର୍ଯ୍ୟ ଏମଏସପି ଦର ୩୧୦୦ ଟଙ୍କାରେ ଚାଷୀ ଧାନ ବିକିପାରୁ ନାହିଁ । ଚାଷୀର ଧାନ ରଖିବା ପାଇଁ ଏମାନଙ୍କର ଗୋଦାମ ନାହିଁ । ସୁତରାଂ ଚାଷୀ କ୍ୱିଂଟାଲ ପିଛା ୧୮୦୦ ଟଙ୍କାରେ ଧାନ ବିକି କ୍ଷତି ସହୁଥିବା ବେଳେ ମିଲ ମାଲିକ ଓ ସରକାର ମଧୁଚନ୍ଦ୍ରିକାରେ ୫ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି । ସଂଧ୍ୟାବେଳେ ବାସୁଦେବପୁର ଚା ଖଟିରେ ପିସିସି ସଭାପତି ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ ବାବଦରେ ଚର୍ଚ୍ଚ କରିଥିଲେ । ବିଜେପି ସରକାରରେ ମହିଳା ଅସୁରକ୍ଷିତ । କୁନି କୁନି ଝିଅମାନେ ମଧ୍ୟ ଦୁର୍ଷ୍କମର ଶିକାର । ସରକାର ନ୍ୟାୟ ଦେବାର ଅକ୍ଷମ । ଆମେ ଗାନ୍ଧୀ ପଥେ ଓଡ଼ିଶା ଆହ୍ୱାନରେ ୧ ବର୍ଷ ପଦଯାତ୍ରା କରିବୁ । ଏ ସରକାରର କୁଶାସନ ବିରୋଧରେ ଜନଜାଗରଣ ସୃଷ୍ଟି କରିବୁ । ଇରମ ଆମପାଇଁ ପ୍ରେରଣାର ଉତ୍ସ । ଓଡ଼ିଶାକୁ ଜଗାଇବାପାଇଁ କଂଗ୍ରେସ କର୍ମୀ ମାନଙ୍କୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଅନନ୍ତ ସେଠୀ, ନଳିନୀ ମହାନ୍ତି, ଅଶିତ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମାନସ ମଲ୍ଲିକ, ମଧୁସ୍ମିତା ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking